ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରିବ ନାମାଙ୍କନ । ଶେଷ ଦିନରେ ବଢିପାରେ ପ୍ରାର୍ଥୀଙ୍କ ସଂଖ୍ୟା

239

କନକ ବ୍ୟୁରୋ: ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ନାମାଙ୍କନ ଦାଖଲ । ଶେଷ ଖବର ସୁଦ୍ଧା ୪ଟି ଲୋକସଭା ଆସନ ପାଇଁ ୨୩ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କଳାହାଣ୍ଡି ଲୋକସଭା ଆସନ ପାଇଁ ୮ ଜଣ ପ୍ରାର୍ଥୀ, ନବରଙ୍ଗପୁର ପାଇଁ ୪ ଜଣ, ବ୍ରହ୍ମପୁର ପାଇଁ ୪ ଜଣ ଓ କୋରାପୁଟ ପାଇଁ ୭ ଜଣ ସାଂସଦ ପ୍ରାର୍ଥୀ ନାମାଙ୍କନ ଭରିଥିବା ସୂଚନା ମିଳିଛି । ଆଜି ନାମାଙ୍କନ ଦାଖଲର ଶେଷ ଦିନ ହୋଇଥିବାରୁ ପ୍ରାର୍ଥୀ ସଂଖ୍ୟା ବଢିବା ସମ୍ଭାବନା ରହିଛି । ପ୍ରଥମ ପର୍ଯ୍ୟାୟରେ ଓଡିଶାର ୪ଟି ଲୋକସଭା ଆସନ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁରରେ ମତଦାନ ହେବ । ଏହି ସବୁ ସଂସଦୀୟ କ୍ଷେତ୍ର ଅଧିନରେ ଥିବା ୨୮ ବିଧାନସଭା ପାଇଁ ମେ ୧୩ ତାରିଖରେ ଭୋଟ ଗ୍ରହଣ କରାଯିବ । ଆଜି ନାମାଙ୍କନ ଦାଖଲର ଶେଷଦିନ ଥିବା ବେଳେ ଆସନ୍ତାକାଲି ନାମାଙ୍କନ ଯାଞ୍ଚ ହେବ । ୨୯ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ ।

ତେବେ ନାମାଙ୍କନ ଦାଖଲ ଅବସରରେ ଶକ୍ତି ପ୍ରଦର୍ଶନ କରିଛି ନବରଙ୍ଗପୁର ବିଜେଡି । ଜିଲ୍ଲାର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀଙ୍କ ସହ ନବରଙ୍ଗପୁର ବିଧାୟିକା ପ୍ରାର୍ଥୀ କୌଶଲ୍ୟା ପ୍ରଧାନୀ, ଡାବୁଗାଁ ବିଧାୟକ ପ୍ରାର୍ଥୀ ମନୋହର ରନ୍ଧାରୀ, ଉମରକୋଟ ବିଧାୟିକା ପ୍ରାର୍ଥୀନୀ ନବିନା ନାୟକ ଓ ଝରିଗାଁ ବିଧାୟକ ପ୍ରାର୍ଥୀ ରମେଶ ମାଝୀ ଏକ ବିଶାଳ ରାଲିରେ ଆସି ନାମାଙ୍କନ ଦାଖଲ କରିଛନ୍ତି । ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାରଘରଣୀଙ୍କ ପୀଠରେ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେବା ପରେ ଶୋଭାଯତ୍ରାରେ ନାମାଙ୍କନ ପାଇଁ ବାହାରିଥିଲେ । ପ୍ରଚଣ୍ଡ ଖରାରେ ହଜାର ହଜାର ସମର୍ଥକଙ୍କ ସହ ଆସି ବିଜେଡିର ୫ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ସେହିପରି ଗଜପତି ଜିଲ୍ଲାର ଉଭୟ ମୋହନା ଓ ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ବୁଧବାର ୫ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ଦଳୀୟ କର୍ମୀ ଓ ସମର୍ଥକଙ୍କ ସହ ଆସି କଂଗ୍ରେସ ପ୍ରାର୍ଥୀ ବିଜୟ ପଟ୍ଟନାୟକ, ବିଜେପି ପ୍ରାର୍ଥୀ କେ ନାରାୟଣ ରାଓ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପାରଳାଖେମୁଣ୍ଡି ଆସନ ପାଇଁ ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ ପକ୍ଷରୁ ନାମାଙ୍କନ ଭରିଛନ୍ତି ପି. ମୂରଲୀ କ୍ରିଷ୍ଣା । ମୋହନା ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗ, ବିଜେପି ପ୍ରାର୍ଥୀ ପ୍ରଶାନ୍ତ ମଲିକ ନାମାଙ୍କନ ଦାଖଲ କରିଛନ୍ତି । ସେପଟେ ଗଞ୍ଜାମ ଜିଲ୍ଲାରେ ଶକ୍ତି ପ୍ରଦର୍ଶନ କରିଛି କଂଗ୍ରେସ । ବ୍ରହ୍ମପୁର ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ରଶ୍ମୀ ରଞ୍ଜନ ପଟ୍ଟନାୟକ ଛତ୍ରପୁରଠାରେ ନାମାଙ୍କନ ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ ପରେ ବ୍ରହ୍ମପୁର ସହରରେ ବିରାଟ ପଟୁଆରରେ ଶୋଭାଯାତ୍ରା କରି ଦମ ଦେଖାଇଛନ୍ତି । ଶୋଭାଯାତ୍ରାରେ କଂଗ୍ରେସର ବହୁ ନେତା ଓ କର୍ମୀମାନେ ସାମିଲ ହୋଇଥିଲେ ।