ଦିଲ୍ଲୀ ଅକ୍ସିଜେନ ଯୋଗାଣ ମାମଲା : ବିଜେପିର ଅଭିଯୋଗକୁ ଖଣ୍ଡନ କଲେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ । କହିଲେ ଦେଖାଅ ରିପୋର୍ଟ

128

କନକ ବ୍ୟୁରୋ : ଦିଲ୍ଲୀରେ ଅକ୍ସିଜେନ ଯୋଗାଣ ନେଇ ସୁପ୍ରିମ କୋର୍ଟଙ୍କ ଦ୍ୱାରା ଗଠିତ ଅକ୍ସିଜେନ ମ୍ୟାନେଜମେଣ୍ଟ କମିଟି ଏକ ରିପୋର୍ଟ ଦେଇଛି । ଏହି ରିପୋର୍ଟକୁ ଆଧାର କରି ବିଜେପି କହିଛି କି ଦିଲ୍ଲୀ ସରକାର ଆବଶ୍ୟକତା ଠାରୁ ୪ ଗୁଣ ଅଧିକ ଅକ୍ସିଜେନ ଦାବି କରିଥିଲା । ହେଲେ ବିଜେପିର ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ସେ ଏକ ଡିଜିଟାଲ ପ୍ରେସ କନଫରେନ୍ସ କରି କହିଛନ୍ତି କି ବିଜେପି ଯେଉଁ ରିପୋର୍ଟକୁ ଆଧାର କରି ଦିଲ୍ଲୀ ସରକାର ଓ ଆମ୍ ଆଦମୀ ପାର୍ଟିକୁ ଗାଳି ଦେଉଛି ସେହି ରିପୋର୍ଟକୁ ବିଜେପି ସାର୍ବଜନୀନ କରୁ । ଏହାସହ ଅକ୍ସିଜେନ ମ୍ୟାନେଜମେଣ୍ଟର ପ୍ରାଥମିକ ରିପୋର୍ଟରେ ସେଭଳି କିଛି ଉଲ୍ଲେଖ ନାହିଁ ବୋଲି ସେ କହିଛନ୍ତି ।

କହିରଖୁ ସୁପ୍ରିମ କୋର୍ଟ ଅକ୍ସିଜେନ ମାମଲାକୁ ନେଇ ଶୁଣାଣି କରିବା ବେଳେ ଅକ୍ସିଜେନ ଅଡିଟ୍ କମିଟି ପ୍ରସ୍ତୁତ କରିଥିଲେ । ବିଜେପିର ଏଭଳି ଅଭିଯୋଗକୁ ନେଇ ମନୀଷ ସିସୋଦିଆ ଆହୁରି କହିଛନ୍ତି କି ଏଭଳି ଅଭିଯୋଗ ଆସିବା ପରେ ସେ ଅକ୍ସିଜେନ ଅଡିଟ୍ କମିଟର କିଛି ସଦସ୍ୟଙ୍କ ସହ କଥା ହୋଇଛନ୍ତି । କଥା ହୋଇଥିବା ସଦସ୍ୟମାନେ କହିଛନ୍ତି କି ସେମାନେ ଏଭଳି କିଛି ଅଡିଟ୍ ରିପୋର୍ଟରେ ଦସ୍ତଖତ କରି ନାହାନ୍ତି କି ମଞ୍ଜୁରୀ ଦେଇ ନାହାନ୍ତି । ତେଣୁ ଏଭଳି ରିପୋର୍ଟ ବିଜେପି ନେତାଙ୍କ ହାତକୁ କେମିତି ଆସିଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏହି ପ୍ରସଙ୍ଗରେ ଦିଲ୍ଲୀ ସରକାରଙ୍କୁ ଟାର୍ଗେଟ୍ କରିଥିବା ବିଜେପି ନେତାଙ୍କୁ ଟାର୍ଗେଟ୍ କରି ମନୀଷ ସିସୋଦିଆ କହିଛନ୍ତି କି “ନିଜ ଦାୟିତ୍ୱରୁ ହଟିଯିବା ଓ ଲୋକଙ୍କ ଆଗରେ ସଫେଇ ଦେବାକୁ ବିଜେପି ନେତାମାନେ ହେଡକ୍ୱାଟରରେ ବସି ମନଗଢା ରିପୋର୍ଟ ପ୍ରସ୍ତୁତ କରୁଛନ୍ତି ”