କନକ ବ୍ୟୁରୋ : କିଛି ଦିନର ନୀରବତା ପରେ ପୁଣି ମୁଣ୍ଡଟେକିଛି ଚାଷୀ ଆନ୍ଦୋଳନ । ସଂଯୁକ୍ତ କିଷାନ ମୋର୍ଚ୍ଚା ନେତୃ୍ତ୍ୱରେ ଆଜି ନୋଏଡା ଓ ଗ୍ରେଟର ନୋଏଡାର ହଜାର ହଜାର ଚାଷୀ ପାଲ୍ୟାମେଣ୍ଟ ମାର୍ଚ୍ଚରେ ବାହାରିଛନ୍ତି । ଏହାକୁ ନଜରରେ ରଖି ଦିଲ୍ଲୀ ପୋଲିସ ସମସ୍ତ ସୀମା ବନ୍ଦ କରିଛି ।

କୃଷକମାନେ ବିଭିନ୍ନ ଦାବି ନେଇ ଏହି ମାର୍ଚ୍ଚ ଆରମ୍ଭ କରିଛନ୍ତି । ସେମାନଙ୍କ ଅଭିଯୋଗ ରହିଛି କି ଜନତାଙ୍କ ପ୍ରତିନିଧୀ ସେମାନଙ୍କ ଅଭିଯୋଗ ଶୁଣୁଛନ୍ତି, ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି । ଏହାସହ ପୂର୍ବ କୃଷକ ଆନ୍ଦୋଳନ ବେଳେ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ ନହେବାରୁ ଏହା ବିରୋଧରେ ସରକାରଙ୍କୁ ଜଣାଇବାକୁ ଏହି ରାଲି କରୁଥିବା କହିଛନ୍ତି । ଏବେ କୃଷକମାନେ ଦଳିତ ପ୍ରେରଣା ସ୍ଥଳରେ ପହଂଚିଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଛି । ପୋଲିସ ଏହି ରାସ୍ତାକୁ ଟ୍ରକ ଓ ବ୍ୟାରିକେଡ ମାଧ୍ୟମରେ ବନ୍ଦ କରିଛି ।

ଧାରଣାରେ ବସିଥିବା କୃଷକମାନେ ଅଭିଯୋଗ କରିଛନ୍ତି କି, ସରକାରଙ୍କ ତରଫରୁ ସେମାନଙ୍କୁ ବାରମ୍ବାର ଧୋକ୍କା ଦିଆଯାଉଛି । ସରକାର ସେମାନଙ୍କୁ ଯେଉଁ ଆଶ୍ୱାସନା ଦେଉଛନ୍ତି ତାହା କେବେ ବି ପୂରଣ କରୁନାହାଁନ୍ତି । ସରକାର ସେମାନଙ୍କ ଦାବି ଶୁଣୁ ନଥିବାରୁ ସେମାନେ ଅନେକ ଦିନ ହେବ ଧାରଣାରେ ବସିଛନ୍ତି ଓ ଏବେ ପାଲ୍ୟାମେଣ୍ଟ ମାର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି ।