୧୦ ତାରିଖ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରକୁ ଗଡିବନି ଟ୍ରେନ୍ । ସେପଟେ ବିଭିନ୍ନ ସ୍ଥାନକୁ ସ୍ୱାଭାବିକ ହେଲା ଟ୍ରେନ୍ ଚଳାଚଳ ।

174

ମେ’ ୧୦ ପର୍ଯ୍ୟନ୍ତ ପୁରୀକୁ କୌଣସି ଟ୍ରେନ୍ ଗଡ଼ିବ ନାହିଁ। କାରଣ ପୁରୀ ସମେତ ଖୋର୍ଧା ରୋଡ୍ ଓ ଭୁବନେଶ୍ବର ରେଳ ଲାଇନରେ ବ୍ୟାପକ କ୍ଷତି ହୋଇଛି। ପୁରୀ ରେଳ ଷ୍ଟେସନ ଓ କୋଚ୍ ରକ୍ଷଣାବେକ୍ଷଣ ଡିପୋ ମଧ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ତାହାକୁ ଏବେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯାଉଛି । ଏଥିପାଇଁ ସମୟ ଲାଗିବ ଏବଂ ୧୦ ତାରିଖ ପର୍ଯ୍ୟନ୍ତ ପୁରୀକୁ ସିଧାସଳଖ ଟ୍ରେନ୍ ସେବା ସମ୍ଭବ ନୁହେଁ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ରାତି ସୁଦ୍ଧା ଭୁବନେଶ୍ବର ଓ ଖୋର୍ଧା ରୋଡ୍ ରେଳଲାଇନକୁ କିଛି ମାତ୍ରାରେ ମରାମତି କରାଯାଇଛି । ଅଳ୍ପ କିଛି ଟ୍ରେନ୍ ଯାତ୍ରା କରିବା ଲାଗି ଉପଯୋଗୀ ହୋଇଛି । ପୂର୍ବତଟ ରେଳପଥ ଅଧୀନରେ ଥିବା ଲେବଲ୍ କ୍ରସିଂ ପେଟ୍ସ ଓ ସିଗନାଲ ପୋଷ୍ଟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ଟ୍ରେନ୍ ଲାଇନରେ ଥିବା ବିଦ୍ୟୁତ୍ ତାର ନଷ୍ଟ ହୋଇଛି । ତଥାପି ସ୍ଥିତିକୁ ଗୁରୁତ୍ବ ଦେଇ ହାୱଡା-ଚେନ୍ନାଇ ରେଳ ଲାଇନକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବା ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ପୂର୍ବତଟ ରେଳପଥର ଜନସମ୍ପର୍କ ଅଧିକାରୀ ଜେ ପି ମିଶ୍ର ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆଜି ସନ୍ଧ୍ୟା ୭ଟାରେ ଭୁବନେଶ୍ବରରୁ ବେଙ୍ଗାଲୁରୁ ଅଭିମୁଖେ ଏକ ଟ୍ରେନ୍ (୦୮୪୬୩) ଯାତ୍ରା ଆରମ୍ଭ କରିଛି । ଏହି ସ୍ବତନ୍ତ୍ର ଟ୍ରେନଟି ୬ ତାରିଖ ରାତି ୧ଟା ୩୫ ମିନିଟ୍ (୫ ତାରିଖ ମଧ୍ୟରାତ୍ରି ପରେ)ରେ ବେଙ୍ଗାଲୁରୁରେ ପହଞ୍ଚିବ। ଏଥିରେ ଗୋଟିଏ ଏସି ୨-ଟାୟାର, ୪ଟି ଏସି-୩ ଟାୟର, ୧୧ଟି ସ୍ଲିପର୍ କ୍ଲାସ, ୪ଟି ଦ୍ବିତୀୟ ଶ୍ରେଣୀ ସିଟିଂ, ୨ଟି ଗାର୍ଡ, ଲଗେଜ୍ ଭ୍ୟାନ୍ କୋଚ୍ ରହିଛି। ଏହି ଟ୍ରେନଟି ଖୋର୍ଧା ରୋଡ୍, ବ୍ରହ୍ମପୁର, ପଲାସା, ବିଜୟନଗରମ୍, ବିଶାଖାପାଟଣା ପ୍ରଭୃତି ଷ୍ଟେସନରେ ରହିବ।

ସେହିପରି ଜଗଦଲପୁର ଓ ଜୁନାଗଡ଼ ରୋଡକୁ ମଧ୍ୟ ସ୍ବତନ୍ତ୍ର ଟ୍ରେନ୍ (୦୮୪୪୭/୦୮୪୩୭) ଆଜି ସନ୍ଧ୍ୟା ୭ଟା ୩୫ ମିନିଟରେ ଭୁବନେଶ୍ବରରୁ ଛାଡ଼ିଛି । ଜଗଦଲପୁରକୁ ଯାଉଥିବା ସ୍ବତନ୍ତ୍ର ଟ୍ରେନ୍ ମେ’ ୫ ତାରିଖ ଅପରାହ୍ନ ଗୋଟାଏ ୪୦ରେ ପହଞ୍ଚିବ। ଜୁନାଗଡ଼ ରୋଡ୍ଠାରେ ସକାଳ ୯ଟା ୫ରେ ପହଞ୍ଚିବ। ସେହିପରି ଜଗଦଲପୁର ଓ ଜୁନାଗଡ଼ଠାରୁ ଦୁଇଟି ସ୍ବତନ୍ତ୍ର ଟ୍ରେନ୍ ଭୁବନେଶ୍ବର ଅଭିମୁଖେ ବାହାରିଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି । ସମ୍ବଲପୁରରୁ ଭୁବନେଶ୍ବର ପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର ଟ୍ରେନ୍ (୦୮୩୧୧) ଆଜି ଅପରାହ୍ନ ୫ଟାରେ ଭୁବନେଶ୍ବର ଅଭିମୁଖେ ବାହାରିଛି । ଏହି ଟ୍ରେନ୍ ଭୁବନେଶ୍ବରରେ ପହଞ୍ଚିବା ପରେ ରାତି ୧୦ଟା ୪୫ରେ ସମ୍ବଲପୁର ଅଭିମୁଖେ ଯାତ୍ରା କରିବ।