ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ହେଭିୱେଟଙ୍କ ନାମାଙ୍କନ । ବାଲିକୁଦା ଏରସମା ପାଇଁ ଦାମ ଭରିଲେ ପ୍ରାର୍ଥୀପତ୍ର

ଭଣ୍ଡାରୀପୋଖରୀ ପାଇଁ ନିରଂଜନ ପଟ୍ଟନାୟକ,ବାଲେଶ୍ୱର ଲୋକସଭା ଆସନ ପାଇଁ ନାଁ ଭରିବେ ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଜେନା ଓ କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ

225

କନକ ବ୍ୟୁରୋ: ଜଗତସିଂହପୁର ଜିଲ୍ଲା ବାଲିକୁଦା ଏରସମା ବିଧାନସଭା ଆସନ ପାଇଁ ନାଁ ଭରିଛନ୍ତି ଦାମୋଦର ରାଉତ । ବିଜେଡିରୁ ବହିଷ୍କୃତ ନେତା ଦାମୋଦର ରାଉତ ବିଜେପି ଟିକଟରୁ ବାଲିକୁଦା ଆସନ ପାଇଁ ଲଢେଇ କରୁଛନ୍ତି । ଆଜି ସେ ତାଙ୍କର ଦଳୀୟ କର୍ମୀଙ୍କ ଗହଣରେ ଯାଇ ନାମାଙ୍କନ ଜଗତସିଂହପୁର ଉପଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବାଲିକୁଦାରୁ ବିଜେଡି ଟିକଟରେ ମଇଦାନକୁ ଓହ୍ଲାଇଛନ୍ତି ରଘୁ ନନ୍ଦନ ଦାସ ।

ସେପଟେ, ରଘୁ ମହାନ୍ତିଙ୍କୁ ବସ୍ତାର ବିଜେପି ବିଧାନସଭା ପ୍ରାର୍ଥୀ କରାଯାଇଥିବା ବେଳେ ଆଜି ସେ ନାମାଙ୍କନ ଭରିବେ । ସମର୍ଥକଙ୍କ ସହ ଶୋଭଯାତ୍ରାରେ ବାହାରିଛନ୍ତି ରଘୁ ମହାନ୍ତି । ନିର୍ବାଚନ ଜିତିବା ଏକ ଚ୍ୟାଲେଂଜ । ନାମାଙ୍କନ ପରେ ନିର୍ବାଚନୀ ପ୍ରକିୟାକୁ ଅଧିକ ତ୍ୱରାନିତ କରାଯିବ । ନିଶ୍ଚିତ ଭାବରେ ବାଲେଶ୍ୱର ଜିଲ୍ଳାରେ ବିଜେପି ଭଲ କରିବ ଓ ବିପୁଳ ଭୋଟରେ ଜିତିବ ବୋଲି ରଘୁ ମହାନ୍ତି କହିଛନ୍ତି । ରଘୁ ମହାନ୍ତିଙ୍କୁ ବିଜେଡିରୁ ବସ୍ତା ଟକେଟ ନମିଳିବା ପରେ ସେ ବିଜେପିରେ ଯୋଗଦେଇଥିଲେ ।

ସେହିପରି ବାଲେଶ୍ୱରରେ ବଡ ଲଢେଇ । ବାଲେଶ୍ୱରରେ ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଜେନା ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ । ନାମାଙ୍କନ ପୂର୍ବରୁ ସମର୍ଥକଙ୍କ ସହ ବିରାଟ ଶୋଭଯାତ୍ରାରେ ବାହାରିଛନ୍ତି ରବୀନ୍ଦ୍ର ଜେନା । ଜିଲ୍ଳାପାଳଙ୍କ ଅଫିସ ଯାଇ ରିଟର୍ଣ୍ଣିଂ ଅଫିସର ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିବେ । ବାଲେଶ୍ୱର ଆସନ ପାଇଁ ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଜେନା ହୋଇଥିବା ବେଳେ ବିଜେପି ଟିକେଟରେ ଲଢୁଛନ୍ତି ପ୍ରତାପ ଷଡଙ୍ଗୀ ଓ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ନବଜ୍ୟୋତି ପଟ୍ଟନାୟକ ।

ଦଳୀୟ କର୍ମୀ ଓ ସମର୍ଥକଙ୍କ ଗହଣରେ ତିନି ଜଣ ପ୍ରାର୍ଥୀ ପ୍ରଚାର ଚଳାଇଛନ୍ତି । ନବୀନ ସରକାରଙ୍କ ବିକାଶକୁ ବିଜେଡି ମୁଖ୍ୟ ପ୍ରସଙ୍ଗ କରିଛି । କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ଓ ମୋଦିଙ୍କ ହାୱାକୁ ନେଇ ଭୋଟରଙ୍କ ପାଖକୁ ଯାଉଛନ୍ତି ବିଜେପି ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ । ସେହିପରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ମୁଖ୍ୟ ମୁଦ୍ଦା କରୁଛନ୍ତି କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ । ବାଲେଶ୍ୱରରେ ଚତୁର୍ଥ ପର୍ଯ୍ୟାୟ ଅର୍ଥାତ ଅପ୍ରିଲ ୨୯ରେ ଭୋଟ ଗ୍ରହଣ ହେବ ।

କଂଗ୍ରେସର ଲୋକସଭା ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ମଧ୍ୟ ନାମାଙ୍କନ ଭରିବା ପାଇଁ ବିରାଟ ରାଲିରେ ଯାଉଛନ୍ତି । ସମର୍ଥକଙ୍କ ସହ ବିରାଟ ରାଲିରେ ବାହାରିଛନ୍ତି ନବଜ୍ୟୋତି ପଟ୍ଟନାୟକ । ଜିଲ୍ଳାପାଳଙ୍କ କାର୍ଯ୍ୟାଳୟକୁ ଯାଇ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିବେ । ବାଲେଶ୍ୱର ବାସୀଙ୍କ ଆର୍ଶୀବାଦ ରହିଛି । ତାଙ୍କ ଆର୍ଶୀବାଦରେ ସେ ବିଜୟ ଲାଭ କରିବେ ବୋଲି କହିଛନ୍ତି ।

ବାଲେଶ୍ୱର ଲୋକସଭା ଆସନ ପାଇଁ ଆଜି ନା ଭରିଛନ୍ତି ବିଜେପି ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ । ଦଳୀୟ କର୍ମୀଙ୍କ ସହ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି । ବିଜେପିର ଏହି ବରିଷ୍ଠ ନେତା ବିଜେପି ଟିକଟରୁ ଅନେକ ଥର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । କେତେବେଳେ ସଫଳତା ତ ଆଉ କେତେବେଳେ ବିଫଳତାର ମୁହଁ ଦେଖିିଛନ୍ତି । ୨୦୧୪ ନିର୍ବାଚନରେ ଏହି ବାଲେଶ୍ୱର ଆସନରୁ ଲୋକସଭା ପ୍ରାର୍ଥୀ ଭାବେ ଲଢି ସାଂସଦ ରବିନ୍ଦ୍ର ଜେନାଙ୍କ ଠାରୁ ପରାସ୍ତ ହୋଇଥିଲେ । ଏଥର ମଧ୍ୟ ପ୍ରତପ ଷଡଙ୍ଗୀ ଓ ରବିନ୍ଦ୍ର ଜେନାଙ୍କ ମଧ୍ୟରେ କଡା ଟକର ଦେଖିବାକୁ ମିଳିବ । ପ୍ରତାର ଓ ରବିନ୍ଦ୍ରଙ୍କୁ ମାତ ଦେବା ପାଇଁ କଂଗ୍ରେସ ପିସିସି ସଭାପତିଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି ।