କନକ ବ୍ୟୁରୋ : ସ୍କୁଲ ନାହିଁ ତ ଭୋଟ ନାହିଁ । ସ୍କୁଲ ନଥିବାରୁ ଭୋଟ ବର୍ଜନ କଲେ ବୌଦ୍ଧ କଂଟାମାଳ ବ୍ଲକ ମନମୁଣ୍ଡା ପଂଚାୟତ ୧୨ ନମ୍ବର ୱାର୍ଡର ଭଲିଆପଦର ଗ୍ରାମବାସୀ । ଗାଁର ୩୭୭ ଭୋଟର ଆଜି ମତଦାନ ନ ଦେବାରୁ ବୁଥ୍ ସମ୍ପୂର୍ଣ୍ଣ ଖାଁ ଖାଁ ହୋଇଛି ।

Advertisment

ସେପଟେ, ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ସରିଛି । ମାଓ ପ୍ରବଣ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବ୍ଲକର ୨ଟି ଜୋନରେ ୧୪ଟି ପଂଚାୟତ ୧୪୩ଟି ବୁଥ ରହିଛି । କ. ନୂଆଗାଁର ଗୋଟାଏ ଜିଲ୍ଲା ପରିଷଦ ଜୋନରେ ୧୪ଟି ପଂଚାୟତର ୧୭୬ଟି ବୁଥ ରହିଛି । ହେଲେ ମୌଳିକ ସୁବିଧାରୁ ବଂଚିତ ହେଉଥିବାରୁ କ. ନୂଆଗାଁ ବ୍ଲକର କଣ୍ଡାବାଡ଼ି ବୁଥରେ ଭୋଟ ବର୍ଜନ କରିବା ପାଇଁ ଲୋକେ କହିଛନ୍ତି ।

ଭୋଟର ତାଲିକାରେ ନାଁ ନଥିବାରୁ ଭୋଟ ଦେବାରୁ ବଂଚିତ ହେଲେ ଗ୍ରାମବାସୀ । ଗଜପତି ଜିଲ୍ଲା ମୋହନା ଧନୁପଙ୍କ ଗାଁରେ ବୁଥ ଅଛି ହେଲେ ଭୋଟର ତାଲିକାରେ ଗାଁ ଲୋକଙ୍କ ନାଁ ନାହିଁ । ଗାଁରେ ଶତାଧିକ ଲୋକ ଥିଲେ ମଧ୍ୟ ତାଲିକାରେ ନାଁ ନଥିବାରୁ ଚଳିତ ପଂଚାୟତ ନିର୍ବାଚନରେ ଭୋଟ ଦେଇପାରିନାହାନ୍ତି ଭୋଟର । ଭୋଟର ତାଲିକାରେ ନାଁ ଯୋଡ଼ିବା ପାଇଁ ଗାଁ ଲୋକେ ବିଡ଼ିଓଙ୍କୁ ଜଣାଇଥିଲେ ।

ଏପରିକି ପଂଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଧାରଣା ଦେଇଥିଲେ ଗାଁ ଲୋକେ । ସେତେବେଳେ ଭୋଟର ତାଲିକାରେ ନାଁ ଯୋଡ଼ାଯିବ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଭୋଟ ଗ୍ରହଣ ବେଳେ ଗ୍ରାମବାସୀଙ୍କ ନାମ ଯୋଡ଼ା ହୋଇନଥିବା ଜଣାପଡ଼ିଥିଲା । ଏଥିପାଇଁ ଦୁଃଖ ପ୍ରକାଶ କରିଛନ୍ତି ଗାଁ ଲୋକେ । ଭାରତୀୟ ନାଗରିକ ହୋଇଥିଲେ ମଧ୍ୟ ଭୋଟ ଦେବାରୁ ବଂଚିତ ହୋଇଥିବା କହିଛନ୍ତି ଗାଁ ଲୋକେ ।

ଡେରାବିସର ମନ୍ତ୍ରୀପଡ଼ାରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଛି । ଭୋଟ ଦେବାକୁ ନିଜ ବୁଥକୁ ଆସିଲେ । କିନ୍ତୁ ଭୋଟର ତାଲିକାରେ ନାଁ ନଥିବା ଦେଖି ଅସନ୍ତୋଷ ପ୍ରକାଶ କରିଛନ୍ତି ଶତାଧିକ ଭୋଟର । କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ କୁରୁଜଙ୍ଗା ପଂଚାୟତର ମନ୍ତ୍ରୀପଡା ଗାଁରେ ଏହାକୁ ନେଇ ଉତେଜନା ପ୍ରକାଶ ପାଇଛି । ୧୦୦ରୁ ଅଧିକ ଲୋକଙ୍କ ନାଁ ଭୋଟର ତାଲିକାରେ ନଥିବା ଜଣାପଡିଛି ।

୫ ନମ୍ବର ବୁଥକୁ ଶତାଧିକ ଲୋକ ଭୋଟ ଦେବାକୁ ଆସିଥିଲେ । ହେଲେ ଭୋଟର ତାଲିକାରେ ନାଁ ନଥିବା ଦେଖି ଶତାଧିକ ଲୋକେ ବୁଥ୍ ଆଗରେ ପ୍ରତିବାଦ କରିଛନ୍ତି । ସ୍ଥିତି ଉତେଜନାପୂର୍ଣ୍ଣ ହେବାରୁ ସ୍ଥାନୀୟ ତହସିଲଦାର ଏବଂ ପୁଲିସ ଘଟଣାସ୍ଥଳରେ ପହଂଚି ଥିଲେ । ଏହାପରେ ଆନ୍ଦୋଳନକାରୀଙ୍କ ସହିତ ତହସିଲଦାର ଏବଂ ପୁଲିସ ଆଲୋଚନା କରୁଥିବା ସୂଚନା ରହିଛି ।