ରାଷ୍ଟ୍ରପତି ନିର୍ବାଚନ : ବିଜେଡିର ଆଭିମୁଖ୍ୟ କଣ ରହିବ ? ଜାତୀୟ ନ୍ୟୁଜ ଚ୍ୟାନେଲକୁ ସାକ୍ଷାତକାର ଦେଇ ନବୀନ ରଖିଲେ ମତ

571

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟନାୟକ ଏବେ ଦିଲ୍ଲୀ ଗସ୍ତରେ ରହିଛନ୍ତି । ଏହି ସମୟରେ ଏକ ଜାତୀୟ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ତୃତୀୟ ସାମ୍ମୁଖ୍ୟ ଏବଂ ରାଷ୍ଟ୍ରପତି ନିର୍ବାଚନ ବେଳେ ବିଜେଡିର ପକ୍ଷ କଣ ରହିବ ତାହା ସେ ସ୍ପଷ୍ଟ କରିଛନ୍ତି ।
ଆଗାମୀ ୨୦୨୪ରେ ଲୋକସଭା ନିର୍ବାଚନ ରହିଛି । ଏହି ସମୟରେ ବିଜେଡି ତୃତୀୟ ସାମ୍ମୁଖ୍ୟରେ ସାମିଲ ହେବ କି ବୋଲି ପ୍ରଶ୍ନରେ ନବୀନ କହିଛନ୍ତି, ଏ ପ୍ରସଙ୍ଗରେ ମତ ଦେବାର ସମୟ ଆସିନି । ସମୟ ଆସିଲେ ସେ ସ୍ପଷ୍ଟ କରିବେ । ସେହିପରି ରାଷ୍ଟ୍ରପତି ନିର୍ବାଚନରେ ତାଙ୍କ ଦଳ କାହା ପକ୍ଷ ନେବେ ପ୍ରଶ୍ନରେ ସେ କହିଛନ୍ତି କିଏ ପ୍ରାର୍ଥୀ ହେବେ ତାହ ଗୁରୁତ୍ୱପୂର୍ଣ୍ଣ । ଏପରି ପ୍ରଶ୍ନର କାରଣ ହେଲା ୨୦୧୭ରେ ଅନ୍ତିମ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା । ଏହି ସମୟରେ ରାମନାଥ କୋବିନ୍ଦ ଏନଡିଏର ପ୍ରାର୍ଥୀ ହୋଇଥିଲେ । ଆଉ ବିଜେଡି କୋବିନ୍ଦଙ୍କ ସମର୍ଥନରେ ଭୋଟ୍ ଦେଇଥିଲା । ସବୁବେଳେ ସମଦୂରତା ନୀତିକୁ ଆପଣାଉଥିବା ନବୀନ କେଉଁ ପଟରେ ନିଜର ମତ ରଖିବେ ତାକୁ ନେଇ ଦିଲ୍ଲୀ ରାଜନୀତିରେ ସସପେନ୍ସ ରହିଛି । କାରଣ ପ୍ରଧାନମନ୍ତ୍ରୀଙ୍କ ବୈଠକରେ ସାମିଲ ହେବାକୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସିଥିଲେ । ଏହି ସମୟରେ ଅଣ ବିଜେପି ଏବଂ ଅଣ କଂଗ୍ରେସ ଦଳର ମୁଖ୍ୟମନ୍ତ୍ରୀ ପରସ୍ପରକୁ ଭେଟିଥିଲେ । ଏହି ସମୟରେ ରାଷ୍ଟ୍ରପତି ନିର୍ବାଚନ ଉପରେ ଆଲୋଚନା ହୋଇଛି । ସେହିପରି ୨୦୨୪ ସାଧାରଣ ନିର୍ବାଚନ ପାଇଁ ତୃତୀୟ ସାମ୍ମୁଖ୍ୟ ଗଠନ ଉପରେ ମତ ରଖୁଛନ୍ତି ଅନେକ ଦଳର ନେତା । ଯାହାକୁ ସମର୍ଥନ କରୁଛନ୍ତି, ପଶ୍ଚିମବଙ୍ଗର ଟିଏମସି, ତେଲେଙ୍ଗାନାର ଟିଆରଏସ, ମହାରାଷ୍ଟ୍ରର ଶିବସେନା, ତାମିଲନାଡୁର ଡିଏମକେ ।