ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କ ପାଇଁ ବଢିଲା ଅଡୁଆ, କୋର୍ଟ ଜାରିକଲେ ଜାମିନ ବିହୀନ ପରୱାନା

120

କନକ ବ୍ୟୁରୋ : ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଥାନେର ଏକ କୋର୍ଟ ଏବେ ପରମବୀରଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି । ପୋଲିସ ପକ୍ଷରୁ ବୁଧବାରଦିନ କୋର୍ଟରେ ଆବେଦନ କରି କହିଥିଷଲ କି ସିଂଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଉ, କାରଣ ତାଙ୍କ ଉପରେ ଥିବା ଲାଂଚ ଅଭିଯୋଗ ପରେ ସେ ଫେରାର ହୋଇଯାଇଛନ୍ତି ଓ ନୋଟିସ କରି ପଚରା ଉଚରା ପାଇଁ ଡକାଯାଉଥିଲେ ବି ସେ ହାଜର ହେଉ ନାହାଁନ୍ତି ।

କହିରଖୁ କି ମୁମ୍ବାଇର ବିପିନ ଅଗ୍ରୱାଲ ନାମକ ଜଣେ ବ୍ୟବସାୟୀ ମୁମ୍ବାଇର ଗୋରେଗାଁଓ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ସେ ତାଙ୍କ ଅଭିଯୋଗରେ ପରମବୀର ସିଂ ସମେତ ଏଣ୍ଟେଲିଆ ମାମଲାରେ ଗିରଫ ହୋଇଥିବା ସଚୀନ ବାଜେ ଓ ଛୋଟା ସର୍କିଲ ଗ୍ୟାଙ୍ଗର ଗୁର୍ଗା ରିୟାଜ ମୁମ୍ବାଇର ଅନେକ ବାର ଓ ରେଷ୍ଟୁରାଣ୍ଟରୁ ମାସିକ ଚନ୍ଦା ଆଦାୟ କରୁଥିବା କଥା କହିଥିଲେ ।

ଅନ୍ୟପଟେ ଏସବୁ ମାମଲାରେ ଛନ୍ଦି ହେବା ପରେ ତାଙ୍କୁ ସରକାର ପଦରୁ ହଟାଇ ଦେଇଥିଲେ । ସେ ପଦବୀରୁ ଯିବାର କିଛିଦିନ ପରେ ପରମବୀର ସିଂ ଚଳିତ ବର୍ଷ ଆରମ୍ଭରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଲେଖି କହିଥିଲେ କି ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ତାଙ୍କୁ ଟଙ୍କା ଆଦାୟ କରିବାକୁ କହିଥିଲେ ।