ନାମାଙ୍କନ ପାଇଁ ଆଶାୟୀ ପ୍ରାର୍ଥୀଙ୍କୁ ଦ୍ୱିତୀୟ ସୁଯୋଗ । ଜାଣନ୍ତୁ କେଉଁ ମାନଙ୍କୁ ମିଳିବ ଏଭଳି ସୁଯୋଗ? 

1,606

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନରେ ନାମାଙ୍କନପତ୍ର ଦାଖଲ ହୋଇନଥିବା ଓ ନାକଚ ହୋଇଥିବା ସ୍ଥାନରେ ପ୍ରାର୍ଥୀଙ୍କୁ ଦ୍ୱିତୀୟ ଥର ପାଇଁ ସୁଯୋଗ ମିଳିବ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ । ରାଜ୍ୟର ୪ ହଜାରରୁ ଅଧିକ ସ୍ଥାନରେ ନାମାଙ୍କନ ଦାଖଲ କରିନାହାନ୍ତି ୱାର୍ଡମେମ୍ବର ପ୍ରାର୍ଥୀ  । ତେଣୁ ସେମାନଙ୍କୁ ପୁଣିଥରେ ନାମାଙ୍କନପତ୍ର ଦାଖଲ କରିବାକୁ ସୁଯୋଗ ଦିଆଯାଇଛି । କେତେକ ସ୍ଥାନରେ ସରପଞ୍ଚ ଓ ସମିତି ସଭ୍ୟ ପଦ ପାଇଁ ମଧ୍ୟ ନାମାଙ୍କନପତ୍ର ଦାଖଲ ହୋଇନାହିଁ କିମ୍ବା ନାକଚ ହୋଇଛି । ତେଣୁ ଏହି ସ୍ଥାନରେ ମଧ୍ୟ ପ୍ରାର୍ଥୀଙ୍କୁ ପୁଣିଥରେ ନାମାଙ୍କନ ପାଇଁ ସୁଯୋଗ ମିଳିବ ।

ଆସନ୍ତା ୨୭ ତାରିଖରେ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ  । ୨୯ରୁ ୩୧ ତାରିଖ ମଧ୍ୟ ନାମାଙ୍କନପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ଫେବ୍ରୁଆରୀ ୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ୪ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ସେହିଦିନ ସନ୍ଧ୍ୟାରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହେବ । ତେବେ ଏହାପରେ ମଧ୍ୟ ଯଦି କୌଣସି ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ ନ କରନ୍ତି ତେବେ ଆଉ ସୁଯୋଗ ମିଳିବ ନାହିଁ । ସରକାରଙ୍କ ଏଠାରେ ସିଲେକ୍ସନ ମାଧ୍ୟମରେ ସ୍ଥାନୀୟ ଜନପ୍ରତିନିଧି ବାଛିବେ ।

ଚଳିତ ପଞ୍ଚାୟତ ନିର୍ବାଚନରେ ଅନେକ ସ୍ଥାନରେ ପ୍ରାର୍ଥୀଙ୍କର ନାମାଙ୍କନପତ୍ର ନାକଚ ହୋଇଥିବା ବେଳେ କିଛି ସ୍ଥାନରେ ବିଭିନ୍ନ କାରଣରୁ ନାମାଙ୍କନପତ୍ର ଦାଖଲ କରିନାହାନ୍ତି ପ୍ରାର୍ଥୀ । ତେଣୁ ନିର୍ବାଚନକୁ ସ୍ୱଚ୍ଛ କରିବାକୁ ପୁଣିଥରେ ପ୍ରାର୍ଥୀଙ୍କୁ ସୁଯୋଗ ଦିଆଯାଇଛି ।