ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ବସ୍ତା କରତଶାଳ ଗାଁର ଲୋକେ । କାମ ନହେଲେ ଭୋଟ୍ ବର୍ଜନ ଚେତାବନୀ ।

18

କନକ ବ୍ୟୁରୋ: କାମ ନାହିଁ ତ ଭୋଟ୍ ନାହିଁ । ବିଭିନ୍ନ ମୌଳିକ ସୁବିଧାରୁ ବଂଚିତ ଥିବା ଗ୍ରାମବାସୀ କିନ୍ତୁ ଏଥର ଚେତାବନୀ ଦେଇଛନ୍ତି । ବସ୍ତାର କରତଶାଳ ଗ୍ରାମବାସୀ ଚଳିତ ଥର ଭୋଟ ବର୍ଜନ କରିବେ । ପାଣି ପାଇଁ ବର୍ଷ ବର୍ଷ ଧରି ୩୦ରୁ ଅଧିକ ପରିବାରର ସଂଘର୍ଷ ଜାରି ରହିଛି । ଏହି ଦୃଶ୍ୟ ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିହେବନି । ଗାଁର ଛୋଟରୁ ବଡ ସମସ୍ତେ ପାଣି ମୁନ୍ଦାଏ ପାଇଁ ନଦୀ ଉପରେ ନିର୍ଭର କରୁଛନ୍ତି । ନଦୀରୁ ଦୂଷିତ ପାଣି ପିଉଛନ୍ତି । ଅଭିଯୋଗ ଅନୁସାରେ ଦୁଇଟି ନଳକୂପ ବସାଯାଇଥିଲେ ବି ମରାମତି ଅଭାବରୁ ୩ ବର୍ଷ ଧରି ଅଚଳ ହୋଇ ପଡିଛି । ବସୁଧା ଯୋଜନା ବି ଫେଲ୍ ମାରିଛି । ଲୋକେ ବାଧ୍ୟ ହୋଇ ପେଜଗଳା ନଦୀର ଲୁଣି ପାଣି ପିଉଛନ୍ତି । ସମସ୍ୟା ନେଇ କହିଥିଲେ ବି କୌଣସି ସମାଧାନ ହେଉନଥିବାରୁ ଅସନ୍ତୋଷ ବଢିଚାଲିଛି ।

କରତଶାଳରେ ୧୦୦ ରୁ ଅଧିକ ଆଦିବାସୀ ଲୋକ ବସବାସ କରନ୍ତି । ହେଲେ ବର୍ଷ ବର୍ଷ ଧରି ସବୁ ଅବହେଳିତ । କେବଳ ପାଣି ନୁହେଁ ଆବାସ ଯୋଜନାରୁ ମଧ୍ୟ ବଂଚିତ ରହିଛନ୍ତି ଲୋକମାନେ । ତା ସହିତ ରାସ୍ତା କଥା ନକହିବା ଭଲ । ନଦୀ ବନ୍ଧରେ ଯାତାୟତ କରୁଛନ୍ତି । ସମସ୍ତ ମୌଳିକ ସୁବିଧାରୁ ବଂଚିିତ ହୋଇ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି । ଚଳିତଥର ଏହିସବୁ ସମସ୍ୟାର ସମାଧାନ ନହେଲେ ଭୋଟ୍ ଦେବୁନି ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ବିଭିନ୍ନ ସମସ୍ୟା ଭିତରେ ରହିଥିବା ଗାଁର ଲୋକଙ୍କ ସମସ୍ତ ସମସ୍ୟାର ସମାଧାନ କରାଯାଇପାରିଲେ ଗାଁର ଲୋକେ ଉପକୃତ ହୋଇପାରିବେ ।