ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବ ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଟ୍ରାଫିକ କଟକଣା । ୫ ଘଣ୍ଟା ପର୍ଯ୍ୟନ୍ତ ଜୟଦେବ ବିହାର ଛକରୁ ନାଲକୋ ଛକ ପର୍ଯ୍ୟନ୍ତ ଗଡିବନି ଗାଡି ।

660

କନକ ବ୍ୟୁରୋ : ଆସନ୍ତାକାଲି ଓଡ଼ିଶାରେ ପ୍ରଥମଥର ପାଇଁ ଶପଥ ନେବେ ବିଜେପି ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବରେ ସାମିଲ ହେବାକୁ ଓଡ଼ିଶା ଆସୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଜନତା ମୈଦାନରେ ହେବାକୁ ଥିବା ଶପଥଗ୍ରହଣ ଉତ୍ସବ ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ୫ ଘଣ୍ଟାର ଟ୍ରାଫିକ କଟକଣା ଜାରି କରିଛି କମିସନରେଟ ପୋଲିସ । ଅପରାହ୍ନ ୨ଟାରୁ ସନ୍ଧ୍ୟା ୭ଟା ଯାଏଁ ଜୟଦେବ ବିହାରରୁ ନାଲକୋ ଛକ ମଧ୍ୟରେ ଗାଡି ଚଳାଚଳ ଉପରେ ରୋକ ଲଗାଯାଇଛି । ସେହିଭଳି ଏହି ରୁଟକୁ ସଂଯୋଗ କରୁଥିବା ଗଳି ରାସ୍ତାକୁ ମଧ୍ୟ ସିଲ କରାଯିବ । ଏହି ରାସ୍ତାରେ ମଧ୍ୟ ଗାଡି ଚଳାଚଳ ହେବନି ବୋଲି ସ୍ପଷ୍ଟ କରିଛି ପୋଲିସ କମିସନର ।

ବିମାନବନ୍ଦରରୁ ଜନତା ମୈଦାନ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଶପଥଗ୍ରହଣ ଉତ୍ସବରେ ସାମିଲ ହେବାକୁ ବସରେ ଆସିଥିବା ଯାତ୍ରୀ ଓଏସଏପି ୭ମ ବିଏନ ପଡିଆ ଗେଟ୍ ସାମ୍ନାରେ ଓହ୍ଲାଇ ଚାଲି ଚାଲି ଜନତା ମୈଦାନକୁ ଯିବେ । ସେହିଭଳି ଏହି ବସ୍ ଗୁଡିକ ରେଲୱେ କଲୋନୀ ଗୋଲେଇ ଛକ ଠାରୁ ଉକ୍ରଳ ହସ୍ପିଟାଲ ଏବଂ ହାତିଆସୁଣୀ ଛକ ରାସ୍ତାରେ ପାର୍କିଂ କରିପାରିବେ । ସେହିଭଳି ଚାରି ଚକିଆ ଯାନ ଗୁଡିକ ସୈନିକ ସ୍କୁଲ କ୍ୟାମ୍ପସରେ ପାର୍କିଂ କରିବେ ।