ବଢ଼ିଲା ଅଲମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କ ସମସ୍ୟା । ସୁଶୀଲଙ୍କବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କଲେ କୋର୍ଟ ।

173

କନକ ବ୍ୟୁରୋ : ଭାରତର ଅଲମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ଛତ୍ରସାଲ ଷ୍ଟାଡିୟମରେ ଆକ୍ରମଣ ଓ ହତ୍ୟା ମାମଲାରେ ସୁଶୀଲ କୁମାରଙ୍କ ବିରୋଧରେ ଦିଲ୍ଲୀର ରୋହିଣୀ କୋର୍ଟ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି । ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତ ଅଲିମ୍ପିକ୍ ପଦକ ବିଜେତା ସୁଶୀଲ କୁମାର ଏବେ ଫେରାର ଅଛନ୍ତି । ମିଳିଥିବା ସୂଚନା ମୁତାବକ ଦିଲ୍ଲୀ ପୁଲିସ ପୂର୍ବରୁ ସୁଶୀଲ କୁମାରଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଥିଲା ।

ପୁଲିସ ସୂଚନାନୁସାରେ, ମଡେଲ ଟାଉନ ଅଞ୍ଚଳରେ ଥିବା ଏକ ଫ୍ଲାଟକୁ ଖାଲି କରିବା ପାଇଁ ମାରପିଟ ହୋଇଥିଲା । ଏହି ମାମଲାରେ ସୁଶୀଲ କୁମାରଙ୍କ ଭୂମିକା ଥିବାବେଳେ ଦିଲ୍ଲୀ ଏନସିଆର ବ୍ୟତୀତ ପଡୋଶୀ ରାଜ୍ୟରେ ସୁଶୀଲ କୁମାରଙ୍କ ସନ୍ଧାନ ଚାଲିଛି । ସୁଶୀଲଙ୍କ ବ୍ୟତୀତ ନଅ ଜଣଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଛି । କୋର୍ଟ କହିଛନ୍ତି ଯେ ଏହା ଏକ ହତ୍ୟା ମାମଲା, ଅଭିଯୁକ୍ତଙ୍କୁ ଧରିବା ଜରୁରୀ ।

ସାଗର ଧନଖର ହତ୍ୟା ମାମଲାରେ ସୁଶୀଲ କୁମାର ଏବଂ ୯ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ପୁଲିସର ସୂଚନାନୁସାରେ, ସୁଶୀଲ, ଅଜୟ, ପ୍ରିନ୍ସ, ସୋନୁ, ସାଗର, ଅମିତ ଏବଂ ଅନ୍ୟମାନଙ୍କ ମଧ୍ୟରେ ପାର୍କିଂ ଅଞ୍ଚଳରେ ମାରପିଟ ହୋଇଥିଲା । ଆଉ ସାଗରଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣାରେ ସୁଶୀଲଙ୍କ ସମେତ ଅନ୍ୟମାନଙ୍କ ନାମରେ ପୁଲିସ ଏକ ମାମଲା ରୁଜୁ କରିଥିଲା । ସୂଚନା ଥାଉ କି କୁସ୍ତିରେ ସେ ୨୦୧୨ ଲଣ୍ଡନ ଅଲମ୍ପିକରେ ରୋପ୍ୟ ଓ ୨୦୦୮ ବେଜିଙ୍ଗ ଅଲମ୍ପିକରେ ବ୍ରୋଞ୍ଚ ପଦକ ଜିତିଥିଲେ ।