ଚାଷୀଙ୍କ ବନ୍ଦ ପାଳନରେ ସାମିଲ ହେଲା ସାରା ଓଡ଼ିଶା । ‘ବନ୍ଦ’ର ପଡିଲା ଆଂଶିକ ପ୍ରଭାବ, ହେଲେ ଆନ୍ଦୋଳନକୁ ମିଳିଲା ପୂର୍ଣ୍ଣ ସମର୍ଥନ । ବନ୍ଦ ହେଲା ଗାଡିମୋଟର, ରାସ୍ତାରେ ଜଳିଲା ଟାୟାର ।

119

କନକ ବ୍ୟୁରୋ : ଆଜିର ଭାରତ ବନ୍ଦ, ଗୋଟିଏ କଥା ପ୍ରମାଣ କରୁଛି ଯେ, ଯେତେବେଳେ ପ୍ରାୟ ୭୦% ନିର୍ଭର କରୁଥିବା ଲୋକଙ୍କ ଜୀବନ-ଜୀବିକାର ପ୍ରସଙ୍ଗ ଆସେ, ସ୍ୱତଃପ୍ରବୃତ ଭାବେ ଆସିଯାଏ ଜନସମର୍ଥନ । ଚାଷୀଙ୍କ ଭାରତ ବନ୍ଦ ଆନ୍ଦୋଳନରେ ଅବିକଳ ତାହା ହିଁ ଦେଖିବାକୁ ମିଳିଛି । ଚାଷୀ ଓ ଚାଷ ପ୍ରସଙ୍ଗକୁ ନେଇ ରାସ୍ତାରୋକ୍ ହୋଇଛି, ଗାଡିମଟର ବନ୍ଦ ରହିଛି ଏବଂ ଟାୟାର ଜଳିଛି ।

ବାଲେଶ୍ୱରରରୁ ବଲାଙ୍ଗିର, ସମ୍ବଲପୁରରୁ ଜୟପୁର ସବୁଠି ଚାଷୀ ଆନ୍ଦୋଳନର ପ୍ରଭାବ ପଡ଼ିଛି । କିଛି ସ୍ଥାନରେ ବନ୍ଦର ଆଶିଂକ ପ୍ରଭାବ ପଡ଼ିଛି ସତ, କିନ୍ତୁ ଚାଷୀଙ୍କ ଆନ୍ଦୋଳନକୁ ସଂପୂର୍ଣ୍ଣ ସମର୍ଥନ ମିଳିଛି । ଦୀର୍ଘ ସମୟ ଧରି ଭୁବନେଶ୍ୱର ବରମୁଣ୍ଡା ଏବଂ କଟକ ବାଦାମବାଡ଼ିରେ ବସ୍ ଚଳାଚଳ ବନ୍ଦ ରହିଥିଲା । ଯାହା ଫଳରେ ଅନେକ ଯାତ୍ରୀଙ୍କୁ ହଇରାଣ ହେବାକୁ ପଡ଼ିଛି ।

କୃଷକ ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ସଂଗଠନ ପକ୍ଷରୁ ଦିଆଯାଇଥିବା ବନ୍ଦରେ ସାମିଲ ହୋଇଛି ସାରା ଓଡ଼ିଶା । କିଛି ସ୍ଥାନରେ ଗାଡି ଚଳାଚଳ ସ୍ୱାଭାବିକ ଥିବାବେଳେ ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ବାଲେଶ୍ୱର ଆଦି ଜିଲ୍ଲାରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି । ଚାଷୀଙ୍କୁ ସମର୍ଥନରେ ଅନେକ ରେଳଷ୍ଟେସନରେ ରେଳରୋକ କରାଯାଇଛି ।

ବଡ଼ କଥା ହେଉଛି, ଚାଷୀଙ୍କ ଏହି ଆନ୍ଦୋଳନକୁ କଂଗ୍ରେସ ଓ ବାମପନ୍ଥୀ ଭଳି ଏକାଧିକ ଦଳ ଓଡ଼ିଶାରେ ସମର୍ଥନ ଜଣାଇଛନ୍ତି । ତେବେ ବିଜେପି ଆନ୍ଦୋଳନକୁ ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି ଆକ୍ଷେପ କରିଥିବା ବେଳେ କଂଗ୍ରେସ କହିଛି କଳା ଆଇନକୁ କଡ଼ା ଜବାବ୍ ମିଳିଛି । ଏପଟେ ବିଜେଡି କହିଛି, ଚାଷୀଙ୍କ ସହିତ ଅଛନ୍ତି ରାଜ୍ୟ ସରକାର ।

ଏହି ରାଜନୈତିକ ବୟାନବାଜି ଭିତରେ ସାରା ଦେଶରୁ ଆସିଛି ଭାରତ ବନ୍ଦର ଚିତ୍ର । ଦିଲ୍ଲୀରୁ କୋଲକାତା, ଲକ୍ଷେ୍ନøରୁ ବେଙ୍ଗାଲୁରୁ, ହାଇଦ୍ରାବାଦ, ପାଟନା, ରାୟପୁର ସବୁଠି ପଡିଛି ବନ୍ଦର ପ୍ରଭାବ । ଦିଲ୍ଲୀର ବୁରାରି ଗ୍ରାଉଣ୍ଡରେ ଆନ୍ଦୋଳନରେ ବସିଥିବା କୃଷକମାନେ ସମବେତ ପ୍ରାର୍ଥନା କରି ପ୍ରତିବାଦ ଆରମ୍ଭ କରିଥିବାବେଳେ ଦିଲ୍ଲୀରେ ସିଂଘୁ ସୀମା, ଟିକ୍ରି, ଗାଜିପୁର ସୀମାରେ ଶହ ଶହ ଚାଷୀ ଏକାଠି ହୋଇ ବିକ୍ଷୋଭ କରିଥିଲେ ।