ନର୍ଲା ଦେଖିବ ବଡ଼ ଲଢ଼େଇ? ବିଧାନସଭାରୁ ଲଢ଼ିବେ ଭକ୍ତ ଦାସ ! ଭୂପିନ୍ଦର ଓ ବସନ୍ତଙ୍କ ସହ ହୋଇପାରେ ମୁକାବିଲା

3,247

କନକ ବ୍ୟୁରୋ: ପ୍ରାୟ ୩୯ ବର୍ଷର ବ୍ୟବଧାନ ପରେ ବିଧାନସଭା ମଇଦାନକୁ ଓହ୍ଲାଇ ପାରନ୍ତି ଭକ୍ତ ଦାସ । ନୂଆପଡା ଓ ଖଡିଆଳ କାର୍ୟ୍ୟକ୍ରମରେ ସାମିଲ ହେବା ସମୟରେ ନର୍ଲା ବିଧାନସଭା ଆଡକୁ ଇସାରା କରିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ । କୁହାଯାଉଛି, ନର୍ଲା ବିଧାନସଭାରେ ଏଥର ଦେଖିବାକୁ ମିଳିପାରେ ବଡ ଲଢେଇ । ଶାସକ ଦଳର ବିଧାୟକ ଭୂପିନ୍ଦର ସିଂଙ୍କ ସହ ସିଧାସଳଖ ଟକ୍କର ଦେଇପାରନ୍ତି ଭକ୍ତ । ଆଉ ଏହାରି ଭିତରେ ନର୍ଲା ବିଧାନସଭା ଆସନରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ହୁଏତ ଶେଷ ଥର ପାଇଁ ‘୨୪’ ନିର୍ବାଚନରେ ମୈଦାନକୁ ଓହ୍ଲାଇ ପାରନ୍ତି ଓଡ଼ିଶା କଂଗ୍ରେସ ଟାଣୁଆଁ ନେତା ତଥା କଳାହାଣ୍ଡି କଂଗ୍ରେସ ରାଜନୀତିର ସବୁଠାରୁ ବଡ଼ ଚେହେରା ଭକ୍ତ ଦାସ । କୁହାଯାଉଛି, ଶେଷ ଲଢ଼େଇରେ ଭକ୍ତ ଦାସଙ୍କୁ ଲୋକସଭା ନୁହେଁ ବିଧାନସଭା ଆସନରୁ ମୁକାବିଲା କରିବେ । ଖରିଆରରେ ଆୟୋଜିତ ସଭାରେ ଯୋଗେ ଦେବା ପାଇଁ ଯେତେବେଳେ ଭକ୍ତ ଦାସ ପହଂଚିଥିଲେ, ସ୍ଥାନୀୟ ନେତା ଓ ଦଳୀୟ କର୍ମୀ ତାଙ୍କୁ ବିପୁଳ ସ୍ୱାଗତ କରିଥିଲେ । ଆଉ ଦଳୀୟ କର୍ମୀ ଓ ଜନତାଙ୍କୁ ଉଦ୍ବୋଧନ ଦେବା ସମୟରେ ନର୍ଲା ଆସନରେ ଲଢ଼ିବା ପାଇଁ ଏକାଧିକ ଥର ସଂକେତ ଦେଇଥିଲେ ଭକ୍ତ ଦାସ ।

ଭକ୍ତ ଦାସ ଯଦି ବିଧାନସଭା ଆସନରୁ ନିର୍ବାଚନ ଲଢ଼ନ୍ତି, ତେବେ ଏକ ବଡ଼ ଲଢ଼େଇ ଦେଖିବ ନର୍ଲା ବିଧାନସଭା । କାରଣ, ନର୍ଲା ଆସନରୁ ଏବେ ଶାସକ ବିଜେଡି ଦଳରୁ ଭୂପିନ୍ଦର ସିଂ ବିଧାୟକ ଅଛନ୍ତି । ଆଉ ଚର୍ଚ୍ଚା ହେଉଛି କଳାହାଣ୍ଡିରୁ ସାଂସଦ ଥିବା ବସନ୍ତ ପଣ୍ଡା, ୨୪ ନିର୍ବାଚନରେ ଲୋକସଭ ବଦଳରେ ବିଧାନସଭାରୁ ନିର୍ବାଚନ ଲଢ଼ିବେ । ଏବଂ ବସନ୍ତଙ୍କ ଆଖିରେ ରହିଛି ନର୍ଲା ବିଧାନସଭା ଆସନ । ଯଦି ବସନ୍ତ ପଣ୍ଡା ନର୍ଲା ଆସନରୁ ନିର୍ବାଚନ ଲଢନ୍ତି ତେବେ ଭୂପିନ୍ଦର ସିଂ ବନାମ ଭକ୍ତ ଦାସ ବନାମ ବସନ୍ତ ପଣ୍ଡା, ତ୍ରିମୁଖୀ ଲଢ଼େଇ ହୋଇପାରେ ।

ଯଦିଓ ନର୍ଲା ବିଧାନସଭା ଆସନରେ ପ୍ରଥମରୁ କଂଗ୍ରେସର ଦବଦବା ଥିଲା, କିନ୍ତୁ ୧୯୯୦ ନିର୍ବାଚନ ପରେ ଅଣକଂଗ୍ରେସ ଦଳକୁ ଚାଲିଯାଇଥିଲା ନର୍ଲା ଆସନ । ଶେଷଥର ପାଇଁ ୨୦୦୯ରେ ଭୂପିନ୍ଦର ସିଂ ନର୍ଲା ଆସନରୁ କଂଗ୍ରେସ ଟିକେଟରେ ବିଜୟୀ ହୋଇଥିଲେ । ହେଲେ କଂଗ୍ରେସ ଛାଡ଼ି ଭୂପିନ୍ଦର ବିଜେଡରେ ସାମିଲ ହେବା ପରଠାରୁ ୨୦୧୪ ଓ ୨୦୧୯ରେ ବିଜେଡି ହାତକୁ ଯାଇଛି ନର୍ଲା ଆସନ । ଏଭଳି ସ୍ଥିତିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ଟାଣୁଆ ନେତା ଭକ୍ତ ଦାସଙ୍କ ପାଇଁ ସହଜ ହୋଇନପାରେ ନର୍ଲା ବିଜୟ । ଆଉ ଏହାରି ଭିତରେ ଯଦି ବସନ୍ତ ପଣ୍ଡା ଯଦି ନର୍ଲା ବିଧାନସଭାରୁ ନିର୍ବାଚନ ଲଢ଼ନ୍ତି, ତେବେ କଡ଼ା ଟକ୍କର ଦେଖିବାକୁ ମିଳିବ ।

ଲୋକସଭା ହେଉ ବା ବିଧାନସଭା, ଯେଉଁ ଆସନରୁ ଦଳ ପ୍ରାର୍ଥୀ କରିବ ସେଠୁ ଲଢ଼ିବେ ବୋଲି ଯଦିଓ ବସନ୍ତପଣ୍ଡା ପୂର୍ବରୁ ସ୍ପଷ୍ଟ କରିଛନ୍ତି, ତଥାପି ନର୍ଲାରେ ବସନ୍ତ ପଣ୍ଡା ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।