ଆଜି ଅଭିନେତ୍ରୀ ନୋରା ଫତେହିଙ୍କୁ ହେବ ଜେରା : ସୁକେଶଙ୍କ ଠାରୁ ମିଳିଥିବା ବିଏମଡବ୍ଲ୍ୟୁ କାର୍ ଅଭିଯୋଗରେ ହେବ ପଚରାଉଚରା

121

କନକ ବ୍ୟୁରୋ : ସୁକେଶ ଚନ୍ଦ୍ରଶେଖରର ୨୦୦ କୋଟି ଠକେଇ ମାମଲାରେ ବଲିଉଡ୍ ଅଭିନେତ୍ରୀ ନୋରା ଫତେହୀଙ୍କ ସମସ୍ୟା କମିବାର ନାଁ ନେଉନାହିଁ । ଅର୍ଥନୈତିକ ଅପରାଧିକ ଶାଖା ବା ଇଓଡବ୍ଲ୍ୟୁ ଆଜି ନୋରାଙ୍କୁ ପଚରାଉଚରା କରିବ । ଏଥିପାଇଁ ଇଓଡବ୍ଲ୍ୟୁ ନୋରାଙ୍କୁ ସମନ ଜାରି କରିଥିଲା । ଅନ୍ୟପଟେ ଏହି ମାମଲାର ମୁଖ୍ୟ ଷଡଯନ୍ତ୍ରକାରୀ ପିଙ୍କି ଇରାନୀଙ୍କୁ ଆଜି ପୁଣି ଜେରା କରାଯିବ । ଇଓଡବ୍ଲ୍ୟୁର ସ୍ୱତନ୍ତ୍ର କମିଶନର ରବିନ୍ଦ୍ର ଯାଦବ କହିଛନ୍ତି ଯେ ଉଭୟ ନୋରା ଓ ପିଙ୍କିଙ୍କୁ ଏକାଠି ପଚରାଉଚରା କରାଯିବ ।

ନୋରାଙ୍କୁ ଆଜି ୧୧ଟା ବେଳେ ପଚରାଉଚରା କରାଯିବ । ପୋଲିସ କହିଛି ଯେ ଅନେକ କଥା ସ୍ପଷ୍ଟ ହେବା ଦରକାର । କିନ୍ତୁ ଏହି ମାମଲାରେ ନୋରା ଫତେହି ଓ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ମଧ୍ୟରେ କୌଣସି ସିଧାସଳଖ ସମ୍ପର୍କ ନାହିଁ । ଚଳିତ ମାସ ଆରମ୍ଭରୁ ଇଓଡବ୍ଲ୍ୟୁ ନୋରାଙ୍କୁ ପଚରାଉଚରା କରିଥିଲା । ସୁକେଶ ୨୦୨୦ ଡିସେମ୍ବରରେ ନୋରାଙ୍କୁ ବିଏମଡବ୍ଲ୍ୟୁ କାର ଉପହାର କରିଥିବା ନେଇ ଇଓଡବ୍ଲ୍ୟୁ ଅଭିଯୋଗ କରିଛି । ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ ନୋରା ।

ନୋରାଙ୍କ କହିବା ଅନୁସାରେ, ଏହି କାର୍ ସୁକେଶ ନୁହେଁ, ବରଂ ତାଙ୍କ ପତ୍ନୀ ଲିନା ମାରିଆ ଚେନ୍ନାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦେଇଥିଲେ । ଏହା ପୂର୍ବରୁ ବୁଧବାର ଇଓଡବ୍ଲ୍ୟୁ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ ୮ ଘଣ୍ଟା ଧରି ପଚରାଉଚରା କରିଥିଲା । ଜ୍ୟାକଲିନଙ୍କୁ ସୁକେଶ ଠାରୁ ମିଳିଥିବା ଉପହାର ଓ ଅନ୍ୟ ମାମଲା ଉପରେ ପଚରାଉଚରା କରାଯାଇଥିଲା । ଜ୍ୟାକଲିନ୍ ଓ ସୁକେଶଙ୍କୁ ସାକ୍ଷାତ କରାଇଥିବା ପିଙ୍କି ଇରାନୀଙ୍କୁ ମଧ୍ୟ ପଚରାଉଚରା ପାଇଁ ଡକାଯାଇଥିଲା ।