ମହୁନାଡ ବିକି ମୁଁ ପୋଷେ କୁଟୁମ୍ବ… କାମ ଅଭାବରୁ ଗାଁ ଗାଁ ବୁଲି ମହୁନାଡ଼ ବିକୁଛନ୍ତି ଲୋକେ । ଜାହାଡ଼ା ହ୍ରଦ ପାଇଁ ଚାଲୁଛି ତେଲ ଲୁଣର ସଂସାର ।

139

କନକ ବ୍ୟୁରୋ: ଡିସେମ୍ବର ମାସରେ ଧିରେ ଧିରେ ବଢୁଛି ଶୀତ । ଜଳାଶୟ ଗୁଡିକରେ ଏବେ ପାଣି ଥଣ୍ଡା । ଆଉ ଏହି ସମୟରେ ପୋଖରୀ ପାଣିରେ ପଶିବା ଭାରିକଷ୍ଟ । ହେଲେ ପରିବାର ଚଳାଇ ବା ପାଇଁ ଶୀତକୁ ବି ଖାତିର ନକରି ପୋଖରୀ ପାଣିରେ ପଶିି ମହୁନାଡ ସଂଗ୍ରହ କରୁଛନ୍ତି ଅନେକ ପରିବାର । କାରଣ ଏହି ମହୁନାଡ ବିକ୍ରିକରି ଯାହା ରୋଜଗାର ହେବ ସେଥିରେ ତେଲ ଲୁଣର ସଂସାର ଚଳିବ ।

ଗଂଜାମ ଜିଲ୍ଲା ଧରାକୋଟ ବ୍ଲକର ଜାହାଡା ହ୍ରଦରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ହ୍ରଦଟି ପଦ୍ମଫୁଲରେ ପୂର୍ଣ୍ଣ ରହିଥାଏ । ପଦ୍ମଫୁଲର ଯେଉଁ ଅଂଶ ପାଣି ଭିତରେ ବୁଡି ରହିଥାଏ । ତାହାର ସେହି ମୂଳ ଭାଗକୁ ମାଟିରୁ ବାହାର କଲେ ଯେଉଁ ଚର ଅଂଶଟି ବାହାରେ ତାହା ହେଉଛି ମହୁନାଡ । ପଦ୍ମଫୁଲର ମହୁନାଡ ନାଡକୁ ସଂଗ୍ରହ କରି ଜାହାଡା,ବରଡାବିଲି,ସଦମାଇଲି,ସିଙ୍ଗିପୁର,ତାଳପାଟଣା ଓ ମଶାଣିଭାଗ ଆଦି ଗାଁର ଲୋକ ମହୁନାଡ଼ ସଂଗ୍ରହ କରୁଛନ୍ତି । ଆଉ ଏହାକୁ ଗାଁ, ଗାଁ ବୁଲି ବିକ୍ରି କରି ଗୁଜୁରାଣ ମେଂଟାଉଛନ୍ତି ।

କାମ ଧନ୍ଦା ଅଭାବ ସାଙ୍ଗକୁ ଚଳିତ ବର୍ଷ ଧରାକୋଟ ବ୍ଲକର ଅନେକ ପଂଚାୟତରେ ମରୁଡି ସ୍ଥିତି ଦେଖାଦେଇଛି । ଜାହାଡାର ଆଖପାଖ ଗାଁର ଗରିବ ଲୋକଙ୍କ ପରିବାର ପୋଷିବାର ମାଧ୍ୟମ ସାଜିଛି ଏହି ମହୁନାଡ । ମହୁନାଡକୁ ପାଣି ଭିତରୁ କାଢ଼ି ଭଲ ଭାବେ ଧୋଇ ସଫା କରିବା ପରେ ଘରକୁ ନେଇଥାନ୍ତି । ଘରେ ଏହାକୁ କାଟି ବିଡା ବାନ୍ଧି ଆଖପାଖ ଗାଁକୁ ବୁଲି ବୁଲି ଯାଇ ବିକ୍ରି କରିଥାନ୍ତି । କାଦୁଅ ପଙ୍କରେ ବୁଡି ବୁଡି ଏହା ସଂଗ୍ରହ କରିବା ସମୟରେ ଜୀବନ ପ୍ରତି ବିପଦ ଥିବା କହିଛନ୍ତି ସଂଗ୍ରହକାରୀ । ସମୟେ ସମୟେ ମହୁନାଡ ସଂଗ୍ରହ ବେଳେ ପାଣିରେ ବୁଡି ରହିବା ଫଳରେ ଶ୍ୱାସ ରୁଦ୍ଧ ମଧ୍ୟ ହୋଇ ଜୀବନ ଯାଇଥିବା ମଧ୍ୟ କହିଛନ୍ତି ଲୋକେ । ଲୋକଙ୍କ ପାଇଁ କାମ ଅଭାବ ଯୋଗୁଁ ପରିବାର ଚଳାଇବାକୁ ବାଧ୍ୟ ହୋଇ ଏହାକୁ ଏକ ରୋଜଗାର ମାଧ୍ୟମ ଧରିନେଇଛନ୍ତି ।