ଭାରତ ବିରୋଧୀ ବୟାନ ପରେ ପ୍ରତିଦିନ ୮କୋଟିରୁ ଅଧିକ ଟଙ୍କାର କ୍ଷତି ସହୁଛି ମାଳଦ୍ୱୀପ । ବିପଦରେ ୪୪ହଜାର ପରିବାରର ଜୀବନ ଜୀବିକା

728

କନକ ବ୍ୟୁରୋ : ଭାରତ ବିରୋଧୀ ବୟାନ ଦେବା ପରେ ସମସ୍ୟା ଘେରରେ ମାଳଦ୍ୱୀପ । କିଛି ଦିନ ହେବ ବୟକଟ ମାଳଦ୍ୱୀପ ଟ୍ରେଣ୍ଡ ଚାଲିଛି । ଏହା ଭିତରେ ଦେଶକୁ ସହିବାକୁ ପଡିଛି କୋଟି କୋଟି ଟଙ୍କାର କ୍ଷତି । ମିଳିଥିବା ସୂଚନା ଅନୁସାରେ ମାଳଦ୍ୱୀପ ପ୍ରତିଦିନ ୮କୋଟି ୬୪ଲକ୍ଷ ଟଙ୍କାର କ୍ଷତି ସହୁଛି । ପ୍ରତିଦିନ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛି ଦେଶ । ପରିସ୍ଥିତି ଏଭଳି ହେଲାଣି କି ପର୍ଯଟକଙ୍କୁ ଆକୃଷ୍ଟ କରିବାକୁ ମାଳଦ୍ୱୀପ ଏବେ ଯାତ୍ରା ଖର୍ଚ୍ଚକୁ ଅଧା କରିଛି । ତଥାପି ଭାରତୀୟ ସେଠାକୁ ଯିବା ବଦଳରେ ଲକ୍ଷାଦ୍ୱୀପ କିମ୍ବା ଅନ୍ୟ ଟୁରିଷ୍ଟ ପ୍ଲେସକୁ ଯାଉଛନ୍ତି । ପର୍ଯଟନ ଶିଳ୍ପ ସହ ଜଡିତ ୪୪ହଜାର ପରିବାର ଉପରେ ସଙ୍କଟ ଆସିଛି । ସବୁଠୁ ବଡ କଥା ହେଉଛି ଅନଲାଇନ ଫ୍ଲାଟଫର୍ମରେ ଭାରତୀୟ ପର୍ଯ୍ୟଟକ ମାଳଦ୍ୱୀପ ସର୍ଚ୍ଚକୁ ମଧ୍ୟ କମ କରିଛନ୍ତି । ସେପଟେ ଲାକ୍ଷାଦ୍ୱୀପ ସର୍ଚ୍ଚ ୪୩ଗୁଣ ବଢ଼ିଛି । ସୂଚନା ଅନୁସାରେ ଗତବର୍ଷ ମାଳଦ୍ୱୀପରେ ଭାରତୀୟ ପର୍ଯ୍ୟଟକ ୩୧୫୨କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ଭାରତୀୟଙ୍କ ପାଇଁ ଟ୍ରାଭେଲଏଜେଂଟ ମାନେ ଟୁର ପ୍ୟାକେଜ, ବିମାନ ଭଡ଼ା, କମ କରିବା ସତ୍ୱେ ପର୍ଯ୍ୟଟକଙ୍କ ସଂଖ୍ୟା କମ ରହିଛି । ସେପଟେ ଚୀନରୁ ଫେରିବା ପରେ ମାଳଦ୍ୱୀପ ରାଷ୍ଟ୍ରପତି ପରୋକ୍ଷରେ ଭାରତକୁ ନାଲି ଆଖି ଦେଖାଇଛନ୍ତି । ଦେଶବାସୀଙ୍କୁ ସମ୍ବୋଧିତ କରି ମହମ୍ମଦ ମୁଇଜୁ କହିଛନ୍ତି ମାଳଦ୍ୱୀପକୁ ନାଲି ଆଖି ଦେଖାଇବା ପାଇଁ କାହାକୁ ଲାଇସେନ୍ସ ଦିଆଯାଇନି ।