ମୋଦୀଙ୍କୁ ମିଳିବ ନୋବେଲ ପୁରସ୍କାର! ବିଶ୍ୱ ଶାନ୍ତି ପାଇଁ ପାଇବେ ବଡ଼ ସମ୍ମାନ !

1,421

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଶ୍ୱର ସବୁଠୁ ଲୋକପ୍ରିୟ ନେତାଙ୍କ ମଧ୍ୟରୁ ଅନ୍ୟତମ । ବିଶ୍ୱ ଜଳବାୟ ପରିବର୍ତନ ପ୍ରସଙ୍ଗ ହେଉ ଅବା ଆତଙ୍କବାଦ ପ୍ରସଙ୍ଗ, ଅନ୍ତର୍ଜାତୀୟ ସ୍ତରରେ ମୋଦୀ ସରକାରର କୂଟନୀତି ବେଶ ପ୍ରଭାବ ରହିଛି । ଯାହାର ପ୍ରମାଣ ବିଭିନ୍ନ ସମୟରେ ବିଭିନ୍ନ ରାଷ୍ଟ୍ର ନେତାଙ୍କ ବୟାନରୁ ସ୍ପଷ୍ଟ ହୁଏ ।

ଋଷ-ୟୁକ୍ରେନ ଯୁଦ୍ଧକୁ ବର୍ଷେରୁ ଅଧିକ ସମୟ ବିତିଛି । ଦୁଇ ଦେଶ ମଧ୍ୟରେ ବିବାଦ ଚରମସୀମାରେ ଥିଲେ ମଧ୍ୟ ଭାରତର କୂଟନୀତି ଗୋଟିଏ ବଡ ପ୍ରଭାବ ଦେଖାଉଛି । ବିବାଦର ସମାଧାନ ପାଇଁ ମୋଦୀ ହିଁ ଏକମାତ୍ର ଭରସା ବୋଲି ବିଭିନ୍ନ ବିଦେଶୀ ନେତା ଦାବି କରି ଆସୁଛନ୍ତି । ନିଜେ ୟୁକ୍ରେନ ଠାରୁ ଆରମ୍ଭ କରି ଜର୍ମାନୀ, ଆମେରିକା ସମେତ ଅନେକ ପାଶ୍ଚାତ୍ୟ ଦେଶର ନେତା କହିଛନ୍ତି ଭାରତ ଚାହିଁଲେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ରୋକିହେବ । ଏହାରି ଭିତରେ ନୋବେଲ ଶାନ୍ତି କମିଟିର ସଦସ୍ୟ ଥିବା ଅସଲେ ତୋଜେଙ୍କ ବୟାନକୁ ନେଇ ଚର୍ଚ୍ଚା ବଢିଛି । ସେ କହିଛନ୍ତି, ଯୁଦ୍ଧ ବେଳେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଯୁଦ୍ଧ ରୋକିବା ନେଇ ଯେଉଁଭଳି ଭାବେ ମୋଦୀ ବୁଝାଇଛନ୍ତି ତାହା ପ୍ରଶଂସାଯୋଗ୍ୟ । ଅନ୍ତର୍ଜାତୀୟ ରାଜନୀତିରେ ଏଭଳି ନେତା ଆବଶ୍ୟକ ବୋଲି ସେ କହିଛନ୍ତି ।

ଯୁଦ୍ଧ ଭିତରେ ଉଭୟ ଋଷ ଏବଂ ୟୁକ୍ରେନ ସମେତ ବିଭିନ୍ନ ଦେଶର ନେତାଙ୍କ ସହ ଭାରତ ବୈଠକ କରିସାରିଛି । ଯୁଦ୍ଧ ସମୟରେ ଭାରତ ଋଷଠାରୁ ତେଲ ଆମଦାନୀ କରୁଛି । ଏହାକୁ ନେଇ ପାଶ୍ଚାତ୍ୟ ଦେଶ ଅସନ୍ତୋଷ ପ୍ରକାଶ କରିଛି । ହେଲେ ଭାରତର କୂଟନୀତି ଏବଂ ବଢୁଥିବା ପ୍ରଭାବ ଦେଖି ଏଯାବତ କୌଣସି ଦେଶ ମଧ୍ୟ ଭାରତ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ସାହାସ କରିନାହାନ୍ତି । ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ମୋଦୀ ଯେଉଁଭଳି ପଦକ୍ଷେପ ନେଉଛନ୍ତି ତାହା ସ୍ୱାଗତଯୋଗ୍ୟ ।

ଅନ୍ତିମ ଥର ପାଇଁ ୨୦୧୪ରେ ଭାରତରୁ କୈଳାଶ ସତ୍ୟାର୍ଥୀ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ । ଶିଶୁ ନିର୍ଯାତନାକୁ ରୋକିବା କ୍ଷେତ୍ରରେ କାମ କରି ସେ ଏହି ସମ୍ମାନର ଅଧିକାରୀ ହୋଇଛନ୍ତି । ଏଯାବତ ଭାରତର ୮ ଜଣ ବିଶ୍ୱର ଏହି ସର୍ବଶ୍ରେଷ୍ଠ ଓ ମର୍ଯ୍ୟାଦାଜନକ ପୁରସ୍କାର ପାଇଛନ୍ତି । ସ୍ୱିଡେନ ଦ୍ୱାରା ଦିଆଯାଉଥିବା ଏହି ପୁରସ୍କାର ନୋବେଲ ଫେଡେରେସନ ଦ୍ୱାରା ଆଲଫ୍ରେଡ ନୋବେଲଙ୍କ ସ୍ମୃତିରେ ୧୯୦୧ ମସିହାରୁ ଦିଆଯାଉଛି ।