କନକ ବ୍ୟୁରୋ : ବିଏମସିର ବେପରୁଆ ମନୋଭାବ ଯୋଗୁଁ ସ୍ମାର୍ଟସିଟିରେ ମୁକୁଳା ପଡିଛି ଡ୍ରେନ୍ । ବର୍ଷବର୍ଷ ଧରି ଗୋଟିଏ ପରେ ଗୋଟିଏ ଜୀବନ ଯାଉଥିଲେ ମଧ୍ୟ କର୍ତ୍ତୃପକ୍ଷଙ୍କ କୌଣସି ଚିନ୍ତା ନାହିଁ । ଭୁବନେଶ୍ୱର ମହାନଗରରେ ମୁକୁଳା ପଡିଥିବା ପ୍ରାୟ ୪୦ ପ୍ରତିଶତ ଡ୍ରେନ ସାଧାରଣ ପଥଚାରୀଙ୍କ ପାଇଁ ପାଲଟିଛି ମରଣଯନ୍ତା । ମିଳିଥିବା ସୂଚନା ଅନୁସାରେ ବିଏମସି ଅଂଚଳରେ ରହିଛି ପ୍ରାୟ ୫୬୦ କିଲୋମିଟରର ଡ୍ରେନ୍ । ହେଲେ ଏଥିମଧ୍ୟରୁ ୨୩୦ କିଲୋମିଟର ଡ୍ରେନ୍ ମୁକୁଳା ପଡିଥିବା ଏକ ସୂତ୍ରରୁ ସୂଚନା ମିଳିଛି ।
ଭୁବନେଶ୍ୱର ମହାନଗର ଭିତରେ କେତେ ଡ୍ରେନ୍ ମୁକୁଳା ପଡିଛି, ତାର ସର୍ଭେ କରିବାକୁ ଯୋଜନା ଥିଲେ ମଧ୍ୟ କେବଳ ବେପରୁଆ ମନୋଭାବ ଯୋଗୁଁ ତାହା ଆଜିଯାଏ କାର୍ଯ୍ୟକାରୀ ହୋଇପାରୁ ନାହିଁ । କୌଣସି ପରିସ୍ଥିତିରେ ବି ଡ୍ରେନ୍ ମୁକୁଳା ରହିପାରିବ ନାହିଁ । ସମସ୍ତ ଡ୍ରେନ ଉପରେ ସ୍ଲାବ ପକାଇବା ବାଧ୍ୟତାମୂଳକ । କିନ୍ତୁ ରାଜଧାନୀ ଭୁବନେଶ୍ୱରରେ ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶାବଳୀକୁ ଖୋଲାଖୋଲି ଉଲ୍ଲଂଘନ କରିଚାଲିଛି ବିଏମସି । ବଡକଥା ହେଉଛି ୨୦୧୮ ମସିହାରେ ଡ୍ରେନେଜ ସମସ୍ୟାର ସମାଧାନ କରିବା ପାଇଁ ବିଏମସିକୁ ୧ ହଜାର କୋଟି ଟଙ୍କା ଦେଇଥିଲେ ମୁଖ୍ୟମନ୍ତ୍ରୀ । ତେବେ ଏଠି ଅନେକ ପ୍ରଶ୍ନ ଉଠୁଛି ।
ଭାସିଗଲା ପିଲା ପ୍ରଶ୍ନ ଘେରରେ ବିଏମସି
- ସ୍ମାର୍ଟ ସିଟିରେ ମୁକୁଳା ପଡ଼ିଥିବା ଡ୍ରେନ ପାଇଁ ଦାୟୀ କିଏ ?
- ବିଏମସିର ବେପରୁଆ ମନୋଭାବକୁ କାହିଁକି ଦାୟୀ କରାଯିବନି ?
- ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡ଼ୁଛି, ବିଏମସି ଅଚିନ୍ତା ନିଦରେ ଶୋଇଛି ?
- ଅସରାଏ ପାଣିରେ କାହିଁକି ଉବୁଟୁବୁ ହେଉଛି ରାଜଧାନୀ ଭୁବନେଶ୍ୱର ?
- କେତେଦିନ ଯାଏଁ ସ୍ମାର୍ଟ ସିଟିରେ ହନ୍ତସନ୍ତ ହେଉଥିବେ ସାଧାରଣ ଲୋକ ?
- ଆଉ କେତେ ଜୀବନ ଗଲେ ପ୍ରଶାସନର ନିଦ ଭାଙ୍ଗିବ ?
- ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରୁନାହିଁ କି ବିଏମସି ?
- କେବେ ପଡ଼ିବ ରାଜଧାନୀର ମୁକୁଳା ଡ୍ରେନ ଉପରେ ସ୍ଲାବ ?