ଗାଁକୁ ରାସ୍ତା, ପିଇବାକୁ ପାଣି ନାହିଁ ତ ଭୋଟ ନାହିଁ: ଗ୍ରାମବାସୀଙ୍କ ସମୂହ ଭୋଟ ବର୍ଜନ ନିଷ୍ପତ୍ତି  

112

କନକ ବ୍ୟୁରୋ: ନିର୍ବାଚନରେ ସ୍ଥାନୀୟ ଅଂଚଳର ସମସ୍ୟା ଓ ବିକାଶକୁ ପ୍ରସଙ୍ଗ କରି ନିର୍ବାଚନ ଲଢନ୍ତି ବିରୋଧୀ ଓ ଶାସକ ଦଳ । କିନ୍ତୁ ନିର୍ବାଚନ ଯାଏ, ଆଉ ଏକ ନିର୍ବାଚନ ଆସେ, ହେଲେ ସମସ୍ୟା ଯେମିତି ଥିଲା ସେମିତି ରହିଥାଏ । କେବଳ ପ୍ରତିଶ୍ରୁତିରେ ରହିଯାଏ ନେତାଙ୍କ କଥା । କିନ୍ତୁ ଏଥର ନଛୋଡବନ୍ଧା ଭୋଟର । ପ୍ରତିଶ୍ରୁତି ପୂରଣ ନହେବା ପର୍ଯ୍ୟନ୍ତ ଭୋଟ ଦେବେ ନାହିଁ ବୋଲି ଖୋଲା ଚେତାବନୀ ଦେଇଛନ୍ତି  । ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ ।

ଗାଁକୁ ରାସ୍ତା ଦିଅ, ପାଣି ଦିଅ ଆଉ ଭୋଟ ନିଅ । ସ୍ୱାଧିନତାର ୭ ଦଶନ୍ଧି ପରେ ବି ଗାଁକୁ ରାସ୍ତା, ପିଇବା ପାଣି ସୁବିଧା ନାହିଁ । ତେଣୁ ଏଥର ପଂଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ନିଷ୍ପିତ ନେଇଛନ୍ତି ଯାଜପୁର ଜିଲ୍ଲା ଶାଳିଜଙ୍ଗା ପଂଚାୟତର ବିଣାପାଟିଆ ଗ୍ରାମବାସୀ । ୪ଶହରୁ ଅଧିକ ଭୋଟର ଥିବା ବିଣାପାଟିଆ ଗାଁକୁ ମୌଳିକ ସୁବିଧା ଯୋଗାଇ ଦେବାରେ ବିଫଳ ହୋଇଛି ପ୍ରଶାସନ । ବାରମ୍ବାର  ଅଭିଯୋଗ ସତ୍ୱେ କେହି ନ ଶୁଣିବାରୁ ଏଥର ଭୋଟ ବର୍ଜନ ନିଷ୍ପତି ନେଇଛନ୍ତି ଗ୍ରାମବାସୀ । ଏପରିକି ଗାଁରୁ ୱାର୍ଡ ସଭ୍ୟ ପାଇଁ ମଧ୍ୟ କେହି ନାମାଙ୍କନ ଦାଖଲ କରିନାହାନ୍ତି ।

ସେପଟେ ପାରାଦୀପ ଉପକଣ୍ଠର ୯ଟି ମୌଜାର ଲୋକ ଭୂବନ୍ଦୋବସ୍ତ ଦାବିରେ ଭୋଟ୍ ବର୍ଜନ ଚେତାବନୀ ଦେଇଛନ୍ତି । କତବୁଲା, ନୂଆଗଡ, ବାଲିଡିଆ ଭଳି ୯ଟି ଗାଁକୁ ନେଇ ଗଠିତ ଭୂବନ୍ଦୋବସ୍ତ କମିଟି ବୈଠକରେ ଏହି ନିଷ୍ପତି ନିଆଯାଇଛି । ପାଖା ପାଖି ଶହେ ବର୍ଷ ହେବ ୯ଟି ମୌଜାରେ ଜମିବାଡି ବନ୍ଦୋବସ୍ତ ହୋଇନାହିଁ । ଫଳରେ ଜମିବାଡି କିଣା ବିକା, ଆବାସିକ ପ୍ରମାଣପତ୍ର, ଜମି ମାଲିକାନାରେ ପରିବର୍ତନ ଭଳି ସମସ୍ୟାରେ ଲୋକେ ଛନ୍ଦି ହେଉଛନ୍ତି । ତେଣୁ ଶୀଘ୍ର ୯ଟି ମୌଜାରେ ଭୂବନ୍ଦୋବସ୍ତ ନକଲେ ପଂଚାୟତ ନିର୍ବାଚନରେ ଭାଗ ନେବେ ନାହିଁ ବୋଲି କହିଛନ୍ତି ଅଂଚଳର ମୁରବୀ ।

କଥାରେ ଅଛି ଚାଷ ହୁଡିଲେ ବରଷେ, ଭୋଟର ହୁଡିଲେ ପାଂଚ ବର୍ଷ । ପଂଚାୟତ ନିର୍ବାଚନର ବିଗୁଲ ପରେ ଅନ୍ୟ ସମୟରେ ଦେଖା ମିଳୁନଥିବା ନେତା ଏବେ ଗାଁ ମୁହାଁ ହେଉଛନ୍ତି । ଏଣୁ ସମୟରେ ଭୋଟ ବର୍ଜନ ଚେତାବନୀ ଓ ଚାପ ପକାଇ ହକ ହାସଲ ପାଇଁ ଭୋଟର ଉଦ୍ୟମ କରୁଛନ୍ତି ।