ଡାକନା ଡାକନା ଶବ ଶୋଇଛି… ଏଇନା ଏଇନା ମୁର୍ଦ୍ଦାର ପାଲଟିଥିବା ମଣିଷ ମଶାଣୀରେ ମାଟି ଟିକେ ପାଇଁ ସଂଗ୍ରାମ କରୁଛି…

723

କନକ ବ୍ୟୁରୋ: ଡାକନା ଡାକନା ଶବ ଶୋଇଛି… ଏଇନା ଏଇନା ମଣିଷ ମୁର୍ଦ୍ଦାର ପାଲଟିଛି । ଶବ ଶ୍ମଶାନରେ ଜଗିଛି, ମଶାଣୀରେ ଶୋଇ ମାଟି ଟିକେ ଖୋଜୁଛି । ଶେଷ ଠିକଣାରେ ବି ଶବ ସହ ଶବ ପ୍ରତିଯୋଗିତା କରୁଛି । ତୁ ଜଳିବୁ ନା ମୁଁ ? ଜୁଇକୁ ଯିବ କିଏ? ମଲା ପରେ ବି ସଂଗ୍ରାମ କରୁଛି ଶବ । ସତରେ ଏମିତି ଦିନ ଆସିବ ବୋଲି ନା କେବେ ଭାବିଥିଲା ମଣିଷ, ନା ଭାବିଥିବ ମଣିଷରୁ ମୁର୍ଦ୍ଦାର ସାଜିଥିବା ଶରୀର ।

ସଂକ୍ରମିତ ଶବକୁ ଯେଉଁଠି ମଶାଣୀ ମିଳୁନି ସେଠି ବା ଖଇ କଉଡି କେମିତି ମିଳନ୍ତା । ମୃତ୍ୟୁ ପରେ ନା ପରିବାର ଲୋକ ଶବକୁ ଛୁଇଁ ପାରୁଛନ୍ତି ନା କେହି କାନ୍ଧ ଦେଇପାରୁଛନ୍ତି । ଛ ଖଣ୍ଡ କାଠର କୋକେଇ ତ କରୋନା କବଳିତ ଶବ ପାଇଁ ସାତସପନ । ମାନବିକତା ଅଛି ବୋଲି ଏଇ ପିପିଇ କିଟ୍ ପିନ୍ଧା ମଣିଷମାନେ ରାମ ନାମ ସତ୍ୟ ହେ କହି ଜୁଇକୁ ନେଉଛନ୍ତି । ନହେଲେ ଅନେକ ସ୍ଥାନରେ ଅଳିଆଗଦାରେ ବି ଫିଙ୍ଗାଯାଉଛି ଶବ ।

ଦେଶରେ ଦୈନିକ ସଂକ୍ରମଣ ବଢି ଚାଲିଥିବା ବେଳେ ମୃତ୍ୟୁର ଅଙ୍କ ବି ଆଖି ଦେଖାଉଛି । ସାରା ଦେଶର ବିଭିନ୍ନ ରାଜ୍ୟରେ ମୃତ୍ୟୁ ସଂଖ୍ୟା ଦିନକୁ ହଜାର ପାର କରୁଥିବା ବେଳେ ମୃତ୍ୟୁ ପରର ପରିସ୍ଥିତି ପୂରା ଦେଶବାସୀଙ୍କୁ ବିଚଳିତ କରିଛି । ଦେଖନ୍ତୁ ଏ ଦୃଶ୍ୟକୁ କେମିତି ଏକାସାଙ୍ଗରେ ମଶାଣୀରେ ଜଳୁଛି ମାଳ ମାଳ ଜୁଇ । ଆଉ ଜୁଇର ଆଲୁଅରେ ପୂରା ଅଞ୍ଚଳ ଆଲୋକିତ ହେଉଛି । ରାତିର କିଟମିଟ ଅନ୍ଧାର ଚିରି ଚିତାର ନିଆଁ ଖଣ୍ଡମଣ୍ଡଳକୁ ନାଲି କରିଦେଉଛି । ଯାହା ଏକ ଅଭାବନୀୟ ସ୍ଥିତିର ମୁକସାକ୍ଷୀ ସାଜିଛି ।

ଖାଲି ସେତିକି ନୁହେଁ କେଉଁଠି କେଉଁଠି ଜୁଇ ଜଳୁଛି ଯେ ଜଳୁଛି । ଶବ ସରୁନି, ଜୁଇ ଲିଭୁନି । ଭାଟି ପଛେ ତରଳି ଯାଉଛି, କାଠ ସରିଯାଉଛି ହେଲେ ଶବ ଆସିବାର ଅନ୍ତ ହେଉନି । ମାଳ ମାଳ ଶବ, ମୃତ୍ୟୁ ବିଭୀଷିକା, ଶବର ଆର୍ତ୍ତ ଚିକ୍ରାରରେ ଅଣନିଶ୍ୱାସୀ ହେଉଛି ମଣିଷ । କରୋନାର ଏ କରୁଣ କାହାଣୀ ଶୁଣି କମିଯାଉଛି ଆୟୁଷ ।

ସେପଟେ ଶବର ଏଇ ଭିଡ ଭିତରେ ଅକ୍ସିଜେନର ଅଭାବ, ଔଷଧର ଅଭାବ ଆଗାମୀ ଦିନରେ ଭୀଷଣ ସଙ୍କଟର ଭୟ ସୃଷ୍ଟି କରିଛି । ଜୀବନ ପାଇଁ ମଣିଷ ପ୍ରାଣ ମୂର୍ଚ୍ଚା ଉଦ୍ୟମ କରୁଥିଲେ ବି ଏ ମେଡିକାଲରୁ ସେ ମେଡିକାଲ ଧାଇଁ ଧାଇଁ ନୟାନ୍ତ ହେଉଛି । ନିଶ୍ୱାସ ପାଇଁ ଅକ୍ସିଜେନ ନୁହେଁ ବରଂ ନିରାଶ ମିଳୁଛି । ବେଡ୍ ନାହିଁ, ବ୍ୟବସ୍ଥା ନାହିଁ । ଜୀବନକୁ ଯମ ଆଖି ଆଗରୁ ଟାଣି ନେଉଥିଲେ ବି ଉପାୟଶୂନ୍ୟ ମଣିଷ । ଖାଲି ଭଗବାନଙ୍କ ଭରସାରେ ଉପରକୁ ମୁହଁ କରି ପଡି ରହିଛନ୍ତି ଏ ଅସହାୟ ମଣିଷ । ଦିଲ୍ଲୀରର ଏକ ହସ୍ପିଟାଲ ଆଗରୁ ଆସିଥିବା ଏ ଫଟୋକୁ ଦେଖନ୍ତୁ । କେମିତି ଜଣେ ରୋଗୀ ବ୍ୟବସ୍ଥାଠୁ ତଡା ଖାଇବା ପରେ ନିଜ ଖର୍ଚ୍ଚରେ ଅକ୍ସିଜେନ ସିଲିଣ୍ଡର ଲଗାଇ ଅସହାୟ ଅବସ୍ଥାରେ ଅପେକ୍ଷା କରିଛନ୍ତି । ସତରେ ସଙ୍କଟବେଳେ ରୋଗୀଙ୍କ ଏ ଅବସ୍ଥା ବ୍ୟବସ୍ଥାକୁ ପ୍ରଶ୍ନ କରୁଛି । ନେତା ହୋ ତମ ଭାଷାରେ ସିନା ଅକ୍ସିଜେନ ଅଛି, ଔଷଧ ଅଛି, ମହାମାରୀ ସହ ମୁକାବିଲା ଚାଲିଛି… କିନ୍ତୁ ଆମ ଆଖିକୁ ଥରେ ପଚାର, ଅକ୍ସିଜେନ ସିଲିଣ୍ଡରକୁ ପଚାର, ଜୁଇ ଅପେକ୍ଷାରେ ଥିବା ଶବକୁ ପଚାର ଦେଶରେ ସବୁ ଠିକଠାକ ଚାଲିଛି ତ …???