କନକ ବ୍ୟୁରୋ: ତାଲାବନ୍ଦ ସମୟରେ କରୋନାର ମୁକାବିଲା ପାଇଁ ସରକାର ସବୁ ଜୋର ଲଗାଇ ଦେଇଥିଲେ । କିନ୍ତୁ ଅନ୍ୟପଟେ କଣ ଘଟୁଥିଲା ତାଉପରେ କାହାର ନଜର ନଥିଲା । କରୋନାରୁ ରକ୍ଷା କରିବା ପାଇଁ ସରକାର ଉଦ୍ୟମ କରୁଥିଲେ, ଏପଟେ କିନ୍ତୁ ପ୍ରତି ଘଂଟାରେ ୨୭ ଜଣ ଲୋକ ପ୍ରାଣ ହରାଉଥିଲେ । ଗୋଟିଏ ମାସରେ ପ୍ରାୟ ୨୦ ହଜାର ୧୪୨ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ଗୋଟିଏ ଦିନର ୬୭୧ ଜଣ ଲୋକଙ୍କ ମୃତ୍ୟୁ ହେଉଥିଲା । କିନ୍ତୁ ଆମେ ଏସବୁକୁ ଅଣଦେଖା କରିଚାଲିଥିଲେ । ଏବଂ କେବଳ କରୋନା ଉପରେ ନଜର ରଖିଥିଲେ । କିନ୍ତୁ କରୋନାରେ ଗତ ୭ ମାସ ଭିତରେ ୧୬ ଶହ ୭୧ ଜଣଙ୍କ ଜୀବନ ଯାଇଛି ।

Advertisment

ପ୍ରାୟ ୪ ମାସ ତଳର ଏହି ଖବର ସେତେବେଳେ ସାରା ଓଡ଼ିଶାକୁ ବିବ୍ରତ କରିଦେଉଥିଲା । କାରଣ, ଯେତେବେଳେ ଓଡ଼ିଶାରେ କରୋନା ସଂକ୍ରମଣ ବଢୁଥିଲା, ଠିକ୍ ସେତେବେଳେ ରାଜ୍ୟର ପ୍ରମୁଖ ହସ୍ପିଟାଲ ଗୁଡ଼ିକର ଓପିଡି ବନ୍ଦ ଥିଲା । ରୋଗୀ ସେବା ପାଇଁ ଲୋକଙ୍କୁ ବେଶ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଥିଲା । ହୁଏତ ଏହି ଘଟଣା ସହ ସଂପୃକ୍ତ ଥିବା ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି ।

୭ ମାସରେ ଯାଇଛି ୧ ଲକ୍ଷ ୪୧ ହଜାର ରୋଗୀଙ୍କ ଜୀବନ । କରୋନା ଠାରୁ ଢ଼େର ଅଧିକ ଜୀବନ ନେଇଛି ଅନ୍ୟାନ୍ୟ ରୋଗ । କରୋନା ସଂକ୍ରମଣ ସମୟରେ କୋଭିଡ୍ ରୋଗ ବ୍ୟତୀତ ଅନ୍ୟାନ୍ୟ ରୋଗରେ କେତେ ଜଣଙ୍କର ମୃତ୍ୟୁ ହୋଇଛି, ଏନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ । ଏପ୍ରିଲରୁ ଅକ୍ଟୋବର ଶେଷ ସୁଦ୍ଧା ଅନ୍ୟାନ୍ୟ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ଜାଣିବାକୁ ଚାହିଁଥିଲେ ଖଣ୍ଡପଡ଼ା ବିଧାୟକ । ଯାହାର ଉତରରେ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇ କହିଛନ୍ତି-

ଏପ୍ରିଲରୁ ଅକ୍ଟୋବର ଶେଷ ସୁଦ୍ଧା ଅନ୍ୟାନ୍ୟ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୧ ହଜାର ୮୭୪ । ସେହିପରି କୋଭିଡ୍ ପରୀକ୍ଷା, ମୁକାବିଲା ଏବଂ ଆକ୍ରାନ୍ତଙ୍କ ମାଗଣା ଚିକିତ୍ସା ବାବଦରେ ଏପର୍ଯ୍ୟନ୍ତ ମୋଟ୍ କେତେ ଟଙ୍କା ଖର୍ଚ୍ଚ ହୋଇଛି ଓ ସେଥିରେ ଘରୋଇ ସଂସ୍ଥା ଗୁଡ଼ିକର ବିଲ୍ କେତେ ବୋଲି ଗୃହରେ ପ୍ରଶ୍ନ କରିଥିଲେ ଖଣ୍ଡପଡ଼ା ବିଧାୟକ । ଉତରରେ ମନ୍ତ୍ରୀ କହିଛନ୍ତି- ବର୍ତମାନ ସୁଦ୍ଧା ୨୩ଟି ଜିଲ୍ଲାରୁ ମିଳିଥିବା ସୂଚନା ଅନୁସାରେ ସରକାରୀ ଓ ବେସରକାରୀ ହସ୍ପିଟାଲରେ ହୋଇଥିବା କୋଭିଡ୍ ପରୀକ୍ଷା ଓ ଏହାର ମୁକାବିଲା ଓ ଆକ୍ରାନ୍ତଙ୍କ ମାଗଣା ଚିକିତ୍ସା ବାଦରେ ୨୨୩ କୋଟି ୮୭ ଲକ୍ଷ ୮୧ ହଜାର ୮୭୬ ଟଙ୍କା ଖର୍ଚ୍ଚ ହୋଇଛି ।

ଏହି ତଥ୍ୟ ଭିତରେ କିନ୍ତୁ ବ୍ୟଥିତ କଲା ଭଳି ଖବର ହେଉଛି, ମାତ୍ର ୭ ମାସରେ ୧ ଲକ୍ଷ ୪୧ ହଜାର ଅନ୍ୟାନ୍ୟ ରୋଗୀଙ୍କ ମୃତ୍ୟୁ ହୋଇଛି । ହୁଏତ ଯାହା, କରୋନା ମହାମାରୀର ପାଶ୍ୱର୍ପ୍ରତିକ୍ରିୟା ବୋଲି ଅନୁମାନ କରାଯାଉଛି । କାରଣ, ଯେତେବେଳେ ତାଲାବନ୍ଦ ହେଲା, ରାସ୍ତାଘାଟ, ଦୋକାନ-ବଜାର ବନ୍ଦ ରହିଲା, ହସ୍ପିଟାଲର ଓପିଡି ବନ୍ଦ ରହିଲା, ଲୋକ ଘରୁ ବାହାରି ପାରିଲେ ନାହିଁ । ଆଉ ଏହି ଘଡିସନ୍ଧି ମୂହୂର୍ତରେ ଅନେକ ଗୁରୁତର ରୋଗୀ ଚିକିତ୍ସା ସେବା ନପାଇ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଥିଲା ।