ଅର୍ଥଶାସ୍ତ୍ରରେ ଆମେରିକାର ରିଚାର୍ଡ ଥେଲରକୁ ନୋବେଲ ! ଭାରତରେ ବିମୁଦ୍ରାୟନକୁ କରିସାରିଛନ୍ତି ସମର୍ଥନ

57

କନକ ବ୍ୟୁରୋ: ନୋବେଲ ବିଜେତାଙ୍କ ନୋଟବନ୍ଦୀକୁ ପ୍ରଶଂସା । ଅର୍ଥଶାସ୍ତ୍ରରେ ନୋବେଲ ପୁରସ୍କାର ବିଜେତା ରିଚାର୍ଡ ଥେଲର ଭାରତରେ ଗତବର୍ଷ ନଭେମ୍ବରରେ ହୋଇଥିବା ବିମୁଦ୍ରାୟନକୁ ପ୍ରଶଂସା କରିଛନ୍ତି । ଆମେରିକୀୟ ଅର୍ଥନୀତିଜ୍ଞ ରିଚାର୍ଡ ଥେଲରଙ୍କୁ ୨୦୧୭ ବର୍ଷ ପାଇଁ ଅର୍ଥଶାସ୍ତ୍ରରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି । ସେ ଏବେ ସିକାଗୋ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଅଛନ୍ତି ।

କଳାଧନ ଓ ଦୁର୍ନୀତିକୁ ରୋକିବା ଲାଗି ବିମୁଦ୍ରାୟନ ଏକ ଭଲ ପଦକ୍ଷେପ ଓ ସେ ଏହି ନିଷ୍ପତ୍ତି ସହ ସବୁବେଳେ ରହିଥିବା କହିଛନ୍ତି । କିନ୍ତୁ ବଡନୋଟ ବ୍ୟାନ ପରେ ପୁଣି ୨ହଜାର ଟଙ୍କିଆ ନୋଟ ଛାଡିବା ନିଷ୍ପତ୍ତିରେ ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ବ୍ୟକ୍ତିର ଅର୍ଥନୀତି ସଂକ୍ରାନ୍ତ ନିଷ୍ପତ୍ତି ମନୋବୈଜ୍ଞାନିକ କ୍ଷେତ୍ରରେ କିଭଳି ପ୍ରଭାବ ପକାଉଛି ତାହାର ସଫଳ ବ୍ୟାଖ୍ୟା କରିଛନ୍ତି ରିଚାର୍ଡ ଥେଲର ।

ଅର୍ଥନୀତି ପାଇଁ ନୋବେଲ ଦୌଡରେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ମଧ୍ୟ ଥିଲେ । ସେ ବି ଏବେ ସିକାଗୋ ବିଶ୍ୱବିଦ୍ୟାଳୟରେ ପାଠ ପଢାଉଥିବାବେଳେ ନୋଟବନ୍ଦୀ ନିଷ୍ପତ୍ତିକୁ କିନ୍ତୁ ବିରୋଧ କରିଥିଲେ । ନୋବେଲ ଏକାଡେମୀ ପକ୍ଷରୁ କୁହାଯାଇଛି ଯେ, ରିଚାର୍ଡ ଥେଲର, ବ୍ୟବହାରିକ ଅର୍ଥନୀତିରେ ନୂଆ ଦିଗନ୍ତ ସୃଷ୍ଟି କରିଛନ୍ତି । ସେ କରିଥିବା ସୁକ୍ଷ୍ମ ଅନୁଧ୍ୟାନର ପ୍ରଭାବ ସମାଜରେ ଦେଖିବାକୁ ମିଳୁଛି । ୧୯୪୫ ସେପ୍ଟେମ୍ବର ୧୨ରେ ଆମେରିକାରେ ଜନ୍ମିତ ରିଚାର୍ଡଙ୍କୁ ନୋବେଲ ଏକାଡେମୀ ପକ୍ଷରୁ ପ୍ରାୟ ୭ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ । ଅର୍ଥଶାସ୍ତ୍ର ଉପରେ ସେ ଅନେକ ବହି ମଧ୍ୟ ଲେଖିଛନ୍ତି ।