କନକ ବ୍ୟୁରୋ : ପଂଚାୟତ ନିର୍ବାଚନ ସରୁ ସରୁ ପୌର ଏବଂ ମହାନଗର ନିଗମ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । କିଏ ହେବେ ପ୍ରାର୍ଥୀ ସେ ନେଇ ଏବେ ଅଙ୍କକଷା ଚାଲିଛି । ମହାନଗର ନିଗମ ନିର୍ବାଚନରେ ବିରୋଧୀ କେତେ ପ୍ରଭାବ ଦେଖାଇପାରିବ ତାହା କହିବା ବହୁତ ମୁସକିଲ । କାରଣ ଭୁବନେଶ୍ୱର ଉପକଣ୍ଠରେ ହୋଇଥିବା ପଂଚାୟତ ନିର୍ବାଚନରେ ବିଜେପି ନେତ୍ରୀ ତଥା ସାଂସଦ ଅପରାଜିତା ଷଡଙ୍ଗୀ, କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ରଣନୀତି ଫେଲ୍ ମାରିଛି । ଆଉ ଶାସକ ବିଜେଡି ବାଜିମାତ କରିଛି । ତେଣୁ ପଂଚାୟତ ନିର୍ବାଚନର ସଫଳତାକୁ ପୌର ଏବଂ ମହାନଗର ନିଗମ ନିର୍ବାଚନରେ ବିଜେଡି ଦୋହରାଇବାକୁ ଲକ୍ଷ୍ୟ ରଖିଛି । ଆସନ୍ତାକାଲି ପାଖରୁ କର୍ପୋରେଟର ଓ ମେୟର ପଦ ଲାଗି ସ୍ଥାନୀୟ ଏଡିଏମ ଅଫିସରେ ନାମାଙ୍କନ ପତ୍ର ଦାଖଲ ହେବ । ୭ ତାରିଖ ଯାଏ ଅର୍ଥାତ ୬ ଦିନ ଧରି ଏହି ପ୍ରକ୍ରିୟା ଚାଲିବ ।

Advertisment

ରବିବାର ରାତିରେ ୱାର୍ଡ ନମ୍ବର ୨୯ରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ନେତୃତ୍ବରେ ପ୍ରାୟ ୩ଶହ ଲୋକ ଏକାଠି ହୋଇଥିଲେ । ମହାରାଜା ସିନେମା ହଲ୍‌ ନିକଟରେ ରାଜପଥକୁ ଲାଗି ପ୍ରାୟ ୧୫ଟି ପରିବାର ରହୁଛନ୍ତି । ମାତ୍ର ସେମାନଙ୍କ ପାଇଁ ଶୌଚାଳୟ ନାହିଁ । ତେଣୁ ସେମାନଙ୍କୁ ଶୌଚାଳୟ ଦେବା ପାଇଁ ବିଜେପି ପ୍ରତିଶ୍ରୁତି ଦେଇଛି । ବିଜେଡିର ସେକ୍‌ ନିଜାମୁଦ୍ଦିନ୍‌ ଏଠାରେ ପୂର୍ବରୁ କର୍ପୋରେଟର ରହିଛନ୍ତି । ତାଙ୍କୁ ମାତ୍‌ ଦେବା ପାଇଁ ବିଜେପି ଏଭଳି ଅନ୍ଧାରୀ ବିଜେ କରିଥିବା‌ କୁହାଯାଉଛି। ବର୍ଷ ବର୍ଷ ଧରି ପୂରଣ ହୋଇନଥିବା ସମସ୍ୟାକୁ ଟାର୍ଗେଟ କରି ଲୋକଙ୍କ ପାଖରେ ପହଞ୍ଚିବାକୁ ଯୋଜନା ହୋଇଥିବା ଏଠାରୁ ବିଜେପି ଆଶାୟୀ ଥିବା ଜୀବନ ରାଉତ କହିଛନ୍ତି ।

ସେହିଭଳି ୧୫ ନମ୍ବର ୱାର୍ଡରେ ଏକାମ୍ର ପାର୍କ ନିକଟରେ ଏକ ବୈଠକ ବସିଥିଲା । ଯାହାର ନେତୃତ୍ବ ନେଇଥିଲେ ଗତ ନିର୍ବାଚନରେ ଏହି ୱାର୍ଡର ବିଜେଡି କର୍ପୋରେଟର ପ୍ରାର୍ଥୀ ଅଶୋକ ରାଜ୍‌ । ମାତ୍ର ୭୦ ଖଣ୍ଡ ଭୋଟ୍‌ରେ ତାଙ୍କୁ ପରାଜିତ କରି ସ୍ବାଧୀନ ପ୍ରାର୍ଥୀ ସମୀର ପ୍ରଧାନ ବିଜୟ ଲାଭ କରିଥିଲେ । ଯଦିଓ ପରବର୍ତ୍ତୀ ସମୟରେ ସେ ବିଜେଡିରେ ଯୋଗ ଦେଇଥିଲେ । ଏବେ ଏହି ୱାର୍ଡ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ସମୀର ପ୍ରଧାନ ନିଜ ସମ୍ପର୍କୀୟଙ୍କ ପାଇଁ ଟିକେଟ୍‌ ଲବିରେ ରହିଥିବା ବେଳେ ଆଜି ଅଶୋକ ମଧ୍ୟ ଶତାଧିକ କର୍ମୀଙ୍କୁ ଏହି ବୈଠକରେ ଏକାଠି କରି ଶକ୍ତି ପ୍ରଦର୍ଶନ କରିଛନ୍ତି । ସେ ତାଙ୍କ ପତ୍ନୀ ପିଙ୍କି ସ୍ବାଇଁଙ୍କ ପାଇଁ ଟିକେଟ୍‌ ଲବିରେ ରହିଛନ୍ତି । ଏଣୁ ଆଜିର ଏହି ବୈଠକ ଏଠାରେ ଟିକେଟ୍‌ ବଣ୍ଟା ପ୍ରକ୍ରିୟାକୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା କରାଯାଉଛି ।