ଇଥିଓପିଆ ପ୍ରଧାନମନ୍ତ୍ରୀଙ୍କୁ ନୋବେଲ ଶାନ୍ତି ପୁରସ୍କାର: ପଡୋଶୀ ରାଷ୍ଟ୍ର ଇରିଟ୍ରିଆ ସହିତ ସୀମା ବିବାଦ ସମାଧାନରେ ନିର୍ଣ୍ଣାୟକ ଭୂମିକା ପାଇଁ ଅବି ଅହମ୍ମଦଙ୍କୁ ମିଳିବ ସମ୍ମାନ

ଦୀର୍ଘ ବର୍ଷର ପ୍ରୟାସ ପରେ ଗତବର୍ଷ ଦୁଇ ଦେଶ ମଧ୍ୟରେ ହୋଇଥିଲା ଶାନ୍ତି ସ୍ଥାପନ

257

କନକ ବ୍ୟୁରୋ: ୨୦୧୯ ବର୍ଷ ପାଇଁ ଘୋଷଣା ହୋଇଛି ନୋବେଲ୍ ଶାନ୍ତି ସମ୍ମାନ । ଚଳିତ ବର୍ଷ ଇଥଓପିଆ ପ୍ରଧାନମନ୍ତ୍ରୀଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର । ଏନେଇ ଘୋଷଣା କରିଛି ନୋବେଲ ଏକାଡେମୀ । ଇଥଓପିଆ ପ୍ରଧାନମନ୍ତ୍ରୀ ଅବି ଅହମଦ ଅଲିଙ୍କୁ ଶାନ୍ତି କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଏହି ସମ୍ମାନ ପ୍ରଦାନ କରାଯିବ । ପଡୋଶୀ ରାଷ୍ଟ୍ର ଇରିଟ୍ରିଆ ସହ ସୀମା ବିବାଦର ସମାଧାନ ପାଇଁ ସେ ନେଇଥିଲେ ନିର୍ଣ୍ଣାୟକ ଭୂମିକା । ଇଥିଓପିଆ ଏବଂ ଇରିଟ୍ରିଆ ମଧ୍ୟରେ ଦୀର୍ଘ ବର୍ଷ ଧରି ଲାଗି ରହିଥିଲା ସୀମା ବିବାଦ ।

୧୯୯୮ରୁ ୨୦୦୦ ପର୍ଯ୍ୟନ୍ତ ସୀମାକୁ ନେଇ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବି ହୋଇଥିଲା । ତେବେ ଇଥିଓପିଆ ପ୍ରଧାନମନ୍ତ୍ରୀ ଅବି ଅହମଦଙ୍କ ଲଗାତର ପ୍ରୟାସ ଯୋଗୁଁ ଗତବର୍ଷ ଜୁଲାଇରେ ୨ ରାଷ୍ଟ୍ର ମଧ୍ୟରେ ଶାନ୍ତି ପ୍ରତିଷ୍ଠା ହୋଇପାରିଛି । ବର୍ତମାନ ବିଶ୍ୱର ଅନେକ ରାଷ୍ଟ୍ର ମଧ୍ୟରେ ସୀମାକୁ ନେଇ ଅଶାନ୍ତି ଥିବା ବେଳେ ଇଥିଓପିଆ ପ୍ରଧାନମନ୍ତ୍ରୀଙ୍କ ଏଭଳି ଉଦ୍ୟମ ବାସ୍ତବରେ ସ୍ୱାଗତ ଯୋଗ୍ୟ । ଯେଉଁଥିପାଇଁ ନୋବେଲ୍ ଶାନ୍ତି କମିଟି ତାଙ୍କୁ ସମ୍ମାନ ଜନକ ନୋବେଲ୍ ଶାନ୍ତି ସମ୍ମାନ ପାଇଁ ଚୟନ କରିଛି ।