କନକ ବ୍ୟୁରୋ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ । ଗଙ୍ଗା ନଦୀ ଅପରିଷ୍କାର ହୋଇଥିବା କହି ଯୋଗୀ ଆଦିତ୍ୟନାଥଙ୍କ ଉପରେ ବର୍ଷିଛନ୍ତି । ଅଖିଳେଶ କହିଛନ୍ତି, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଥିପାଇଁ ଗଙ୍ଗା ନଦୀରେ ବୁଡ ପକାଇଲେ ନାହିଁ କାରଣ ସେ ଜାଣିଥିଲେ ଗଙ୍ଗା ନଦୀ ଅପରିଷ୍କାର ହେଲାଣି । ଗଙ୍ଗା ନଦୀର ସଫେଇ ପାଇଁ ବିଜେପି ଶାସିତ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଯୋଗୀ ଆଦିତ୍ୟନାଥ ଜାଣିଛନ୍ତି ଗଙ୍ଗା ନଦୀ ଅପରିଷ୍କାର, ଯେଉଁଥିପାଇଁ ସେ ମୋଦୀଙ୍କ ସହ ଗଙ୍ଗା ନଦୀରେ ବୁଡ ପକାଇଲେ ନାହିଁ ।

Advertisment

ଏହାସହ ଅଖିଳେଶ କହିଛନ୍ତି, ଗଙ୍ଗାନଦୀ କେବେ ସଫା ହେବ । ଏଥିପାଇଁ ତ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି, କିନ୍ତୁ ଏହି ନଦୀ ସଫା ହେଉନି କାହିିଁକି? ଗତକାଲି ପ୍ରଧାନମନ୍ତ୍ରୀ ମୋଦୀ ଲଳିତା ଘାଟ ଯାଇ ଗଙ୍ଗା ନଦୀରେ ବୁଡ ପକାଇଥିଲେ । ଆଉ ସେଠାରୁ ଜଳ ନେଇ କାଶୀ ବିଶ୍ୱନାଥ କରିଡରର ଉଦଘାଟନ ପାଇଁ ପହଞ୍ଚିଥିଲେ । ଏଠାରେ କାଶୀ ବିଶ୍ୱନାଥ କରିଡରର ଉଦଘାଟନ କରିବା ସହ ଜନସଭାକୁ ସମ୍ବୋଧିତ କରିଥିଲେ । ଏହାସହ କାଶୀ ବିଶ୍ୱନାଥ କରିଡର ନିର୍ମାଣ କରିଥିବା କର୍ମଚାରୀଙ୍କ ସହ ମିଶିଥିଲେ । ସେମାନଙ୍କ ସହ ଫଟୋ ଉଠାଇବା ସହ ଖାଇଥିଲେ । ସନ୍ଧ୍ୟାରେ ଦଶାଶ୍ୱମେଧ ଘାଟରେ ଗଙ୍ଗା ଆଳତୀ ଦେଖିଥିଲେ ପ୍ରଧାନମନ୍ତ୍ରୀ ମୋଦୀ ।

ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀ ଗସ୍ତରେ ଯାଇଥିବା ବେଳେ ଅନ୍ୟପଟେ ସମାଜବାଦୀ ପାର୍ଟି ମୁଖିଆ ଅଖିଳେଶ ଯାଦବ ମଧ ମଙ୍ଗଳବାର ଜୋନପୁର ଗସ୍ତରେ ଯାଇଛନ୍ତି । ବାରଣାସୀକୁ ଜୋନପୁର ଲାଗି ରହିଥିବାରୁ ଏବେ ଏଠାରେ ରାଜନୈତିକ ପାରା ଶୀର୍ଷରେ ରହିଛି । ଏବେ ଅଖିଳେଶଙ୍କ ଫୋକସରେ ଜୋନପୁର ରହିଛି । କାରଣ ଏଠାରେ ୯ଟି ବିଧାନସଭା ଆସନ ରହିଥିବା ବେଳେ ୨୦୧୭ ନିର୍ବାଚନରେ ୯ରୁ ୫ଟି ଆସନରେ ବିଜେପି ଓ ଏହାର ସହଯୋଗୀ ଦଳ ବାଜିମାତ୍ କରିଥିବା ବେଳେ ୩ଟି ଆସନରେ ସମାଜବାଦୀ ପାର୍ଟି ବିଜୟ ଲାଭ କରିଥିଲା । ତେଣୁ ଆସନ୍ତା ୨୦୨୨ ବିଧାନସଭା ନିର୍ବାଚନରେ ଜୋନପୁରରେ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି ସମାଜବାଦୀ ପାର୍ଟି ।