କୋଭିଡ ଟେଷ୍ଟ ଆଳରେ ଗୁରୁତର ରୋଗୀଙ୍କୁ ଅବହେଳା ଅଭିଯୋଗ: ୩ ଘଂଟା ହସ୍ପିଟାଲ ବାରଣ୍ଡାରେ ଛଟପଟ ହେଲେ ଗର୍ଭବତୀ; ଖୋଦ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିବା ଚର୍ଚ୍ଚା

113

କନକ ବ୍ୟୁରୋ: କୋଭିଡ୍ ଟେଷ୍ଟ ଆଳରେ ଗୁରୁତର ରୋଗୀଙ୍କୁ ଅବହେଳା । ତିନି ଘଂଟା ଧରି ହସ୍ପିଟାଲ ବାରଣ୍ଡାରେ ଛଟପଟ ହେଲେ ଗର୍ଭବତୀ । ଝାରସୁଗୁଡ଼ା ଜିଲ୍ଲାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟୟର ଚରମ ସୀମାରେ ପହଂଚି ଯାଇଥିବା ଅଭିଯୋଗ ହୋଇଛି । କୋଭିଡ଼ ଟେଷ୍ଟ ହୋଇନପାରିବାରୁ ଜଣେ ଗର୍ଭବତୀ ହଇରାଣ ହୋଇଥିବା ଜଣାପଡିଛି । ଖୋଦ୍ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏଭଳି ଘଟଣା ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଘଟଣା ମୁଖ୍ୟ ଚିକିତ୍ସାଳୟରେ ହୋଇଥିବା ଅବ୍ୟବସ୍ଥାକୁ ପଦାରେ ପକାଇଛି ।

ବନ୍ଧବାହାଲ ଅଂଚଳରୁ ପ୍ରୀତି କୁମ୍ଭାର ନାମକ ଜଣେ ଗର୍ଭବତୀଙ୍କୁ ପ୍ରସବ କରାଇବା ପାଇଁ ତାଙ୍କ ପରିବାର ଲୋକେ ଆଣିଥିଲେ । ମହିଳା ଜଣଙ୍କ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ତାଙ୍କ ଅବସ୍ଥା ଉଦବେଗଜନକ ଥିଲା । ତାଙ୍କୁ ତୁରନ୍ତ ଚିକିତ୍ସାର ଆବଶ୍ୟକତା ଥିଲା । ମାତ୍ର ହସ୍ପିଟାଲ କର୍ମଚାରୀ ମହିଳାଙ୍କ କୋଭିଡ ଟେଷ୍ଟ ରିପୋର୍ଟ ନେଗେଟିଭ ନଥିଲେ ପ୍ରବେଶ କରାଇ ଦିଆ ଯିବ ନାହିଁ ବୋଲି ଶୁଣାଇ ଚୁପ ହୋଇଯାଇଥିଲେ । ସେହି ସମୟରେ କୋଭିଡ଼ ଟେଷ୍ଟ ପାଇଁ କୌଣସି କର୍ମଚାରୀ ମଧ୍ୟ ଉପସ୍ଥିତ ନଥିଲେ ।

ଯାହା ପାଇଁ ଗର୍ଭବତୀ ମହିଳା ଜଣଙ୍କ ୩ଘଂଟା ଧରି ବାରଣ୍ଡାରେ ପଡ଼ି ରହିଥିଲେ । ଚିକିତ୍ସା ନାମରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗର୍ଭବତୀଙ୍କ ସେବା ଯତ୍ନ କରୁଥିବା କୁହାଯାଇଛି । ମାତ୍ର ଗୁରୁତର ଅବସ୍ଥାରେ ଆସିଥିବା ଜଣେ ଗର୍ଭବତୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ପୂରେଇ ନଦେବା ଘଟଣାକୁ ସବୁ ମହଲରେ ଦୃଢ ନିନ୍ଦା କରାଯାଇଛି ।