ସାଇବର ଠକଙ୍କ ନୂଆ ଚାଲ୍ । ନିଜକୁ ପୋଲିସ କହି ଡରାଇଲେ, ଡିଜିଟାଲ୍ ଆରେଷ୍ଟ କରି ମହିଳାଙ୍କଠୁ ୧.୩୦ କୋଟି ଲୁଟିନେଲେ

309

କନକ ବ୍ୟୁରୋ : ଯେତେ ସତର୍କ ରହିଲେ ବି ସାଇବର ଲୁଟେରା ପ୍ରତିଦିନ କାହାକୁନା କାହାକୁ ତାଙ୍କ ଜାଲରେ ଫସାଉଛନ୍ତି । ପ୍ରତିଦିନ ନୂଆ ନୂଆ ତରିକା ଆପଣାଇ ଲୋକଙ୍କଠୁ ଟଙ୍କା ଲୁଟୁଛନ୍ତି । ଠିକ୍ ସେହିଭଳି ସାଇବର ଠକାମୀର ଏକ ନୂୂଆ ଘଟଣା ଆଜି ସାମ୍ନାକୁ ଆସିଛି । ଏଠି କୌଣସି ଯୁବକ କି ଯୁବତୀଙ୍କୁ ଟାର୍ଗେଟ୍ କରିନି ସାଇବର ଠକ । ଜଣେ ୭୩ ବର୍ଷିୟା ବୟଷ୍କ ମହିଳାଙ୍କୁ ଜାଲରେ ଫସାଇଛି ସାଇବର ଠକ । ବୟଷ୍କ ମହିଳାଙ୍କଠୁ ୧.୩ କୋଟି ଟଙ୍କା ଲୁଟି ନେଇଛି ସାଇବର୍ ଲୁଟେଲା । ଜୀବନ ଯାକ ପରିଶ୍ରମ କରି ସଂଚୟ କରିଥିବା ଧନ କେଇ ମିନିଟ୍ ମଧ୍ୟରେ ଗାୟବ ହୋଇଯାଇଛି । କେବଳ ମହିଳାଙ୍କଠୁ ଟଙ୍କା ଲୁଟିନେଇଛି ତା ନୁହେଁ ମହିଳାଙ୍କୁ ୫ଦିନ ଯାଏଁ ଗୃହବନ୍ଦି କରି ରଖିବା ସହ କାହା ସହ କଥାବାର୍ତ୍ତା ମିଳାମିଶା କରିବାକୁ ଦେଇନଥିଲା ସାଇବର ଲୁଟେରା ।
କୌଣସି ବାହାର ଦେଶରୁ ଏପରି ଘଟଣା ସାମ୍ନାକୁ ଆସିନି । ଦେଶର ରାଜଧାନୀ ଦିଲ୍ଲୀରୁ ଏପରି ଘଟଣା ସାମ୍ନାକୁ ଆସିଛି । ଦିଲ୍ଲୀ ଏନସିଆର୍ ନୋଏଡାର ଜଣେ ମହିଳାଙ୍କଠୁ ଲୁଟ୍ ହୋଇଛି । ଘଟଣାଟି ଥିଲା କିଛି ଏହିପରି, ନୋଏଡାର ଜଣେ ମହିଳାଙ୍କୁ ଗତ ଜୁନ ୧୩ ତାଲିଖରେ କଲ୍ ଆସିଲା । ନିଜକୁ କୋରିୟର ବୟର ପରିଚୟ ଦେଇଥିଲା ଲୁଟେରା । ଏହା ପରେ ମହିଳାଙ୍କ ଘରକୁ ଏକ ସନ୍ଦିଗ୍ଧ ପାର୍ସଲ ପଠାଇଥିଲା । ପରେ ପୁଣି ଏକ କଲ୍ ଆସିଥିଲା । ପାର୍ସଲରେ କୌଣସି ଅପରାଧୀକ ଜିନିଷ ଅର୍ଡର ହୋଇଥିବା କହି ମହିଳାଙ୍କୁ ପୋଲିସ ନାଁରେ ଧମକ ଚମକ ଦେବା ସହ ଯାଞ୍ଚ ପାଇଁ ମୁମ୍ବାଇ ଆସିବା ପାଇଁ କହିଥିଲେ । ମହିଳାଙ୍କୁ କୁହାଗଲା ଆପଣ ଯେଉଁ ପାର୍ସଲ ଅର୍ଡର କରିଛନ୍ତି ସେଥିରେ ଡ୍ରଗ୍ସ ଅଛି ଏହାକୁ ନାରକୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ଦ୍ୱାରା ତଦନ୍ତ କରାଯାଉଛି । ଏଥିପାଇଁ ଆପଣଙ୍କୁ ମୁମ୍ବାଇ ଆସିବାକୁ ପଡିବ । ଏହା ଶୁଣି ମହିଳା ଭୟବିତ ହୋଇଯାଇଥିଲେ । ଏହାପରେ ମହିଳାଙ୍କୁ ୫ଦିନ ଯାଏଁ ଡିଜିଟାଲ୍ ଆରେଷ୍ଟ କରି ରଖାଗଲା । କାହା ସହ କଥାବାର୍ତ୍ତା କରିବାକୁ ଦିଆଗଲାନି । ଏହାରି ଭିତରେ ମାମଲାକୁ ରଫାଦଫା କରିବା ପାଇଁ ଟଙ୍କା ମଗା ଯାଇଥିଲା । ମହିଳା ଜୀବନ ଯାକ ସଂଚୟ କରି ରଖିଥିବା ପୁଞ୍ଜିକୁ ସମ୍ପୁର୍ଣ୍ଣ ଲୁଟି ନେଇଥିଲା ସାଇବର ଠକ । ମହିଳାଙ୍କ ଆକାଉଣ୍ଟରେ ୧.୩୦ କୋଟି ଟଙ୍କା ଥିଲା । ସବୁକୁ ଲୁଟି ନେଲା ସାଇବର୍ ଠକ । ସବୁଠୁ ବଡ କଥା ହେଉଛି । ମହିଳାଙ୍କୁ ଏପରି ଡରାଇଦିଆଯାଇଥିଲା କି, ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ବି ଏ ବାବଦରେ କହିବାକୁ ଡରିଥିଲେ । ଟଙ୍କା ଲୁଟି ନେବା ପରେ ମହିଳାଙ୍କୁ ଆଉ କୌଣସି କଲ୍ ଆସିନଥିଲା । ପରେ ମହିଳା କ୍ଲିୟରାନ୍ସ ପାଇଁ ସ୍ଥାନୀୟ ପୋଲିସ ଷ୍ଟେସନ୍ ଯାଇଥିଲେ କିନ୍ତୁ ସେଠାରୁ ତାଙ୍କୁ କୌଣସି କ୍ଲିୟରାନ୍ସ ସାର୍ଟିଫିକେଟ୍ ମିଳିନଥିଲା । ଏହା ପରେ ଜାଣିବାକୁ ପାଇଥିଲେ କି, ସେ ଠକାମୀର ଶିକାର ହୋଇଛନ୍ତି ।