କନକ ବ୍ୟୁରୋ : ପାକିସ୍ତାନରୁ ନେପାଳ ରାସ୍ତା ଦେଇ ନୋଏଡା ଆସିଥିବା ସୀମା ହାଇଦରଙ୍କ ପରେ ପୁଣି ଜଣେ ମହିଳା ଗୋଟିଏ ପିଲାକୁ ଧରି ବାଂଲାଦେଶରୁ ଆସି ଭାରତରେ ପହଂଚିଛନ୍ତି । ସୋନିଆ ଅଖତାର ନାମକ ଏହି ମହିଳା ଜଣଙ୍କ ବାଂଲାଦେଶର ନାଗରିକ । ସେ ଏବେ ନିଜର ଏକ କୁନିପୁଅକୁ ଧରି ନୋଏଡାରେ ପହଂଚିଛନ୍ତି । ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି କି, ନୋଏଡାର ସୁରଜପୁରରେ ରହୁଥିବା ଜଣେ ଯୁବକ ତାଙ୍କ ବାଂଲାଦେଶରେ ବିବାହ କରିଥିଲେ । ହେଲେ ଯୁବକ ଜଣଙ୍କ ସୋନିଆ ଓ ତାଙ୍କ ପିଲାଙ୍କୁ ଛାଡି ବାଂଲାଦେଶରୁ ଲୁଚି ଭାରତ ପଳାଇ ଆସିଛି । ଏଭଳି ଅଭିଯୋଗ ପାଇବା ପରେ ପୋଲିସ ଯାଂଚ ଆରମ୍ଭ କରିଛି ।

Advertisment

ବାଂଲାଦେଶ ନାଗରିକ ସୋନିଆ ଅଖତାର ତାଙ୍କର ଏକ ଛୋଟପ୍ରୁଅକୁ ଧରି କିଛିଦିନ ହେବ ନୋଏଡାରେ ପହଂଚି ସଂପୃକ୍ତ ଯୁବକଙ୍କୁ ଖୋଜୁଛନ୍ତି । ସୋନିଆ ନୋଏଡା ପୋଲିସ ପାଖରେ ଅଭିଯୋଗ କରିଛନ୍ତି କି, ସୌରଭ କାନ୍ତ ତିୱାରୀ ନାମକ ଜଣେ ଯୁବକ ତାଙ୍କୁ ବାଂଲାଦେଶରେ ବିବାହ କରିଥିଲେ । ହେଲେ ଏବେ ସୌରଭ ତାଙ୍କୁ ବାଂଲାଦେଶରେ ଛାଡି ଭାରତ ପଳାଇଆସିଛନ୍ତି । ସୌରଭ ଓ ସୋନିଆଙ୍କ ବିବାହ ପରେ ତାଙ୍କର ଏକ ପିଲା ମଧ୍ୟ ରହିଛି । ଏବେ ସୋନିଆ ଜାଣିବାକୁ ପାଇଛନ୍ତି ଯେ ସୌରଭ ପୂର୍ବରୁ ବିବାହ କରିଥିଲେ । ହେଲେ ସୋନିଆ ତାଙ୍କ ଅଧିକାର ପାଇବାକୁ ବାଂଲାଦେଶରୁ ଆସି ନୋଏଡା ପୋଲିସର ସହାୟତା ମାଗିଛନ୍ତି ।

ସୋନିଆଙ୍କ ଅଭିଯୋଗ ପରେ ନୋଏଡା ପୋଲିସ ମାମଲାର ଯାଂଚ ଆରମ୍ଭ କରିଛି । ପ୍ରାଥମିକ ଯାଂଚରୁ ଜଣାପଡିଛି କି, ସୌରଭ ୨୦୧୭ ରୁ ୨୦୨୧ ପର୍ଯ୍ୟନ୍ତ ୫ବର୍ଷ ଧରି ବାଂଲାଦେଶରେ ରହୁଥିଲେ । ଏହି ଅବଧି ମଧ୍ୟରେ ସୌରଭ ସୋନିଆଙ୍କୁ ବିବାହ କରିଥିଲେ ଓ ତାଙ୍କର ଏକ ପିଲା ମଧ୍ୟ ରହିଛି ।