ରାଜ୍ୟର ୧୫ ଜିଲ୍ଲାରେ ଆଜି ହେବନି ଟିକାକରଣ । ଲଗାତର ତିନି ଦିନ ଧରି ୫୦ ହଜାର ତଳେ ରହୁଛି ଟିକା ଦାନ, ଶୁକ୍ରବାର ଦିଆଗଲା ମାତ୍ର ୩୧ ହଜାର ଡୋଜ ଟିକା ।

109

କନକ ବ୍ୟୁରୋ : ଟିକା ଆସିଛି, ହେଲେ ବିଭିନ୍ନ ଜିଲ୍ଲାକୁ ପହଞ୍ଚି ପାରିନାହିଁ । ତେଣୁ ଆଜି ୧୫ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ, ୩୯୯ ଟିକା କେନ୍ଦ୍ରରେ କରାଯିବ ଟିକାକରଣ । ଯେଉଁଜିଲ୍ଲାରେ ଆଜି ଟିକାକରଣ ହେବ ନାହିଁ, ସେହି ଜିଲ୍ଲାଗୁଡିକ ହେଉଛି ବଲାଙ୍ଗିର, ବାଲେଶ୍ୱର, ବୌଦ୍ଧ, ଦେବଗଡ, ଗଂଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡା, କୋରାପୁଟ, ମାଲକାନଗିରି, ମୟୂରଭଂଜ, ନବରଙ୍ଗପୁର, ନୂଆପଡା, ରାୟଗଡା, ସୋନପୁର ।

ରାଜ୍ୟରେ ବର୍ତମାନ କୋଭିସିଲଡ ଟିକା ୧୦ ଲକ୍ଷ ୫୫ ହଜାର ୮୦୦ ଡୋଜ ମହଜୁଦ ରହିଥିବା ବେଳେ କୋଭାକ୍ସିନ ୪ ଲକ୍ଷ ୧୮ ହଜାର ୪୨୦ ଡୋଜ ରହିଛି । ଗୋଟିଏ ପଟେ ରାଜ୍ୟରେ ଦୈନିକ ସଂକ୍ରମଣ ଦୁଇ ସପ୍ତାହ ଧରି ସ୍ଥିର ରହିଛି । ଅନ୍ୟପଟେ ଟିକାକରଣ ଦିନକୁ ଦିନ ଧିମେଇ ଯାଉଛି ।

ଶୁକ୍ରବାର ରାଜ୍ୟରେ ୧୭ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଥିଲା । ୧୦୭ ଟିକାକେନ୍ଦ୍ରରେ ମାତ୍ର ୩୧ ହଜାର ୨୯୨ ଡୋଜ୍ ଟିକା ଦିଆଯାଇଛି । ଜୁନ ୨୧ରୁ ବଡ଼ ଟିକାକରଣ ଅଭିଯାନ ଆରମ୍ଭ ହେବା ପରେ ଏହା ରାଜ୍ୟର ସବୁଠୁ କମ୍ ଟିକାକରଣ । ଗୁରୁବାର ୩୫ହଜାର ୫୪୪ ଡୋଜ୍ ଟିକା ଦିଆଯାଇଥିଲା । ଏପଟେ ଶୁକ୍ରବାର ସନ୍ଧ୍ୟାରେ ରାଜ୍ୟରେ ପହଂଚିଛି ଆଉ ୯ ଲକ୍ଷ ୪୩ ହଜାର ୩୮ କୋଭିସିଲଡ ଟିକା । ହେଲେ ବିଭିନ୍ନ ଜିଲ୍ଲାକୁ ପଠାଯାଇ ପାରିନାହିଁ । ଫଳରେ ଆଜି ମଧ୍ୟ ରାଜ୍ୟରେ ଟିକାକରଣ ବାଧାପ୍ରାପ୍ତ ହେବ ।