ଏଣିକି ନର୍ସ କରାଇବେ ସାଧାରଣ ପ୍ରସବ, ଦିଆଯିବ ଟ୍ରେନିଂ । ଦୁର୍ଗମ ଅଞ୍ଚଳରେ ପ୍ରସବ ବ୍ୟବସ୍ଥା ପାଇଁ ନୂଆ ଯୋଜନା ।

96

କନକ ବ୍ୟୁରୋ : ଦୁର୍ଗମ ଅଞ୍ଚଳରେ ପ୍ରସବ ବ୍ୟବସ୍ଥା ପାଇଁ ଆରମ୍ଭ ହେବ ନୂଆ ଯୋଜନା । ଏଣିକି ନର୍ସ କରାଇବେ ସାଧାରଣ ପ୍ରସବ । ମାତୃ ଓ ଶିଶୁ ମୃତ୍ୟୁ ହାର ରୋକିବା ପାଇଁ ସାଧାରଣ ପ୍ରସବକୁ ବ୍ୟବସ୍ଥିତ କରାଯିବ । ଦୁର୍ଗମ ଅଂଚଳରେ କୌଣସି ଭିତ୍ତିଭୂମି ନଥିବାରୁ ଜଟିଳତା ନଥିଲେ ମଧ୍ୟ ସାଧାରଣ ପ୍ରସବ ହେଲେ ବି ସିଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ବଡ ଡାକ୍ତରଖାନାକୁ ପ୍ରସୂତିଙ୍କୁ ପଠାଇ ଦିଆଯାଉଛି । ଯାହା ଫଳରେ ବଡ ଡାକ୍ତରଖାନାରେ ଚାପ ବଢୁଛି । ଏଣୁ ପ୍ରସବ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ପାଇଁ ଆଗକୁ ନର୍ସ ବି ସାଧାରଣ ପ୍ରସବ କରାଇପାରିବେ । ସେମାନଙ୍କ ସହିତ କୌଣସି ଡାକ୍ତର ରହିବେନି । ଏଥିପାଇଁ କଟକ ବଡ ଡାକ୍ତରଖାନା ସ୍ତ୍ରୀ ରୋଗ ଓ ପ୍ରସୂତି ରୋଗ ବିଭାଗରେ ଆରମ୍ଭ ହେବ ‘ମିଡ ୱାଇଫ’ ନର୍ସିଂ ଟ୍ରେନିଂ ବ୍ୟବସ୍ଥା । ଏଠାରେ ରାଜ୍ୟର ନର୍ସମାନଙ୍କୁ ତାଲିମ ଦିଆଯିବ । ଏଥିପାଇଁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ କମିସନର, ଏନଏଚଏମ ଓ ନର୍ସିଂ ଡାଇରେକ୍ଟରଙ୍କୁ ନେଇ ସିଆରଏମ ଟିମ ଏସସିବି ଗସ୍ତ କରି ଭିତ୍ତିଭୂମି ପରଖିଛି ।

ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଏହି ତାଲିମ ଆରମ୍ଭ ହେବ । ଏସସିବିରେ ବର୍ଷକୁ ପାଖାପାଖି ୧୩ହଜାର ସନ୍ତାନ ପ୍ରସବ ହେଉଥିବା ବେଳେ ସେଥିରୁ ପାଖାପାଖି ୫ହଜାର ହେଉଛି ସାଧାରଣ ପ୍ରସବ । ଯାହାଫଳରେ ଏସସିବି ଉପରେ ଚାପ ବଢୁଛି । ଏହାକୁ ଦୃଷ୍ଟିରେ ରଖି ନର୍ସମାନଙ୍କୁ ତାଲିମ ଦେବା ପାଇଁ କଟକ ବଡ ଡାକ୍ତରଖାନା ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗର ମିଡୱାଇଫ ନର୍ସିଂ ଟ୍ରେନିଂ ବ୍ୟବସ୍ଥା ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଆରମ୍ଭ ହେବ । ଏଥିରେ ନର୍ସମାନଙ୍କୁ ମାନିକୁଇନ, ସ୍କିଲ ଲ୍ୟାବ ଓ ବିଭାଗରେ କେମିତି ପ୍ରସବ କରାଯିବ ସେ ନେଇ ତାଲିମ ଦିଆଯିବ । ଏଥିପାଇଁ ୪ଟି ଲେବର ବେଡ, ୱର୍ମର ଓ ଅନ୍ୟ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି ।