ତାତିରେ ଆଉଟୁପାଉଟୁ ହେଉଛି ଓଡ଼ିଶା । ଅସହ୍ୟ ଗରମ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ, ଗୁଳୁଗୁଳି ଓ ଝାଞ୍ଜିରେ ସିଝୁଛନ୍ତି ଲୋକେ ।

126

କନକ ବ୍ୟୁରୋ : ଜଳୁଛି ପଶ୍ଚିମ ଓଡିଶା । ଗୁଳୁଗୁଳି ଓ ଝାଞ୍ଜିରେ ସିଝୁଛନ୍ତି ଲୋକେ । ଗତ ୨ ଦିନ ହେଲା ତତଲା କଢେଇ ବନିଛି ଆଭ୍ୟନ୍ତରୀଣ ଓଡିଶା । ଟିଟିଲାଗଡର ତାପମାତ୍ରା ୪୫ ଡିଗ୍ରୀ ଛୁଇଁଛି । ଟାଇଁ ଟାଇଁ ଖରାରେ ଲୋକେ ଘରୁ ବାହାରିବା ମଧ୍ୟ ବନ୍ଦ କରିଦେଇଛନ୍ତି । ଫଳରେ ଶୁନଶାନ ହୋଇ ପଡୁଛି ରାସ୍ତାଘାଟ ।

କେବଳ ବଲାଙ୍ଗିର ଜିଲ୍ଲା ନୁହେଁ ସମ୍ବଲପୁର, ତାଳଚେର, ସୋନପୁର ଓ ଝାରସୁଗୁଡାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି । ଅତ୍ୟଧିକ ଆର୍ଦ୍ରତା ଯୋଗୁଁ ସ୍ଥିତି ଅସହ୍ୟ ହୋଇ ପଡିଛି । ଜୟପୁର ସହରରେ ବି ଖରାରେ ଡହଳ ବିକଳ ହୋଇଛନ୍ତି ଜନତା । ଏପଟେ ବାଲେଶ୍ୱରରେ ମଧ୍ୟ ପ୍ରବଳ ଗୁଳୁଗୁଳି ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଲୋକେ । ତାଳଚେରରେ ସର୍ବାଧିକ ତାପମାତ୍ରା ୪୬ ଡିଗ୍ରୀ ସେଲସିୟସ୍ ରହିଥିବା ବେଳେ ଟିଟିଲାଗଡ଼ରେ ୪୫ ଡିଗ୍ରୀ ଓ ଭୁବନେଶ୍ୱରର ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ ରହିଛି ।

ଆସନ୍ତା ଦୁଇ ଦିନ ପାଇଁ ଆଭ୍ୟନ୍ତରୀଣ ଓଡିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ଗବେଷଣା କେନ୍ଦ୍ର । ନବରଙ୍ଗପୁର, ବଲାଙ୍ଗିର, ବୌଦ୍ଧ, ସୋନପୁର ଓ ବରଗଡ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ପରେ ପରେ ପାଗ ମେଘୁଆ ହେବା ସହ ତାତି କମିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ । ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ବାତ୍ୟା ଫନି ଯୋଗୁଁ ରାଜ୍ୟରେ ଆର୍ଦ୍ରତା ବଢି ଯାଇଛି । ଫଳରେ ତାତି ଶହ ଗୁଳୁଗୁଳିରେ ସିଝୁଛନ୍ତି ଲୋକେ ।