ପୁଣି ବିଧାନସଭାରେ ମମିତା ହତ୍ୟା ତାତି । ସ୍ୱାଭାବିକ ହୋଇପାରୁନି ଗୃହକାର୍ଯ୍ୟ, ଦ୍ୱିତୀୟ ଦିନରେ ଗୃହ ଚାଲିଲା ମାତ୍ର ୨ ମିନିଟ୍ ।

63

କନକ ବ୍ୟୁରୋ : ଦ୍ୱିତୀୟ ଦିନରେ ଦୁଇ ମିନିଟ ବି ଚାଲି ପାରିଲା ନାହିଁ ବିଧାନସଭା । ବାଚସ୍ପତି ଆସିଲେ ଏବଂ ଗୃହ ମୁଲତବି ନେଇ ଘୋଷଣା କଲେ । ବିରୋଧୀ ବିଧାୟକ ଗୃହ ଭିତରେ ଯେଉଁ ପ୍ରତିବାଦ କରିବା ପାଇଁ ପ୍ରସ୍ତୁତ ହୋଇଥିଲେ, ତା’ର ବି ସୁଯୋଗ ମିଳିଲା ନାହିଁ ।

ପୁଣି ବିଧାନସଭାରେ ମମିତା ହତ୍ୟା ତାତି । ସ୍ୱାଭାବିକ ହୋଇପାରୁନି ଗୃହକାର୍ଯ୍ୟ । ଦ୍ୱିତୀୟ ଦିନରେ ଗୃହ ଚାଲିଲା ମାତ୍ର ୨ ମିନିଟ୍ । ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ବି ଚାଲିପାରିଲାନି ବିଧାନସଭା । ପ୍ରଥମାର୍ଦ୍ଧରେ ପ୍ରଶ୍ନକାଳ ହେବା ମାତ୍ରେ ବିରୋଧୀ ମମିତା ମୃତ୍ୟୁ ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ହଙ୍ଗାମା କରିଥିଲେ । ଫଳରେ ମାତ୍ର ୩୦ ସେକେଣ୍ଡ ଚାଲିଥିଲା ଗୃହ । ହାତରେ ପ୍ଲାକାର୍ଡ ଓ ବ୍ୟାନର ଧରି ବିରୋଧୀ ପ୍ରଦର୍ଶନ କରିଥିଲେ । ମନ୍ତ୍ରୀଙ୍କ ବହିଷ୍କାର ଦାବି ଓ ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ଅଡିବସିଥିଲେ । ଖାଲି ସେତିକି ନୁହେଁ ଗୃହ ମୁଲତବୀ ହେବା ପରେ ବାହାରକୁ ଆସି ବିଜେପି ସଦସ୍ୟମାନେ ପ୍ରତିବାଦ ଓ ନାରାବାଜି କରିଥିଲେ । ଗୃହକାର୍ଯ୍ୟ ଚଳାଇବାରେ ବାଚସ୍ପତି ପକ୍ଷପାତିତା କରୁଛନ୍ତି ବୋଲି ବିଜେପି ଅଭିଯୋଗ ଆଣିଛି । କଂଗ୍ରେସ ବିଧାୟକ ମଧ୍ୟ ମମିତା ହତ୍ୟାର ଏସଆଇଟି ତଦନ୍ତ ଦାବିରେ ଡିଜିଙ୍କୁ ଫେରାଦ ହୋଇଛନ୍ତି ।

ଭିତରେ ବିରୋଧୀ, ବାହାରେ ଶାସକ ଦଳର ପ୍ରତିବାଦ । ବିରୋଧୀଙ୍କ କାଉଣ୍ଟର ପାଇଁ ବିଜେଡିର କେନ୍ଦ୍ର ବିରୋଧୀ ନାରା । ଗୃହ ଭିତରେ ବିରୋଧୀଙ୍କ ହଙ୍ଗାମା ଜାରି ରହିଥିବାବେଳେ ବାହାରେ କେନ୍ଦ୍ରକୁ ଟାର୍ଗେଟ କରିଥିଲା ବିଜେଡି । ରନ୍ଧନ ଗ୍ୟାସ ବୃଦ୍ଧି ପ୍ରତିବାଦରେ ଗୃହ ବାହାରେ ଗାନ୍ଧିମୂର୍ତ୍ତି ତଳେ ପ୍ରତିବାଦ କରିଥିଲେ ବିଜେଡି ବିଧାୟକ । ଦଳ କହିଛି, ଗ୍ୟାସ ଦର ବୃଦ୍ଧି ସାଧାରଣ ଲୋକଙ୍କୁ ବାଧିଛି । ମୁଖ୍ୟ ପ୍ରସଙ୍ଗକୁ ଏଡାଇବା ପାଇଁ ବିଜେପି ଅନ୍ୟ ଇସ୍ୟୁ ଉଠାଉଛି ବୋଲି ଦଳ କହିଛି ।

ଦ୍ୱିତୀୟାର୍ଦ୍ଧରେ ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ମମିତା ମୃତ୍ୟୁ ପ୍ରସଙ୍ଗରେ ହୋହଲ୍ଲା ଜାରି ରହିଥିଲା । ସେପଟେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଭିନ୍ନ ରିପୋର୍ଟ ଉପସ୍ଥାପନ କରିଥିଲେ । ବିଧାନସଭା ଗୃହକାର୍ଯ୍ୟ ପାଇଁ ଦିନକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ପ୍ରଶ୍ନ ଉଠୁଛି, ଟଙ୍କା ଅପବ୍ୟୟ ପାଇଁ ଲୋକଙ୍କ ପାଖରେ ଉତ୍ତରଦାୟୀ ରହିବେ କି ଜନପ୍ରତିନିଧି ।