କନକ ବ୍ୟୁରୋ : ମୋବାଇଲ ଉପକରଣ ସହ ବିଭିନ୍ନ ଦୂର ସଂଚାର ଉପକରଣ ପ୍ରସ୍ତୁତ କରୁଥିବା ନୋକିଆ ଗ୍ରୁପ ୧୪ ହଜାର କର୍ମଚାରୀଙ୍କୁ ଛଟେଇ କରିପାରେ । ନୋକିଆ ତରଫରୁ କୁହାଯାଇଛି ଯେ ଆମେରିକା ଭଳି ବଜାରରେ ୫ଜି ଉପକରଣ ବିକ୍ରି ହ୍ରାସ ପାଉଛି । ଗତ ୩ ମାସ ମଧ୍ୟରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ଉପକରଣ ବିକ୍ରି କମ୍ ହୋଇଛି । ଏହି କାରଣରୁ କମ୍ପାନୀ ବିନିଯୋଗ କମ୍ କରିବା ଉର୍ଦ୍ଦେଶ୍ୟରେ ୧୪ ହଜାର କର୍ମଚାରୀଙ୍କୁ ଛଟେଇ କରିବା ନେଇ ଯୋଜନା ପ୍ରସ୍ତୁତ କରୁଛି ବୋଲି କୁହାଯାଇଛି ।

Advertisment

ଗଣମାଧ୍ୟମର ରିପୋର୍ଟ ମୁତାବକ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରି କମ୍ପାନୀ ୨୦୨୬ ମଧ୍ୟରେ ୮୦୦ ମିଲିୟନ ୟୁରୋ ରୁ ୧.୨ ମିଲିୟନ ୟୁରୋ କମ୍ କରିବାକୁ ଯୋଜନା କରୁଛି । କମ୍ପାନୀ ୨୦୨୬ ମଧ୍ୟରେ ନିଜର ଅପରେଟିଂ ମାର୍ଜିନ ଅତି କମରେ ୧୪ ପ୍ରତିଶତ ମଧ୍ୟରେ ରଖିବାକୁ ଚେଷ୍ଟା କରୁଛି ।

ଏବେ ନୋକିଆ ଗ୍ରୁପରେ ମୋଟ ୮୬ ହଜାର କର୍ମଚାରୀ କାମ କରୁଛନ୍ତି । ଆଗାମୀ ଦିନରେ ଏହାର ସଂଖ୍ୟା ୭୨ ହଜାରରୁ ୭୭ ହଜାର ମଧ୍ୟରେ ରଖିବାକୁ କମ୍ପାନୀ ଯୋଜନା ପ୍ରସ୍ତୁତ କରୁଛି । ନିକଟ ଅତୀତରେ ନୋକିଆ ଆଶାଠାରୁ କମ୍ ଆୟ ରେକର୍ଡ କରିଛି । ତୃତୀୟ ତ୍ରୟମାସରେ କମ୍ପାନୀର ପରିଚାଳନା ଲାଭ ୪୬୭ ନିୟୁତ ଡଲାର ଥିଲା । ବିଶ୍ଳେଷକଙ୍କ ଆକଳନ ମୁତାବକ ସେୟାର ପିଛା ଆୟ ୭ ସେଣ୍ଟ ରୁ ହ୍ରାସ ପାଇ ୫ ସେଣ୍ଟରେ ପହଂଚିଛି ।

କମ୍ପାନୀ ତରଫରୁ କୁହାଯାଇଛି ଭାରତ ଭଳି ବଜାରରେ ୫ଜି ନିୟୋଜନ ଗତିରେ ମାନ୍ଦାବସ୍ଥା ଯୋଗୁଁ ତୃତୀୟ ତ୍ରୟମାସରେ ମୋବାଇଲ ନେଟୱର୍କ ବକ୍ରି ପୂର୍ବ ବର୍ଷ ତୁଳନାରେ ୧୯ ପ୍ରତିଶତ ହ୍ରାସ ପାଇଛି । କମ୍ପାନୀର ସିଇଓ ପେକ୍କା ଲୁଣ୍ଡମାର୍କ କହିଛନ୍ତି ‘ଆମେ ଆମ ବଜାରର ମଧ୍ୟମରୁ ଦୀର୍ଘକାଳୀନ ଆକର୍ଷଣ ଉପରେ ବିଶ୍ୱାସ ଜାରି ରଖିଛୁ’