କୋହଲିଙ୍କ ସମର୍ଥନରେ ରାହୁଲ ଗାନ୍ଧୀ: ଟ୍ୱିଟ କରି ଲେଖିଲେ ଏମିତି…

226

କନକ ବ୍ୟୁରୋ: ଟି-୨୦ ବିଶ୍ୱକପ୍ରେ ଲଗାତାର ୨ଟି ମ୍ୟାଚ୍ ହାରିବା ପରେ ସୋସିଆଲ ମିଡିଆରେ ସମାଲୋଚନାର ଶୀକାର ହୋଇଛନ୍ତି ଭାରତୀୟ କ୍ରିକେଟ୍ ଟିମ୍ ଅଧିନାୟକ ବିରାଟ କୋହଲି । ୟୁଜର୍ସ ମାନେ ତାଙ୍କୁ ବାରମ୍ବାର ଟ୍ରୋଲ ମଧ୍ୟ କରୁଛନ୍ତି । ସେଥିପାଇଁ କୋହଲିଙ୍କ ସମର୍ଥନରେ ରାହୁଲ ଗାନ୍ଧୀ ନିଜେ ଟ୍ୱିଟ କରିଛନ୍ତି । ଆଉ କହିଛନ୍ତି ଘୃଣାରେ ପରିପୂର୍ଣ୍ଣ ଲୋକଙ୍କୁ କ୍ଷମା ଦିଅ । ଦଳକୁ ସଂଗଠିତ କରିବାରେ ମନଦିଅ ।

ଏପରିକି ସୋସିଆଲମିଡିଆରେ କୋହଲିଙ୍କ ୯ମାସର ଝିଅକୁ ବି ଛାଡି ନାହାଁନ୍ତି ୟୁଜର୍ସ । ଟ୍ୱିଟରରେ ବିରାଟଙ୍କ ୯ ମାସର ଝିଅକୁ ଧର୍ଷଣ ଭଳି ଧମକ ଦେଇଛନ୍ତି କିଛି ୟୁଜର୍ସ । ଯାହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଦିଲ୍ଲୀ ମହିଳା କମିଶନ୍ । ଟ୍ୱିଟରରେ ଏଭଳି ନିନ୍ଦନୀୟ ଧମକ ଦେଇଥିବା ୟୁଜର୍ସଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦିଲ୍ଲୀ ପୋଲିସକୁ ନୋଟିସ୍ ଦେଇଛନ୍ତି ଦିଲ୍ଲୀ ମହିଳା କମିଶନ ।

ପାକିସ୍ତାନଠାରୁ ଭାରତର ପରାଜୟ ପରେ କିଛି ୟୁଜର୍ସ ଭାରତୀୟ ପେସ ବୋଲର ମହମ୍ମଦ ସାମିଙ୍କୁ ଟାର୍ଗେଟ କରିଥିଲେ । ଧର୍ମକୁ ନେଇ ତାଙ୍କୁ ସମାଲୋଚନା କରାଯିବା ସହ ପାକିସ୍ତାନ ଚାଲିଯିବାକୁ ମଧ୍ୟ କହିଥିଲେ କିଛି ଟ୍ୱିଟର ବ୍ୟବହାର କାରୀ । ତେବେ ସାମିଙ୍କ ସପକ୍ଷରେ ବିରାଟ କୋହଲି ବାହାରିଥିଲେ । ଆଉ ଧର୍ମକୁ ଆଧାର କରି କାହାକୁ ଟାର୍ଗେଟ କରିବା ଉଚିତ ନୁହଁ ବୋଲି କହିଥିଲେ । ଯାହାକୁ ନେଇ ଟ୍ୱିଟରରେ ବିରାଟ ଅନୁଷ୍କାଙ୍କ ମାତ୍ର ୯ ମାସର ଝିଅକୁ ଦୁଷ୍କର୍ମ କରିବାକୁ ଧମକ ଦେଇଛି ଜଣେ ଅସମାମାଜିକ ବ୍ୟକ୍ତି । ଯାହାକୁ ତୁରନ୍ତ ଗିରଫ କରିବାକୁ ଦାବି ହୋଇଛି ।

ଚଳିତ ବର୍ଷ ୧୧ ଜାନୁୟାରୀରେ ବିରାଟ ଓ ଅନୁଷ୍କା ଏକ କନ୍ୟା ସନ୍ତାନର ପିତା ମାତା ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ନିଜ ଝିଅର ନାମ ଭମିକା ରଖିଥିବାବେଳେ ଆଜି ପର୍ଯ୍ୟନ୍ତ ସୋସିଆଲ ମିଡିଆ କି ଗଣମାଧ୍ୟମରେ ଭମିକାର ଫଟୋ କି ଭିଡିଓ ସେୟାର କରି ନାହାଁନ୍ତି ବିରାଟ ଅନୁସ୍କା । ଆଉ ମାତ୍ର ୯ ମାସର ଝିଅକୁ ନେଇ ସୋସିଆଲ ମିଡିଆରେ ଏଭଳି କମେଂଟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି ।