କନକ ବ୍ୟୁରୋ : ରାଷ୍ଟ୍ରୀୟ ଶୋଷିତ ସମାଜବାଦୀ ପାର୍ଟି ମୁଖ୍ୟ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ତାଙ୍କ କନ୍ୟା ସଂଘମିତ୍ରା ମୌର୍ଯ୍ୟଙ୍କ ସମେତ ୫ଜଣଙ୍କ ନାମରେ ଗିରଫ ୱାରେଣ୍ଟ ଜାରି କରାଯାଇଛି । ଠକେଇ, ମାରପିଟ ଓ ହତ୍ୟା ଧମକ ମାମଲାରେ ଲକ୍ଷ୍ନୌ କୋର୍ଟ ଏହି ୱାରେଣ୍ଟ ଜାରି କରିଛି ।
କୋର୍ଟ ସଂପୃକ୍ତ ମାମଲାରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ, ସଂଘମିତ୍ରା ମୌର୍ଯ. ନୀରଜ ତିୱାରୀ,ସୂର୍ଯ୍ୟ କୁମାର ଶୁକ୍ଳା, ଓ ଋତିକ ସିଂଙ୍କ ନାମରେ ୱାରେଣ୍ଟ ଜାରି କରିଛି । ସଂଘମିତ୍ରାଙ୍କ ବିରୋଧରେ ପ୍ରଥମ ସ୍ୱାମୀଙ୍କୁ ଛାଡପତ୍ର ନଦେଇ ଅନ୍ୟଜଣଙ୍କୁ ବିବାହ କରିଥିବା ମାମଲା ରହିଛି । ଏହି ମାମଲାରେ ସଂଘମିତ୍ରା କୋର୍ଟରେ ହାଜର ନ ହେବାରୁ ଏମପି-ଏମଏଲଏ କୋର୍ଟ ତାଙ୍କ ନାମରେ ୱାରେଣ୍ଟ ଜାରି କରିଛି ।
ସଂଘମିତ୍ରାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଦୀପକଙ୍କ ମୁତାବକ ସଂଘମିତ୍ରା ୨୦୧୬ ମସିହାରେ ତାଙ୍କ ସହ ଲିଭ୍ ଇନରେ ରହୁଥିଲେ । ଏହି ସମୟରେ ସଂଘମିତ୍ରା ଓ ତାଙ୍କ ପିତା ସ୍ୱାମୀ ପ୍ରସାଦଙ୍କୁ କହିଥିଲେ କି ସଂଘମିତ୍ରାଙ୍କର ଛାଡପତ୍ର ହୋଇଯାଇଛି । ହେଲେ ୨୦୧୯ ମସିହା ଜାନୁଆରୀ ୩ ତାରିଖରେ ଦୀପକ ଓ ସଂଘମିତ୍ରାଙ୍କ ମଧ୍ୟରେ ବିବାହ ହୋଇଥିଲା । ହେଲେ ୨୦୧୯ ନିର୍ବାଚନ ବେଳେ ଶପଥ ପତ୍ରରେ ସଂଘମିତ୍ରା ଉଲ୍ଲେଖ କରିଥିଲେ କି ସେ ଅବିବାହିତ । ଦୀପକଙ୍କ ମୁତାବକ ସଂଘମିତ୍ରାଙ୍କର ଛାଡପତ୍ର ୨୦୨୧ ରେ ହୋଇଛି ।
ଏସବୁ ଜାଣିବା ପରେ ଦୀପକ ଯେତେବେଳେ ୨୦୨୧ ମସିହାରେ ବିଧିବିଧାନ ସହ ସଂଘମିତ୍ରାଙ୍କ ସହିତ ବିବାହ କରିବାକୁ ପ୍ରସ୍ତାବ ଦେଲେ ସେତେବେଳେ ତାଙ୍କ ଉପରେ ହତ୍ୟା ଉଦ୍ୟମ କରାଯାଇଥିଲା । ଏହି ମାମଲାକୁ ନେଇ କୋର୍ଟ ଏବେ ଉପରଲିଖିତ ୫ ଜଣଙ୍କ ନାମରେ ଗିରଫ ୱାରେଣ୍ଟ ଜାରି କରିଛି ।