କନକ ବ୍ୟୁରୋ: ଗର୍ଭବତୀ ନଥିଲେ, ତଥାପି ଦିଆଯାଉଥିଲା ଗର୍ଭବତୀଙ୍କ ପାଇଁ ଉଦ୍ଦିଷ୍ଟ ଔଷଧ ଓ ଟିକା । ଆଉ ୭ ମାସ ପରେ ଯେତେବେଳେ ଜାଣିବାକୁ ପାଇଲେ ସେ ଗର୍ଭବତୀ ନୁହନ୍ତି, ସତେ ଯେମିତି ପାଦତଳୁ ମାଟି ଖସିଯାଇଥିଲା । ଏମିତି ଏକ ସମ୍ବେଦନଶୀଳ ଖବର ଆସିଛି ଜଟଣୀ ସ୍ୱାସ୍ଥ୍ୟକେନ୍ଦ୍ରରୁ । ପୀଡ଼ିତ ମହିଳା ଜଣକ ହେଉଛନ୍ତି ଜଟଣୀ ପୌରାଂଚଳ ଗଜପତି ନଗରର ସ୍ୱର୍ଣ୍ଣଲତା ସାହୁ । ବଡ଼ କଥା ହେଉଛି ସ୍ୱର୍ଣ୍ଣଲତା କଥା କହିପାରନ୍ତି ନାହିଁ କି ଶୁଣି ପାରନ୍ତି ନାହିଁ । ଅର୍ଥାତ୍ ସେ ମୁକ ଓ ବଧିର । ସ୍ୱାମୀ ଦିନ ମଜୁରିଆ ହୋଇଥିବାରୁ ଆର୍ଥିକ ଅବସ୍ଥା ମଧ୍ୟ ସେତେ ଭଲ ନାହିଁ । ୭ ମାସ ତଳେ ଯେତେବେଳେ ସ୍ୱର୍ଣ୍ଣଲତାଙ୍କ ଋତୁସ୍ରାବ ନହେବାରୁ ସ୍ୱାସ୍ଥ୍ୟକେନ୍ଦ୍ରର ସହଯୋଗ ଲୋଡ଼ିଥିଲେ । ଆଉ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମୀ ତାଙ୍କୁ ଗର୍ଭବତୀ ଥିବା କହିଥିଲେ । ସେହି ଅନୁସାରେ, ସ୍ୱର୍ଣ୍ଣଲତାଙ୍କୁ ସେବା ପ୍ରଦାନ କରାଯାଇଆସୁଥିଲା । ଆଶା, ଅଙ୍ଗନୱାଡି ପକ୍ଷରୁ ନିୟମିତ ଔଷଧ ପ୍ରଦାନ କରାଯାଉଥିଲା । ଖାଦ୍ୟ ପାଇଁ ଛତୁଆ ଓ ଅଣ୍ଡା ବି ମିଳୁଥିଲା । ହେଲେ କିଛି ଦିନ ତଳେ ତାଙ୍କ ପେଟରେ ଅସହ୍ୟ ଯନ୍ତ୍ରଣା ହୋଇଥିଲ । ଆଉ ଯେତେବେଳେ ତାଙ୍କର ଅଲଟ୍ରା ସାଉଣ୍ଡ ହେଲା, ଜଣାପଡ଼ିଲା ଯେ ପେଟରେ ଛୁଆ ନାହିଁ । ରିପୋର୍ଟ ଦେଖିବା ପରେ ସ୍ୱର୍ଣ୍ଣଲତା ସମେତ ପରିବାର ଲୋକଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିଲା । ଆଉ ଭୁଲ ଚିକିତ୍ସା ଯୋଗୁଁ ମହିଳାଙ୍କ ଶରୀରରେ ନାନାଦି ପାଶ୍ୱର୍ ପ୍ରତିକ୍ରିୟା ଦେଖା ଦେଇଥିଲା । ତେବେ ଏଠି ପ୍ରଶ୍ନ ଉଠୁଛି ଯେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝୁଥିବା ଆଶାକର୍ମୀ ବା ଅଙ୍ଗନୱାଡି କର୍ମୀ ଏତେ ଦାୟିତ୍ୱହୀନ ହେଲେ କେମିତି । ସ୍ୱର୍ଣ୍ଣଲତାଙ୍କ ଅସୁସ୍ଥତା ପାଇଁ ଦାୟୀ କିଏ? ଏହାକୁ ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ । ସେପଟେ ଖୋର୍ଦ୍ଧା ସିଡିଏମଓ ଘଟଣାର ଅନୁସନ୍ଧାନ ପାଇଁ ଜଟଣୀ ସ୍ୱାସ୍ଥ୍ୟ ବିଭାଗକୁ ପଚରାଯିବ ବୋଲି କହିଛନ୍ତି ।