ଭାରତ ବନ୍ଦକୁ ନାହିଁ ସମର୍ଥନ । ହେଲେ କୃଷି କାନୁନର ସଂଶୋଧନ ଦାବି କଲା ଆରଏସ୍ଏସ୍ ସହିତ ଜଡିତ କିଷାନ ସଂଗଠନ ଭାରତୀୟ କିଷାନ ସଂଘ

206

କନକ ବ୍ୟୁରୋ : ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ବା ଆରଏସଏସ ସହିତ ଜଡିତ କିଷାନ ସଂଗଠନ ଭାରତୀୟ କିଷାନ ସଂଘ କୃଷକ ମାନଙ୍କ ଦ୍ୱାରା ଡାକରା ଦିଆଯାଇଥିବା ଭାରତ ବନ୍ଦକୁ ସମର୍ଥନ ଜଣାଇନାହିଁ । ମାତ୍ର କେନ୍ଦ୍ର ସରକାର ଆଣିଥିବା କୃଷିବିଲ୍ ର କିଛି ସଂଶୋଧନ ଆବଶ୍ୟକ ରହିଛି ବୋଲି କହିଛନ୍ତି । ଆଜି ବିଭିନ୍ନ କୃଷକ ସଂଗଠନ ପକ୍ଷରୁ କେନ୍ଦ୍ରସରକାରଙ୍କ ନୂତନ କୃଷିବିଲ୍ ପ୍ରତ୍ୟାହାର ଦାବିରେ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହାକୁ ନେଇ ଭାରତୀୟ କିଷାନ ସଂଘର ମହେଶ ଚୌଧୁରୀ କହିଛନ୍ତି କି ଆମ ସଂଗଠନ ଭାରତ ବନ୍ଦକୁ ସମର୍ଥନ କରୁନାହିଁ । ହେଲେ ସରକାର ଯେଉଁ ରୂପରେ ନୂତନ କୃଷି କାନୁନ ଲାଗୁ କରିବାକୁ ଯାଉଛନ୍ତି ତାକୁ ବି ଆମ ସଂଗଠନ ସମର୍ଥନ କରୁନାହିଁ । ଏହି କାନୁନରେ କିଛି ସଂଶୋଧନ ପାଇଁ ଆମ ସଂଗଠନ ଦାବି କରୂୁଛି । ଏନେଇ ସଂଗଠନ ପକ୍ଷରୁ ଅଗଷ୍ଟ ମାସରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଥିଲା । ଯେଉଁଥରେ ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନସିଦ୍ଧ କରିବାକୁ ଦାବି କରାଯାଇଥିଲା ।

ଶ୍ରୀ ଚୌଧୁରୀ କହିଛନ୍ତି କି ଏହି ଚିଠି ପାଇବା ପରେ ସରକାର ଏହି ଆଇନ ଉପରେ ସଂଶୋଧନ କରିବେ ବୋଲି ଆଶ୍ୱାସନା ଦେଇଛନ୍ତି । ହେଲେ ସରକାର ଏହି ଆଇନରେ ଆଣିଥିବା ପ୍ରାବଧାନ ଏକ ବଜାର ଏକ ଦେଶକୁ ତାଙ୍କ ସଂଗଠନ ସମ୍ପୁର୍ଣ୍ଣ ସମର୍ଥନ ଜଣାଉଛି । ଏହାଦ୍ୱାରା ତୃଣମୂଳ ସ୍ତରରେ କୃଷକ ମାନେ ଲାଭବାନ ହେବେ ବୋଲି ସେ କହିଛନ୍ତି । ଦିଲ୍ଲୀ ଓ ଅନ୍ୟାନ୍ୟ ରାଜ୍ୟ ମାନଙ୍କରେ କୃଷକ ମାନେ କରୁଥିବା ଆନ୍ଦୋଳନକୁ ଶେଷ କରିବାକୁ ସେ କୃଷକ ମାନଙ୍କୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି କି ଏହି ଆନ୍ଦୋଳନରେ ସାମିଲ ହୋଇଥିବା ଲୋକ ଓ ଆନ୍ଦୋଳନ ସ୍ଥଳରେ ଚାଲିଥିବା ନାରା ଏବେ ଦେଶ ପାଇଁ ବିପଦ ସୃଷ୍ଟି କରିଛି ।

ଦିଲ୍ଲୀର ବିଭିନ୍ନ ସୀମାରେ କୃଷି କାନୁନ୍ ବିରୋଧରେ ଆନ୍ଦୋଳନ ଜାରି ରହିଛି । ଏହି ଆନ୍ଦୋଳନରେ ସାମିଲ ହୋଇଥିବା କୃଷକ ମାନଙ୍କ ମଧ୍ୟରେ ଅଧିକାଂଶ ପଞ୍ଜାବ, ହରିଆଣା ଓ ଉତ୍ତତରପ୍ରଦେଶର କୃଷକ ମାନେ ସାମିଲ ହୋଇଛନ୍ତି । ଏନେଇ କୃଷକ ନେତା ଓ ସରକାରଙ୍କ ମଧ୍ୟରେ ୫ ଥର ଆଲୋଚନା ହୋଇଥିଲେ ବି ଏନେଇ କିଛି ନିସ୍କର୍ଷ ବାହାରିପାରୁ ନାହିଁ ।