ପୋତିହେବାକୁ ବସିଲାଣି ଜୁନାଗଡ ବ୍ଲକର ଜୀବନରେଖା ଭତ୍ରା ଡ୍ୟାମ୍ । ୫୦ ବର୍ଷରେ ଥରୁଟିଏ ବି ହୋଇନାହିଁ ପୁନରୁଦ୍ଧାର । 

88

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକର ଜୀବନରେଖା ଭତ୍ରା ଡ୍ୟାମ ଏବେ ପୋତିହେବାକୁ ଲାଗିଲାଣି । ହେଲେ ଏଥିପ୍ରତି ପ୍ରଶାସନର ନିଘା ନାହିଁ । ଦିନେ ଡ୍ୟାମରୁ ଜୁନାଗଡ ବ୍ଲକର ୧୮ଶହ ହେକ୍ଟର ଚାଷ ଜମି ପାଣି ଯୋଗାଯାଉଥିଲା । କିନ୍ତୁ ଏବେ ଭତ୍ରା ଡ୍ୟାମରେ ପ୍ରାୟ ୧୫ ଫୁଟ ମାଟି ପୋତି ହେବାରୁ ଜଳ ଯୋଗାଣରେ ବିଭ୍ରାଟ ସୃଷ୍ଟି ହୋଇଛି । ପ୍ରାୟ ୫୦ ବର୍ଷ ହେଲା ଡ୍ୟାମର ପୁନରୁଦ୍ଧାର କରାଯାଇ ନାହିଁ କି ପାରପାଶ୍ୱର୍ିକ ବିକାଶ ବି ହୋଇନି । ଯାହାକୁ ନେଇ ଚାଷୀ ଓ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଦିନେ କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକର ଜୀବନ ରେଖା ପାଲଟିଥିଲା ଭତ୍ରା ଡ୍ୟାମ ଏବେ ନିଜ ପରିଚୟ ଖୋଜୁଛି । ଡ୍ୟାମ ନିର୍ମାଣର ୫୦ ବର୍ଷରୁ ଅଧିକ ସମୟ ବିତି ଗଲାଣି । ହେଲେ ଥରୁଟିଏ ବି ଡ୍ୟାମର ପୁନରୁଦ୍ଧାର କାମ ହୋଇପାରି ନାହିଁ । ଫଳରେ ଡ୍ୟାମରେ ୧୫ ଫୁଟରୁ ଅଧିକ ଅଂଚଳ ମାଟି ପୋତି ହୋଇଯାଇଥିବାରୁ ଜଳ ଯୋଗାଣ ବାଧା ପ୍ରାପ୍ତ ହେଉଛି । ୩ଟି ପଂଚାୟତର ପ୍ରାୟ ୫ଶହ ଏକର ଜମିରେ ନିର୍ମିତ ଏହି ଭତ୍ରା ଡ୍ୟାମ । ଏକଦା ୧୨୦୦ରୁ ୧୮୦୦ ହେକ୍ଟର ଚାଷ ଜମିକୁ ପାଣି ଯୋଗାଇ ଦେଉଥିଲା । କିନ୍ତୁ ଏବେ ଡ୍ୟାମ ପୋତି ହେଉଥିବାରୁ ସବୁ ଅଂଚଳକୁ ଜଳସେଚନ ହୋଇ ପାରୁ ନାହିଁ ।

ଗୋଟିଏ ବିଭାଗରୁ ଆଉ ବିଭାଗକୁ ପରିଚାଳନା ପାଇଁ ହସ୍ତାନ୍ତର ହେଉଛି ହେଲେ ଭତ୍ରା ଡ୍ୟାମର ଭାଗ୍ୟ ବଦଳି ପାରୁନାହିଁ । ବିଗତ ଦିନରେ ଭତ୍ରା ଡ୍ୟାମର ପ୍ରାକୃତିକ ସୌନ୍ଦର୍ଯ୍ୟ ଦୂର ଦୂରାନ୍ତର ପର୍ଯ୍ୟଟକଙ୍କୁ ଟାଣି ଆଣୁଥିଲା । ପାରପାଶ୍ୱର୍ିକ ବିକାଶ କରାଯାଉନଥିବାରୁ ଡ୍ୟାମ ସୌନ୍ଦର୍ଯ୍ୟ ହରାଇଛି ।  ୧୯୫୨ ମସିହାରେ ଭତ୍ରା ଡ୍ୟାମ ମଧ୍ୟମ ଜଳସେଚନ ବିଭାଗରୁ କ୍ଷୁଦ୍ର ଜଳସେଚନ ବିଭାଗକୁ ହସ୍ତାନନ୍ତର ହୋଇଥିଲା ।

୨୦୦୧ ମେ ୧୨ ତାରିଖରେ କ୍ଷୁଦ୍ର ଜଳ ସେଚନ ବିଭାଗରୁ ଇନ୍ଦ୍ରାବତୀକୁ ହସ୍ତାନ୍ତର ହୋଇଥିଲା । ହେଲେ ଏବେ ଡ୍ୟାମରେ ୧୦ରୁ ୧୫ ଫୁଟ ମାଟି ପୋତି ହୋଇଗଲାଣି । ୨୦୦୧ ମସିହାରୁ ଏହି ଡ୍ୟାମ ଭୁବନେଶ୍ୱର ସେଫ୍ଟି ଡ୍ୟାମ ଅଧିନରେ ରହିଛି । ପ୍ରତିବର୍ଷ ରାଜ୍ୟ ସରକାରଙ୍କୁ ଭତ୍ରା ଡ୍ୟାମର ପୁନରୁଦ୍ଧାର ପାଇଁ ରିପୋର୍ଟ ଦିଆଯାଉଛି, ହେଲେ ଫଳ କିଛି ମିଳୁ ନାହିଁ ।