ସରକାର ! ଆମକୁ କାମ ଦିଅ… ମହାମାରୀର ମାୟାଜାଲରୁ ସିନା ଜୀବନ ଫେରିଲା, ହେଲେ ଜୀବିକା ଚାଲିଗଲା । କାମଧନ୍ଦା ମିଳୁନଥିବାରୁ ଘରେ ହାତବାନ୍ଧି ବସିଛନ୍ତି ବିଦେଶ ଫେରନ୍ତା ପ୍ରବାସୀ । କେମିତି ପୋଷିବେ ପରିବାର, ମୁଣ୍ଡରେ ପଡିଛି ଚଡକ…

695

କନକ ବ୍ୟୁରୋ: ବାହାର ରାଜ୍ୟକୁ ଯାଇ ଟଙ୍କା ରୋଜଗାର କରି ପରିବାର ପୋଶୁଥିଲେ ଲକ୍ଷ ଲକ୍ଷ ଓଡିଆ ଶ୍ରମିକ । ହେଲେ କରୋନା ଭୂତାଣୁ ଭିଡ ଭିତରୁ ସିନା ଜୀବନ ବଂଚାଇ ଗାଁକୁ ଫେରି ଆସିଛନ୍ତି, ହେଲେ ଜୀବିକା ଉଜୁଡି ଯାଇଛି । କଳ-କାରଖାନାରେ କାମ କରୁଥିବା ଶ୍ରମିକ ଏବେ ଗାଁରେ ମୂଲ ଲାଗି ପେଟ ପୋଷିବାକୁ ଇଚ୍ଛା ରଖିଛନ୍ତି । କିନ୍ତୁ କାମ ମିଳୁନଥିବାରୁ ଗାଁ ମାଟିରେ ହାତ ବାନ୍ଧି ବସିଛି ପ୍ରବାସୀ ।

ମହାମାରୀ କରୋନା ଯୋଗୁଁ ଦେଶରେ ଲକଡାଉନ୍ ଜାରି ହେବା ପରେ ରାଜ୍ୟ ବାହାରେ ଥିବା ପ୍ରବାସୀଙ୍କୁ ଭିଟାମାଟିକୁ ଫେରାଇ ଆଣିଲେ ସରକାର । ସରକାରଙ୍କ ସହାୟତାରେ ପ୍ରବାସୀ ଜୀବନ ବଂଚାଇ ନିଜ ନିଜ ଅଂଚଳକୁ ଫେରି ଆସିଲେ । ଫଳରେ କରୋନା କବଳରୁ ସିନା ଜୀବନ ବଂଚିଗଲା ହେଲେ ଜୀବିକା ଉଜୁଡିଗଲା । କେନ୍ଦ୍ରାପଡାର ପ୍ରବାସୀମାନେ ଗାଁକୁ ଫେରିବାର ୪ମାସ ପରେ ସେମାନଙ୍କ ପାଖରେ କାମ ନାହିଁ । ତେଣୁ ଘର ଚଳିବା କଷ୍ଟକର ହୋଇପଡିଛି । ଏଭଳି ସ୍ଥିତିରେ ଭୂତାଣୁ ସଂକ୍ରମଣ ଭୟ ଠାରୁ ଭୋକର ଭୟ ରାଜ୍ୟ ବାହାରୁ ଫେରିଥିବା ଶ୍ରମିକଙ୍କ ବ୍ୟତିବ୍ୟସ୍ତ କରିଛି ।

ପଂଚାୟତରେ କାମ ମିଳୁନି, କେମିତି ପୋଷିବୁ ପେଟ ? ଦିନକୁ ଦିନ କରୋନାର କାୟା ବିସ୍ତାର କରୁଥିବାରୁ ରାଜ୍ୟ ବାହାରକୁ ଯିବାକୁ ପାଇଁ ଚାହୁଁନାହାନ୍ତି ଶ୍ରମିକ । ସରକାରୀ ରିପୋର୍ଟ ଅନୁସାରେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକକୁ ୬ ହଜାର ପ୍ରବାସୀ ଓଡିଆ ଫେରିଛନ୍ତି । ରାଜ୍ୟ ସରକାରଙ୍କ ମନରେଗା ଯୋଜନାରେ ଜବକାର୍ଡ ମାଧ୍ୟମରେ ଅଳ୍ପ କିଛି ପ୍ରବାସୀଙ୍କୁ କାମ ଯୋଗାଇ ଦିଆଯାଇଛି । ପଂଚାୟତ ସ୍ତରରେ କାମ ଥିଲେ ବି ପ୍ରବାସୀଙ୍କ ପାଖରେ ଜବକାର୍ଡ ନଥିବାରୁ କାମ ମିଳୁନଥିବା ଅଭିଯୋଗ ହୋଇଛି । ସେପଟେ ଜିଲ୍ଲାପାଳ କହିଛନ୍ତି ଖୁବଶୀଘ୍ର ପଂଚାୟତ ସ୍ତରରେ କାମ ଯୋଗାଇ ଦିଆଯିବ ।

ଦେଶରେ କର୍ମ ସଂସ୍ଥାନ ସୃଷ୍ଟି କରିବା ପାଇଁ କେନ୍ଦ୍ର ସରକାରଙ୍କ ଆତ୍ମ ନିର୍ଭରଶୀଳ ଭାରତ, ସଶକ୍ତ ଭାରତ ମିଶନ ସାଙ୍ଗକୁ ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା । ହେଲେ ବାସ୍ତବ ଚିତ୍ର କିନ୍ତୁ ସଂପୂର୍ଣ୍ଣ ଭିନ୍ନ । ରାଜ୍ୟ ବାହାରୁ ଫେରୁଥିବା ଶ୍ରମିକଙ୍କ ହାତକୁ କାମ ମିଳୁନଥିବାରୁ ଏବେ ଭୂତାଣୁର ଭୟ ଅପେକ୍ଷା ଭୋକର ଭୟ ବେଶି ଘାରିଛି ।