ଲକ୍ଷ୍ମୀପୁର ନିଶ୍ଚୟ ଯିବି, ମୋତେ କେହି ଅଟକାଇ ପାରିବେନି । ଆଇନର ପାଠ ପଢାଇ ଆଗକୁ ବଢିଲେ ସଚିନ ।

629

କନକ ବ୍ୟୁରୋ : ଲକ୍ଷ୍ମୀପୁର ହିଂସାକାଣ୍ଡକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଏବେ ବିଭିନ୍ନ ଦଳର ନେତା ଏବେ ଲକ୍ଷ୍ମୀପୁର ମୁହାଁ ହୋଇଛନ୍ତି । ମୃତ ଚାଷୀଙ୍କ ପରିବାରକୁ ଭେଟି ସମବେଦନା ଦେବାକୁ ବିଭିନ୍ନ ଦଳର ନେତା ଲକ୍ଷ୍ମୀପୁର ଯିବାକୁ ଚାହିଁଥିଲେ ମଧ୍ୟ ଉତ୍ତର ପ୍ରଦେଶ ସରକାର ଅନୁମତି ଦେଉନାହାନ୍ତି । ଏଭଳି ସ୍ଥିତିରେ କଂଗ୍ରେସ ନେତା ସଚିନ ପାଇଲଟ ଲକ୍ଷ୍ମୀପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଧାରା ୧୪୪ର ନିୟମ ପାଳନ କରି ସଚିନ ଗାଜିପୁର ବର୍ଡର ଦେଇ ହାପୁଡରେ ପହଞ୍ଚିଥିବା ବେଳେ ବିଭିନ୍ନ ସ୍ଥାନରେ ତାଙ୍କୁ ଅଟକାଇଛନ୍ତି ପୋଲିସ ।

ସଚିନ କହିଛନ୍ତି, ମୁଁ ଲକ୍ଷ୍ମୀପୁର ନିଶ୍ଚୟ ଯିବି, ମୋତେ କେହି ଅଟକାଇ ପାରିବେନି । ମୁଁ ନିୟମ ପାଳନ କରି ଯାଉଛି । କୌଣସି ଭାଙ୍ଗି ନିୟମର ଉଲ୍ଲଂଘନ କରିନାହିଁ, କିନ୍ତୁ ପ୍ରଶାସନ ବାରମ୍ବାର ଅଟକାଇବାକୁ ପ୍ରୟାସ କରୁଛି । ଏହାପୂର୍ବରୁ ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ନିୟମ ପାଳନ କରି ଲକ୍ଷ୍ମୀପୁର ଯାଉଥିବା ବେଳେ ପ୍ରିୟଙ୍କା ଗାନ୍ଧୀଙ୍କୁ ଗିରଫ କରାଯାଇଥିଲା ଓ ରାହୁଲ ଗାନ୍ଧୀଙ୍କୁ ଆଜି ପ୍ରଥମେ ଲକ୍ଷ୍ମୀପୁର ଯିବାକୁ ଅନୁମତି ମିଳିନଥିଲା । ଆଉ ଏଭଳି କରି ଲୋକତନ୍ତ୍ରର ହତ୍ୟା କରାଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ରାହୁଲ ଓ ପ୍ରିୟଙ୍କାଙ୍କୁ ଲକ୍ଷ୍ମୀପୁର ଯିବାକୁ ଅନୁମତି ମିଳିଥିଲା । ଆଉ ରାହୁଲ ଲକ୍ଷ୍ମୀପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ବେଳେ ସୀତାପୁରରୁ ଭଉଣୀ ପ୍ରିୟଙ୍କାଙ୍କୁ ସାଥୀରେ ନେବେ ।

ଏହାପୂର୍ବରୁ ପ୍ରିୟଙ୍କାଙ୍କୁ ଯେଉଁଭଳି ନିଜ ହେପାଜତକୁ ପୋଲିସ ନେଇଥିଲା ତାହାକୁ ନେଇ ପ୍ରଶ୍ନ ଉଠାଇଥିଲେ ରାହୁଲ । କୌଣସି ମହିଳାଙ୍କ ସହ ଏଭଳି ବ୍ୟବହାର ଠିକ୍ ନୁହେଁ ବୋଲି କହିଥିଲେ ରାହୁଲ । ଏପରିକି ରାହୁଲ କହିଥିଲେ, ମୁଁ ହୁଏ କି ପ୍ରିୟଙ୍କା ହ୍ରୁଅନ୍ତୁ ଅବା ଆମ ପରିବାରର ଆଉ କେହି ହୁଅନ୍ତୁ । ଆମକୁ ମାରି ଦିଅନ୍ତୁ, ବନ୍ଦୀ କରି ରଖନ୍ତୁ, ପୋତି ଦିଅନ୍ତୁ, ଖରାପ ବ୍ୟବହାର କରନ୍ତୁ । ଆମକୁ ସେଥିରେ ଟିକିଏ ବି ଫରକ ପଡିବନି । କାରଣ ଆମ ପରିବାର ଆମକୁ ଏଭଳି ଶିକ୍ଷା ଦେଇଛି । ମାମଲା ଏବେ ଚାଷୀଙ୍କ ନ୍ୟାୟର, ତେଣୁ ଏହାକୁ ନେଇ ଲଗାତାର ସ୍ୱର ଉଠାଇବୁ । ପ୍ରିୟଙ୍କା ଗାନ୍ଧୀଙ୍କୁ ଗୋଟିଏ ଘର ଭିତରେ ବନ୍ଦ କରି ରଖାଯାଇଛି ସତ କିନ୍ତୁ ଏଠାରେ ବଡ ମୁଦ୍ଦା ହେଉଛି ଚାଷୀଙ୍କୁ ନ୍ୟାୟ ଦେବାର । ଏଭଳି କହି ଯୋଗୀ ସରକାରଙ୍କ ଉପରେ ବର୍ଷିଥିଲେ ରାହୁଲ ।