ରାଜ୍ୟସଭା ରେସ : ଆସନ୍ତାକାଲି ଠାରୁ ନାମାଙ୍କନ ଆରମ୍ଭ, କାହାକୁ ବାଛିବେ ନବୀନ?

211

କନକ ବ୍ୟୁରୋ : ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ରାଜନୀତି ତାତି ବଢୁଥିବା ବେଳେ ଏହାକୁ ଆହୁରି ସରଗରମ କରୁଛି ରାଜ୍ୟସଭା ନିର୍ବାଚନ । କାରଣ ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେବ ନାମାଙ୍କନ । ୩ ଆସନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ଫାଙ୍କା ହେବାକୁ ଥିବା ୩ ଆସନ ପୁଣିଥରେ ବିଜେଡି ଖାତାକୁ ଯିବା ଏକପ୍ରକାର ନିଶ୍ଚିତ । କାରଣ ସଂଖ୍ୟା ଦୃଷ୍ଟିରୁ ୩ ଆସନ ବିଜେଡି କ୍ୟାମ୍ପକୁ ଆସିବ । କିନ୍ତୁ ଏହି ୩ ଆସନରେ ନବୀନ କାହାକୁ ରାଜ୍ୟସଭା ପଠାଇବେ ତାହା ଉପରେ ସମସ୍ତଙ୍କର ନଜର ରହିଛି । ଏଯାଏଁ ନବୀନ ରାଜ୍ୟସଭା କାର୍ଡ ଖୋଲିନଥିବା ବେଳେ ଆଶାୟୀ ନେତା ଏବେ ବି ସସପେନ୍ସରେ ରହିଛନ୍ତି ।

ତେବେ ରାଜ୍ୟସଭା ନିର୍ବାଚନକୁ ନେଇ ଦଳୀୟ ବିଧାୟକ ପ୍ରତାପ ଦେବ କହିଛନ୍ତି, ସଠିକ ସମୟରେ ପ୍ରାର୍ଥୀ ଚୟନ ହେବ ଏବଂ ନାମାଙ୍କନ ଭରିବେ ପ୍ରାର୍ଥୀ । ଏନେଇ ମୁଖ୍ୟମନ୍ତ୍ରୀ ସଠିକ୍ ସମୟରେ ନିଷ୍ପତ୍ତି ନେବେ । ଦଳର ମୁଖିଆ ଭାବେ ତାଙ୍କ ନିକଟରେ ପ୍ରାର୍ଥୀ ଚୟନ କ୍ଷମତା ରହିଛି । ପୂର୍ବରୁ ମଧ୍ୟ ସଠିକ ସମୟରେ ସଠିକ ନିଷ୍ପତ୍ତି ନେଇଛନ୍ତି ନବୀନ । ତେଣୁ ଚଳିତଥର ମଧ୍ୟ କିଛି ନେତାଙ୍କୁ ପରାମର୍ଶ କରି ସେ ନିଷ୍ପତ୍ତି ନେବେ ।

ଅନ୍ୟପଟେ ଦଳର ବରିଷ୍ଠ ବିଧାୟିକା ଉଷା ଦେବୀ କହିଛନ୍ତି ରାଜ୍ୟସଭା ନିର୍ବାଚନରେ ମହିଳାଙ୍କୁ ମିଳିବ ଗୁରୁତ୍ୱ । ପଞ୍ଚାୟତ ନିର୍ବାଚନରେ ମହିଳାଙ୍କୁ ଦଳ ଗୁରୁତ୍ୱ ଦେଇଥିଲା । ଅନେକ ସ୍ଥାନରେ ଦଳ ମହିଳାଙ୍କୁ ପ୍ରାର୍ଥୀ କରିଥିଲା । ଏପରିକି ଅଧିକାଂଶ ପଞ୍ଚାୟତ ସମିତି ଓ ପୌରପାଳିକାର ଅଧ୍ୟକ୍ଷ ଦାୟିତ୍ୱ ମହିଳାଙ୍କ ହାତକୁ ଦେଇଥିଲେ ନବୀନ । ତେଣୁ ରାଜ୍ୟସଭାକୁ ଜଣେ ନୁହେଁ ୩ ଆସନରେ ୩ ମହିଳାଙ୍କୁ ଯଦି ମୁଖ୍ୟମନ୍ତ୍ରୀ ପଠାନ୍ତି ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଆମେ ମଧ୍ୟ ଚାହୁଁଛୁ ନବୀନ ମହିଳାଙ୍କ ନାଁରେ ମୋହର ମାରନ୍ତୁ । ଏସବୁ ଭିତରେ ନବୀନ କାହାକୁ ବାଛିବେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।