ରାତି ପାହିଲେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ନରହନ୍ତା ! ଡେଥ୍ ୱାରେଣ୍ଟରେ ଲାଗିଲାନି ରୋକ୍, ଫାଶୀ ପାଇଁ ରାସ୍ତା ସଫା ।

2,184

କନକ ବ୍ୟୁରୋ : ଫାଶୀ ପାଇଁ ସଫା ହେଲା ରାସ୍ତା । ନିର୍ଭୟା ଦୋଷୀଙ୍କୁ ଆସନ୍ତାକାଲି ସକାଳେ ହୋଇପାରେ ଫାଶୀ । ଡେଥ୍ ୱାରେଂଟ ରୋକ୍ କରିବାକୁ ହୋଇଥିବା ଆବେଦନକୁ ଖାରଜ କରାଯାଇଛି । ପଟିଆଲ ହାଉସ କୋର୍ଟ ଏହାକୁ ଖାରଜ କରିଛନ୍ତି ।

ଏହା ପୂର୍ବରୁ ଦୋଷୀ ପବନ ଗୁପ୍ତାର କ୍ୟୁରେଟିଭ ପିଟିସନ୍ ସୁପ୍ରିମକୋର୍ଟରେ ଖାରଜ ହୋଇଯାଇଛି । ଏଥିରେ ପବନ ଫାଶୀ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିଣତ କରିବା ପାଇଁ ଅପିଲ କରିଥିଲା । ୨୦୧୨ ଘଟଣା ବେଳେ ସେ ନାବାଳକ ଥିବା ଦର୍ଶାଇ ଏଭଳି ଅପିଲ କରିଥିଲା । ତେବେ ସୁପ୍ରିମକୋର୍ଟ ଏହାକୁ ଖାରଜ କରିଛନ୍ତି ।

ସେପଟେ ଫାଶୀ ପାଇଁ ତିହାର ଜେଲରେ ପ୍ରସ୍ତୁତି ସରିଛି । ୪ ଦୋଷୀଙ୍କ ମଧ୍ୟରୁ ୩ ଜଣଙ୍କ ପରିବାର ଲୋକ ସେମାନଙ୍କୁ ଭେଟିସାରିଛନ୍ତି । ଅକ୍ଷୟର ପରିବାର ଲୋକ ଏଯାଏଁ ତାଙ୍କୁ ଭେଟିନାହାନ୍ତି । ଆସନ୍ତାକାଲି ସକାଳ ସାଢେ ୫ଟାରେ ୪ ଅଭିଯୁକ୍ତଙ୍କୁ ଫାଶୀରେ ଝୁଲାଇବାକୁ ସମୟ ସ୍ଥିର ହୋଇଛି । ଅନ୍ୟପଟେ କୋର୍ଟ ବାହାରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଦୋଷୀ ଅକ୍ଷୟର ପତ୍ନୀ ମୁଣ୍ଡ ପିଟି କାନ୍ଦିବା ସହ ବିବାହ ବିଚ୍ଛେଦ ପାଇଁ ଦାବି କରିଛନ୍ତି ।