ଟ୍ରେନ ଯାତ୍ରା ବେଳେ ଦୂର ହେବ ୱେଟିଂ ଲିଷ୍ଟ ଦ୍ୱନ୍ଦ୍ୱ । କେନ୍ଦ୍ର ରେଳମନ୍ତ୍ରୀ କହିଲେ ଆଗାମୀ ୫ ବର୍ଷ ମଧ୍ୟରେ ଦୂର ହେବ ସମସ୍ୟା ।

226

କନକ ବ୍ୟୁରୋ: ଟ୍ରେନ ଯାତ୍ରା ବେଳେ ସିଟ୍ ପାଇଁ ଆଉ ଅପେକ୍ଷା କରିବାକୁ ପଡିବ ନାହିଁ । ଆଗାମୀ ୫ ବର୍ଷ ମଧ୍ୟରେ ଏହି ସୁବିଧା ଉପଲବ୍ଧ ହେବାକୁ ଯାଉଛି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଏହା କହିଛନ୍ତି । କେନ୍ଦ୍ର ସରକାର ରେଳବାଇରେ ଭିତ୍ତିଭୂମି କ୍ଷେତ୍ରରେ ବ୍ୟାପକ ପୁଞ୍ଜିନିବେଶ କରିଛନ୍ତି । ୫ ବର୍ଷ ମଧ୍ୟରେ ପ୍ରାୟ ପ୍ରତ୍ୟେକ ଯାତ୍ରୀଙ୍କୁ କନଫର୍ମ ଟିକେଟ ମିଳିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗ୍ୟାରେଣ୍ଟି ଦେଉଛନ୍ତି । ୱେଟିଂ ଲିଷ୍ଟକୁ ଦୂର କରିବା ପାଇଁ ନୂଆ ଟ୍ରେନ ପାଇଁ ୧ ଲକ୍ଷ କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ରେଳମନ୍ତ୍ରୀ କହିଛନ୍ତି । ଗତ ବର୍ଷ ନଭେମ୍ବରରେ ବୈଷ୍ଣବ କହିଥିଲେ ଯେ ରେଳବାଇର ଯାତ୍ରୀ କ୍ଷମତା ବର୍ତ୍ତର୍ମାନର ୮୦୦ କୋଟିରୁ ୧୦୦୦ କୋଟିକୁ ବୃଦ୍ଧି କରିବା ପାଇଁ ଆଗାମୀ ୪-୫ ବର୍ଷ ମଧ୍ୟରେ ୩ ହଜାର ନୂଆ ଟ୍ରେନ୍ ଚଳାଚଳ କରିବାକୁ ଯୋଜନା ହେଉଛି । ଏବେ ଟ୍ରେନରେ ବାର୍ଷିକ ପ୍ରାୟ ୮୦୦ କୋଟି ଯାତ୍ରୀ ପରିବହନ କରୁଛନ୍ତି । ଜନସଂଖ୍ୟା ବଢ଼ୁଥିବାରୁ ୪ରୁ ୫ ବର୍ଷ ମଧ୍ୟରେ କ୍ଷମତାକୁ ଆଉ ୧୦ କୋଟିକୁ ବୃଦ୍ଧି କରିବାକୁ ପଡ଼ିବ ବୋଲି ମନ୍ତ୍ରୀ କହିଥିଲେ ।