ମିଳୁନି ବିହନ, ସଙ୍କଟରେ ଚୀନାବାଦାମ ଚାଷୀ । ଚଢା ଦରରେ ବିହନର ହେଉଛି କଳାବଜାରୀ

64

କନକ ବ୍ୟୁରୋ : ପୁରୀ ଜିଲ୍ଲା କଣାସ ବ୍ଲକର ଗଡସାନପୁଟ, ଗଡବଡ଼ପୁଟ, ପାଣ୍ଡିଆକେରା, ନାନକେରା, ଅଁଳାଯୋଡି, ତ୍ରିଲୋଚନପୁର ଅଂଚଳରେ ହଜାର ହଜାର ଚାଷୀ ବାଦାମ ଚାଷ କରନ୍ତି । ହେଲେ ଉଚିତ୍ ସମୟରେ ବିହନ ମିଳୁନଥିବାରୁ ବାଦାମ ଚାଷୀଙ୍କ ମଧ୍ୟରେ ଅସୋନ୍ତଷ ସୃଷ୍ଟି ହୋଇଛି । ଫଳରେ ବାଧ୍ୟହୋଇ ଚାଷୀ ମାନେ ଚଢା ଦରରେ ବିହନ କିଣୁଛନ୍ତି । ବାହାରୁ ବିହନ କିଣିଲେ ଗଛ ଭଲ ହେଉନଥିବାରୁ ସରକାରୀ ବିହନ ପାଇଁ ଚାଷୀ ଅପେକ୍ଷା କରିଛନ୍ତି ।

କିଛିଦିନ ତଳେ ବନ୍ୟା ଚାଷୀଙ୍କର ଫସଲ ଉଜାଡ଼ିଦେଇଥିବା ବେଳେ ଏପର୍ଯ୍ୟନ୍ତ ବନ୍ୟା କ୍ଷତିପୁରଣ ପାଇନାହାନ୍ତି । ଧିର ଧିରେ ବନ୍ୟା ଦୁର୍ଦ୍ଦଶା ଭୁଲି ବାଦାମ ଚାଷ କରି କିଛି ରୋଜଗାର କରିବା ପାଇଁ ଚାଷୀ ଅଂଟା ଭିଡିଥିବା ବେଳେ ସରକାରଙ୍କ ବିହନ ଦେବାର ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ହିଁ ରହିଯାଉଛି । ଅନ୍ୟପଟେ ଚଷୀ ବିଲରୁ ପାଗ ଉଡିଲାଣି । ଖୁବ୍ ଚାଷୀଙ୍କୁ ବିହନ ଯୋଗାଇଦେଲେ ସେମାନେ ଉପକୃତ ହୋଇପାରନ୍ତେ ବୋଲି ଦାବି ହୋଇଛି ।

ଧାନ ଫସଲ ବ୍ୟତିତ ଚିନାବାଦମ ଭଳି ଅର୍ଥକାରୀ ଫସଲ ଚାଷୀଙ୍କ ଅର୍ଥିକ ମାନଦଣ୍ଡ ସୁଧାରିବାରେ ସହାୟକ ହୋଇଥାଏ । କଣାସ ବ୍ଲକର ପ୍ରାୟ ହେକ୍ଟର ହେକ୍ଟର ଜମିରେ ବାଦମ ଚାଷ କରନ୍ତି ଚାଷୀ । ହେଲେ ଭଲ ବିହନ ନମିଳିଲେ ଚାଷୀ କିଭଳି ଚାଷ କରିବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି । ସେପଟେ ବିହନ ବାହାରୁ ଆସୁଥିବାରୁ ଡେରି ହେଉଥିବା କହିଛନ୍ତି କଣାସ ବ୍ଲକର କୃଷୀ ଅଧିକାରୀ ।