ଓଡିଶାରେ ବାତ୍ୟା ନେଇ ପାଣିପାଗ ବିଭାଗର ସୂଚନା: ୩ଦିନ ତଳେ ସୃଷ୍ଟ ଲଘୁଚାପ ବର୍ତ୍ତମାନ ସେହି ଅଞ୍ଚଳରେ ସ୍ଥିର ରହିଛି; ଆସନ୍ତା ଗୋଟିଏ ସପ୍ତାହ ଯାଏଁ ଓଡିଶା ପ୍ରତି ନାହିଁ ବାତ୍ୟା ବିପଦ

747

କନକ ବ୍ୟୁରୋ: ବାତ୍ୟା ସମ୍ପର୍କରେ ଅଧିକ ସ୍ପଷ୍ଟ କଲା ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏନେଇ କନକନ୍ୟୁଜକୁ ସୂଚନା ଦେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ମୃତ୍ୟୁଂଜୟ ମହାପାତ୍ର କହିଛନ୍ତି ଏବେ ଓଡିଶାକୁ ନାହିଁ ବାତ୍ୟା ଭୟ । ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇନାହିଁ । କିଂବା ଆଗକୁ ଏହା ଘନୀଭୂତ ହେବାର ମଧ୍ୟ ନାହିଁ । ତେଣୁ ବଙ୍ଗୋପସାଗରରେ ଆସନ୍ତା ୭ ଦିନ ମଧ୍ୟରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ନାହିଁ । ତେଣୁ ଏବେ ଓଡିଶା ପାଇଁ କୌଣସି ବାତ୍ୟା ସମ୍ଭାବନା ନାହିଁ ବୋଲି ଆଇଏମଡି ଡିଜି ସ୍ପଷ୍ଟ କରିଛନ୍ତି । ପାଣିପାଗ ନେଇ ଆଇଏମଡି ତୀକ୍ଷଣ ନଜର ରଖିଛି । ପାଗରେ କୌଣସି ପରିବର୍ତନ ଆସିଲେ ଅବଗତ କରାଯିବ ବୋଲି କହିଛନ୍ତି ।

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏବେ ରହିଥିବା ଲଘୁଚାପ ଅଧିକ ଘନୀଭୂତ ହେବାର ସମ୍ଭାବନା କମ୍। ତେବେ ସୂଚନା ମିଳିଥିଲା କି, , ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ହିଁ ବିଲୀନ ହୋଇପାରେ। ହେଲେ ଆଉ ଏକ ଲଘୁଚାପ କ୍ଷେତ୍ର ସମ୍ଭାବନା ସୃଷ୍ଟି ହୋଇଛି ଓ ଏହା ବର୍ତମାନର ଲଘୁଚାପ ସହିତ ମିଶି ବାତ୍ୟା ରୂପ ନେଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ତେବେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟା ରୂପ ନେବ କି ନାହିଁ, ବାତ୍ୟା ରୂପ ନେଲେ ଏହା କେତେ ଭୀଷଣ ରୂପ ଧାରଣ କରିବ, ସର୍ବୋପରି କେଉଁଠାରେ ସ୍ଥଳଭାଗକୁ ଛୁଇଁବ, ତାହା ଆସନ୍ତା ୭, ୯ ଓ ୧୧ ତାରିଖରେ ସ୍ପଷ୍ଟ ହେବ ବୋଲି ପୂର୍ବାନୁମାନ କରାଯାଉଛି। ବାତ୍ୟା ରୂପ ନେଲେ ଏହାର ନାମ ‘ଆମ୍ଫାନ’ ହେବ ବୋଲି କୁହାଯାଉଛି।

ମାତ୍ର ଓଡିଶା ପ୍ରତି ଏହାର କୌଣସି ବିପଦ ନାହିଁ ବୋଲି ସ୍ପଷ୍ଟ କରିଛି ପାଣିପାଗ ବିଭାଗ । ତିନି ଦିନ ତଳେ ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ବର୍ତ୍ତମାନ ସେହି ଅଞ୍ଚଳରେ ରହିଛି, ଘନୀଭୂତ ହୋଇନାହିଁ । ତେବେ ଏହା ଘନିଭୂତ ହେବାର ମଧ୍ୟ କୌଣସି ସମ୍ଭାବନା ନାହିଁ । ତେଣୁ ଓଡିଶା ପାଇଁ କୌଣସି ବାତ୍ୟାର ବିପଦ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେହିଭଳି ଆସନ୍ତା ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଓଡିଶା ପ୍ରତି କୌଣସି ବାତ୍ୟା ବିପଦ ନାହିଁ ବୋଲି କହିଛନ୍ତି ମୃତ୍ୟୁଞ୍ଜୟ ମହାପାତ୍ର ।