ବାଗେଶ୍ୱର ବାବା ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ କ୍ଲିନଚିଟ୍, ନାଗପୁର ପୋଲିସ କହିଲା ମିଳିଲା ନାହିଁ ଅନ୍ଧବିଶ୍ୱାସ ପ୍ରସାର କରୁଥିବାର କୌଣସି ପ୍ରମାଣ

681

କନକ ବ୍ୟୁରୋ : ବାଗେଶ୍ୱର ଧାମର ପୀଠଧିଶ୍ୱର ପଣ୍ଡିତ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ଅନ୍ଧବିଶ୍ୱାସ ପ୍ରସାର କରୁଥିବା ମାମଲାରେ ନାଗପୁର ପୋଲିସ କ୍ଲିନଚିଟ୍ ଦେଇଛି । ନାଗପୁର ପୋଲିସ ତରଫରୁ କୁହାଯାଇଛି କି, ମହାରାଷ୍ଟ୍ର ଅନ୍ଧଶ୍ରଦ୍ଧା ନିର୍ମୁଲନ ସମିତିର ଅଭିଯୋଗ ଉପରେ ଯାଂଚ ପରେ ନାଗପୁର କାର୍ଯ୍ୟକ୍ରମରେ ବାବା ଧୀରେନ୍ଦ୍ର ଶାସ୍ତ୍ରୀ କୌଣସି ଅନ୍ଧବିଶ୍ୱାସ ପ୍ରସାର କରୁଥିବାର ପ୍ରମାଣ ମଳିନାହିଁ । ଏନେଇ ପୋଲିସ ପକ୍ଷରୁ ମହାରାଷ୍ଟ୍ର ଅନ୍ଧଶ୍ରଦ୍ଧା ନିର୍ମୁଲନ ସମିତିକୁ ଲିଖିତ ଆକାରରେ ଜବାବ ପଠାଇଛି । ନାଗପୁର ପୋଲିସ ଆୟୁକ୍ତ ଅମିତେଶ କୁମାର ବୁଧବାର ଦିନ କହିଛନ୍ତି କି ଧୀରେନ୍ଦ୍ର ଶାସ୍ତ୍ରୀଙ୍କ କାର୍ଯ୍ୟକ୍ରମର ଭିଡିଓ ଯାଂଚ କରାଯାଇଛି ଓ ଏଥିରେ ଅନ୍ଧବିଶ୍ୱାସ ପ୍ରସାରର କୌଣସି ପ୍ରମାଣ ମିଳିନାହିଁ ।

ସୂଚନା ଥାଉକି ବାବା ଧୀରେନ୍ଦ୍ର ଶାସ୍ତ୍ରୀ ନାଗପୁରରେ ରାମକଥାର ଆୟୋଜନ କରିଥିଲେ । ହେଲେ ଏହି କାର୍ଯ୍ୟକ୍ରମ ସରିବାର ୨ଦିନ ଆଗରୁ ଏହାକୁ ସମାପ୍ତ କରାଯାଇଥିଲା । ଏହାପରେ ମହାରାଷ୍ଟ୍ର ଅନ୍ଧଶ୍ରଦ୍ଧା ନିର୍ମୁଳନ ସମିତି ତରଫରୁ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ନାମରେ ଅଭିଯୋଗ କରାଯାଇଥିଲା । ସମିତି ତରଫରୁ କୁହାଯାଇଥିଲା କି, ବାବା ଧୀରେନ୍ଦ୍ର ଶାସ୍ତ୍ରୀ ସମାଜରେ ଅନ୍ଧବିଶ୍ୱାସର ପ୍ରସାରଣ କରୁଛନ୍ତି ।

ସେପଟେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ନେଇ ସନ୍ଥ ସମାଜ ଏବେ ଦୁଇଭାଗ ହୋଇଛି । ଗୋଟିଏ ଗୋଷ୍ଠୀ କହିଛନ୍ତି କି, ଧୀରେନ୍ଦ୍ର ଶାସ୍ତ୍ରୀ ଚମକ୍ରାର କରୁଛନ୍ତି ତ ଅନ୍ୟ ଗୋଷ୍ଠୀଟି ଏହାକୁ ପାଖଣ୍ଡି ବୋଲି କହିଛନ୍ତି । ଅଯୋଧ୍ୟା ସନ୍ଥ ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ ସମର୍ଥନ କରୁଥିବା ବେଳେ ଜ୍ୟୋତିଷ ପୀଠର ଶଂକରାଚାର୍ଯ୍ୟ ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦ ଓ ବୃନ୍ଦାବନର ପ୍ରେମାନନ୍ଦ ମହାରାଜ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଦାବି ଉପରେ ପ୍ରଶ୍ନ ଉଠାଇଛନ୍ତି ।