ଚମ ଧୁଡୁଧୁଡୁ ହେଲାଣି, କିନ୍ତୁ ଚୁଟି ଧଳା ହେଇନି । ବୁଢୀ ମାଉସୀ ମୁଣ୍ଡରେ ଏ ବୟସରେ ବି କଳା ମଚମଚ ଚୁଟି ।

2,109

କନକ ବ୍ୟୁରୋ: ୮୨ ବର୍ଷରେ ପାଚିନି ଚୁଟି । ସୁନ୍ଦରୀ ମାଉସୀର କେଶ କାହାଣୀ । ନାଁ ଯେମିତି, କେଶ ସେମିତି… ଚମ ଧୁଡୁଧୁଡୁ ହୋଇଗଲାଣି, ପାଟି ପାକୁଆ ହୋଇଗଲାଣି । ବୟସ ବି ଗଡିଗଲାଣି । ହେଲେ ଏବେ ବି ବୁଢୀ ମାଉସୀ ମୁଣ୍ଡରେ କଳା ମଚମଚ ଚୁଟି । ଯବାନ ବୟସରେ ଯେମିତି କେଶ କଳା ଥିଲା ସେମିତି ଏବେ ବି ୮୨ ବର୍ଷ ବୟସରେ ଅଛି । ଯାହା ଆଜିର ଯୁବପିଢିଙ୍କୁ ଆଶ୍ଚର୍ଯ୍ୟ କରିଛି ।

ନାମ- ସୁନ୍ଦରୀ ପରିଡା
ବୟସ- ୮୨ ବର୍ଷ
ଘର- କେନ୍ଦ୍ରାପଡା, ମାର୍ଶାଘାଇ, ପସ୍ତା ଗାଁ

ବୟସର ଅପରାହ୍ନରେ ପହଞ୍ଚିଥିବା ବୁଢୀ ମାଉସୀ ହାତରେ ବଳ ନଥିବା ପରି ଦିଶୁଥିଲେ ହେଁ ଏ ବୟସରେ ବି ସୁନ୍ଦରୀ ମାଉସୀ ପୂରା ଫିଟ୍ ଆଣ୍ଡ ଫାଇନ୍ । ୮୨ ବର୍ଷରେ ବି ଚଲାବୁଲା କରୁଛନ୍ତି, ଘରର କାମଦାମରେ ସାହାଯ୍ୟ କରୁଛନ୍ତି ।
ଆଜିକାଲି ଯୁବପିଢିଙ୍କର ଗୋଟିଏ ସମସ୍ୟା ଚୁଟି ଝଡିବା, ଚୁଟି ପାଚିବା । କେଶ ସମସ୍ୟା ଅଧିକାଂଶ ଲୋକଙ୍କର ଥିବା ବେଳେ ସମାଧାନ ପାଇଁ ବିଭିନ୍ନ ଲୋକ ବିଭିନ୍ନ ପନ୍ଥା ଆପଣାଉଛନ୍ତି । ହେଲେ ଏହାର କୌଣସି ସ୍ଥାୟୀ ସମାଧାନ ହୋଇପାରୁନି । ଯେଉଁଥିପାଇଁ ଚନ୍ଦାପଣର ଶିକାର ହେବାକୁ ପଡୁଛି । ମାତ୍ର ଆଶ୍ଚର୍ଯ୍ୟର କଥା ୮୨ ବର୍ଷ ବୟସରେ ବି ସୁନ୍ଦରୀ ମାଉସୀଙ୍କର ଗୋଟେ ବି ଚୁଟି ପାଚିନାହିଁ । ଘନତା ଯେମିତି, ଗାଢତା ସେମିତି ।

ତେବେ ଏତେ ବୟସରେ କେଶ କେମିତି ଏତେ କଳା ହେଲା । ତାର ସିକ୍ରେଟ୍ କହିଛନ୍ତି ସୁନ୍ଦରୀ ମାଉସୀ । ସେ କେବେ ବାହାର ତେଲ ବ୍ୟବହାର କରନ୍ତିନି । ତୁଳା ତକିଆରେ ମୁଣ୍ଡଦେଇ ଶୁଅନ୍ତିନି । କେବଳ ମରା ନଡିଆ ତେଲ ବ୍ୟବହାର କରନ୍ତି । ଯାହା ତାଙ୍କ କଳା କେଶ ପଛର କାରଣ ।