ବର୍ତ୍ତମାନ ପାଇଁ ପୁରୀକୁ ଗଡିବନି କୌଣସି ବି ଟ୍ରେନ୍: ପୁରୀକୁ ଯାଉଥିବା ବା ଆସୁଥିବା ଟ୍ରେନ୍ ଭୁବନେଶ୍ୱର ଯାଏ ଯିବ; ରାଜ୍ୟ ସରକାରଙ୍କ ପରାମର୍ଶକ୍ରମେ ପୂର୍ବତଟ ରେଳବାଇର ନିଷ୍ପତ୍ତି

ଜୁନ୍ ୧ ରେ ଭୁବନେଶ୍ୱରରୁ ଗଡ଼ିବ ପୁରୁଷୋତ୍ତମ ଏକ୍ସପ୍ରେସ୍ । ପୁରୀକୁ ଯିବ ନାହିଁ ସିଆଲଦା-ପୁରୀ ଦୁରନ୍ତୋ ଏକ୍ସପ୍ରେସ୍

486

କନକ ବ୍ୟୁରୋ: ପୁରୀକୁ ଗଡିବନି ଟ୍ରେନ । ପୁରୀକୁ ବର୍ତ୍ତମାନ ଚାଲିବନି କୌଣସି ବି ଟ୍ରେନ । ତେବେ ରାଜ୍ୟ ସରକାରଙ୍କ ପରାମର୍ଶ କ୍ରମେ ପୁରୀକୁ ଟ୍ରେନ୍ ସେବା ବନ୍ଦ ପାଇଁ ପୂର୍ବତଟ ରେଳବାଇର ନିଷ୍ପତି । ସେହିଭଳି ପୁରୀରୁ ମଧ୍ୟ କୌଣସି ଟ୍ରେନ ଚଳାଚଳ କରିବ ନାହିଁ । ଅର୍ଥାତ୍ ପୁରୀକୁ ଯାଉଥିବା ବା ଆସୁଥିବା ଟ୍ରେନ ଗୁଡିକ ଭୁବନେଶ୍ୱର ଯାଏଁ ହିଁ ଗଡିବ । ଜୁନ ୧ ତାରିଖରୁ ଚାଲିବାକୁ ଥିବା ପୁରୁଷୋତ୍ତମ ଏକ୍ସପ୍ରେସ୍ ଭୁବନେଶ୍ୱରରୁ ଯିବ । ସେହିଭଳି ସିଆଲଦା-ପୁରୀ ଦୁରନ୍ତୋ ଏକ୍ସପ୍ରେସ କ୍ଷେତ୍ରରେ ବି ସମାନ ନିୟମ ଲାଗୁ ହୋଇଛି ।

ଅର୍ଥାତ୍ ପୁରୀକୁ ସିଆଲଦା-ପୁରୀ ଦୁରନ୍ତୋ ଏକ୍ସପ୍ରେସ ଯିବନାହିଁ ବୋଲି ନିଷ୍ପତି ନେଇ ପୂର୍ବତନ ରେଳବାଇ । ତେବେ କାହିଁକି ପୁରୀକୁ ଟ୍ରେନ କଟକଣା ଜାରି ହୋଇଛି ସେନେଇ ବର୍ତ୍ତମାନ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ସମ୍ଭବତଃ ସ୍ନାନ ଯାତ୍ରାକୁ ନଜରରେ ରଖି ସରକାର ଏଭଳି କଟକଣା ଲଗାଇଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।

ଅନ୍ୟପଟେ, ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଜି ଚୂଡାନ୍ତ ହେବ ସ୍ନାନ ପୂର୍ଣ୍ଣିମା ନୀତି ନିର୍ଘଂଟ । ଏଥିପାଇଁ ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସି ମାଧ୍ୟମରେ ଚାଲିଛି ବୈଠକ । ପାଳିଆ ସେବାୟତଙ୍କ ବ୍ୟତିତ ଅନ୍ୟ ସେବାୟତମାନେ କିଭଳି ସ୍ନାନମଣ୍ଡପ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିବେ, ସେ ନେଇ ବୈଠକରେ ଆଲୋଚନା ହେଉଛି । ବୈଠକରେ ସ୍ନାନଯାତ୍ରାର ସିଧାପ୍ରସାରଣ ପ୍ରସଙ୍ଗରେ ମଧ୍ୟ ଆଲୋଚନା ଚାଲିଛି । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, କାର୍ଯ୍ୟକାରୀ ଅଧ୍ୟକ୍ଷ ସୁରେଶ ମହାପାତ୍ର, ଜିଲ୍ଲାପାଳ ବଲବନ୍ତ ସିଂ, ଏସପି ଉମାଶଙ୍କର ଦାସ୍ ଏବଂ ସମସ୍ତ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ଅଛନ୍ତି ।