ସରିଲା କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ: ରେସରେ ଶଶି ଥରୁର, ମଲ୍ଲିକାର୍ଜୁନ ଖଡଗେ ଓ କେଏନ ତ୍ରିପାଠୀ

102

କନକ ବ୍ୟୁରୋ: ଦୀର୍ଘ ୨୦ ବର୍ଷ ପରେ ହେବାକୁ ଯାଉଛି କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ । ଦୁଇ ଦଶନ୍ଧୀ ପରେ କଂଗ୍ରେସର ମୁଖିଆ ହେବେ ଜଣେ ଅଣ ଗାନ୍ଧି ନେତା । ହେଲେ ଏଥିପାଇଁ ଗତ କିଛି ଦିନ ଧରି ଏହି ବହୁ ପୂରାତନ ଦଳରେ ଦେଖିବାକୁ ମିଳୁଛି ହାଇ ଭୋଲଟେଜ୍ ଡ୍ରାମା । ଏହାରି ଭିତରେ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ଶେଷ ହୋଇଛି ନାମାଙ୍କନ ପତ୍ର ଦାଖଲ ।

ହାଇଭୋଲଟେଜ ଡ୍ରାମା ଭିତରେ ଶେଷ ହୋଇଛି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ । କଂଗ୍ରେସର ଦୁଇ ପ୍ରମୁଖ ଚେହେରା ମଲ୍ଲିକାର୍ଜୁନ ଖଡଗେ ଓ ଶଶି ଥରୁର ଶୁକ୍ରବାର ନିଜ ନିଜ ନାମାଙ୍କନ ପତ୍ର ଭରିଛନ୍ତି । ଏଆଇସିସି ମୁଖ୍ୟାଳୟକୁ ଯାଇ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଶଶି ଥରୁର । ଏହାପରେ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଏଆଇସିସି କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଶୁକ୍ରବାର ନାମାଙ୍କନ ଦାଖଲ ସମୟରେ କଂଗ୍ରେସର ପ୍ରାୟ ୩୦ଜଣ ବରିଷ୍ଠ ନେତା ପହଁଚିଥିଲେ । ନାମାଙ୍କନ ଦାଖଲ ପରେ ଶଶି ଥରୁର ପ୍ରତିକ୍ରିୟା ରଖିଛନ୍ତି ।

ସେପଟେ ଶେଷ ମୁହୁର୍ତରେ ଯେଉଁଭଳି ଭାବରେ ଦିଗବିଜୟ ସିଂ ନିର୍ବାଚନ ରେସରୁ ଓହରିଲେ ଓ ମଲ୍ଲିକାର୍ଜୁନ ଖଡଗେଙ୍କ ଏଟ୍ରିଂ ହେଲା, ତାହା ବେଶ ରୋଚକ ଥିଲା । ଗାନ୍ଧି ପରିବାରର ବେଶ ନିକଟତର ଥିବା ତଥା କଂଗ୍ରେସ ବିଚାରଧାରାକୁ ନିଜର ବିଚାରଧାରା କହି ଆସୁଥିବା ମଲ୍ଲିକାର୍ଜୁନ ଖଡଗେଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ନାମାଙ୍କନ ଦାଖଲ କରି ଖଡଗେ କହିଛନ୍ତି ତାଙ୍କୁ ଦଳୀୟ କର୍ମଚାରୀ ସମର୍ଥନ ଓ ପ୍ରୋତ୍ସାହନ ମିଳିବା ପରେ ସେ ନିର୍ବାଚନ ରେସରେ ସାମିଲ ହୋଇଛନ୍ତି ।

ଗୁରୁବାର ପର୍ଯ୍ୟନ୍ତ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଶଶି ଥରୁର, ଦିଗବିଜୟ ସିଂଙ୍କ ନା ପ୍ରାୟତଃ ସ୍ଥିର ହୋଇସାରିଥିଲା । ହେଲେ ଶୁକ୍ରବାର ସକାଳୁ ବଦଳିଯାଇଛି ଚିତ୍ର । ନିର୍ବାଚନ ରେସରୁ ହଠାତ ଦିଗବିଜୟ ସିଂହ ଓହରି ଯାଇଛନ୍ତି । ଦଳର ଅନ୍ୟତମ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ଏଟ୍ରିଂ ହୋଇଛି । ସବୁଠାରୁ ବଡ କଥା ହେଉଛି ମଲ୍ଲିକାର୍ଜୁନଙ୍କ ପାଇଁ ପ୍ରସ୍ତାବକ ହୋଇଛନ୍ତି ଦିଗବିଜୟ । ଯାହା କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ଆହୁରି ନାଟକୀୟ କରିଛି ।

ରାଜସ୍ଥାନ ପ୍ରଦେଶ କଂଗ୍ରେସରୁ ଆରମ୍ଭ ହୋଇଥିବା ହାଇଭୋଲଟେଜ ବିବାଦର ସମାଧାନ ଦିଲ୍ଲୀ ଦରବାରରେ ହୋଇଥିଲା । ନିର୍ବାଚନ ରେସରେ ସବୁଠୁ ବଡ ଦାବିଦାର କୁହାଯାଉଥିବା ଅଶୋକ ଗେହଟଲଙ୍କ ଡବଲ ଗେମ ଭାରି ପଡିଥିଲା । ଗାନ୍ଧି ପରିବାର ପାଇଁ ସବୁଠାରୁ ଫିଟ୍ ପ୍ରାର୍ଥୀ କୁହାଯାଉଥିବା ଅଶୋକ ଗେହଲଟ୍ ମଧ୍ୟ ଏହି ଦୌଡ଼ରୁ ଓହରି ଯାଇଛନ୍ତି । ବାସ୍ତବରେ ଗେହଲଟ୍ ରାଜସ୍ଥାନ ଛାଡ଼ିବାକୁ ଚାହୁଁନଥିଲେ ଏବଂ ଯଦି ସେ ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଥାନ୍ତେ ତେବେ ମୁଖ୍ୟମନ୍ତ୍ରୀ ପଦ ତାଙ୍କୁ ଛାଡିବାକୁ ପଡିଥାନ୍ତା ।

ଗାନ୍ଧି ପରିବାରର ପ୍ରମୁଖ ସମର୍ଥକଙ୍କ ମଧ୍ୟରେ ଖଡଗେଙ୍କ ନାଁ ସବୁଠୁ ଆଗରେ ରହିଛି । ଶ୍ରମିକ ଆନ୍ଦୋଳନରୁ ନେତା । ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଖଡଗେ । ପରେ ଦେଶର ସବୁଠୁ ପୁରୁଣା ଦଳ କଂଗ୍ରେସରେ ମଧ୍ୟ ତାଙ୍କର ଦବଦବା ବେଶ ଅଧିକ ରହିଛି । ଆଉ ସବୁଠାରୁ ବଡକଥା ହେଉଛି ଗାନ୍ଧି ଜି-୨୩ ସଦସ୍ୟମାନେ ମଧ୍ୟ ଖଡଗେଙ୍କୁ ନିଜ ସମର୍ଥନ ଦେବା ନେଇ ସୂଚନା ମିଳିଛି । ତେଣୁ ଚର୍ଚ୍ଚା ହେଉଛି କି ହୁଏତ ନିର୍ବାଚନରେ ଥରୁରଙ୍କୁ ପଛରେ ପକାଇ ଖଡଗେଙ୍କୁ ମିଳିପାରେ କଂଗ୍ରେସର ମୁଖିଆ ପଦ ।